ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ୧୦୦ ମିଟର ପରିଧିରେ ଖନନ କଲେ ଶ୍ରୀମନ୍ଦିର ପ୍ରତି ବିପଦ ମାଡ଼ି ଆସିବ । ମାଟିର ଶୃଙ୍ଖଳ ବିଗିଡ଼ିଲେ ଶ୍ରୀମନ୍ଦିରରେ ଫାଟ ସୃଷ୍ଟି ହେବା ସହ ଭୁଶୁଡ଼ିବା ପରିସ୍ଥିତି ସୃଷ୍ଟି ହେବ । ହଜାର ହଜାର ବର୍ଷର କୀର୍ତ୍ତିରାଜି ପ୍ରଭାବିତ ହେବ । ଶ୍ରୀମନ୍ଦିର ଐତିହ୍ୟ କରିଡର୍କୁ ନେଇ ପ୍ରତ୍ନତତ୍ତ୍ବ ବିଭାଗର ଏହି ସତର୍କତା ସତ୍ତ୍ବେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନ ଜାରି ରଖିଛି ଠିକା ସଂସ୍ଥା ଟାଟା ପ୍ରୋଜେକ୍ଟ ଲିମିଟେଡ୍ । ପୂର୍ବଦ୍ବାର, ପଶ୍ଚିମଦ୍ବାର ଖନନ ପରେ ଏବେ ଦକ୍ଷିଣଦ୍ବାରରେ ଖନନ ଜାରି ରହିଛି । ଏହା ଭକ୍ତ, ସେବାୟତଙ୍କ ମହଲରେ ଅସନ୍ତୋଷ ଭରି ଦେଇଥିବାବେଳେ ବିଭିନ୍ନ ସଂଗଠନ ବି ଏଭଳି କାର୍ଯ୍ୟ ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଯଦି ଶ୍ରୀମନ୍ଦିରର କିଛି ଅସୁବିଧା ହୁଏ, ଏଥିପାଇଁ କିଏ ଉତ୍ତରଦାୟୀ ରହିବ ବୋଲି ପ୍ରଶ୍ନ କରିଛନ୍ତି । କିନ୍ତୁ ମନ୍ଦିର ପ୍ରଶାସନ ହେଉ କି ଠିକା ସଂସ୍ଥା ଅବା ପ୍ରତ୍ନତତ୍ତ୍ବ ବିଭାଗ, ସମସ୍ତେ ଏ ଦିଗରେ ନିରବତା ଅବଲମ୍ବନ କରିବା ଶ୍ରୀମନ୍ଦିର ପାଇଁ ଘନେଇଥିବା ଏହି ବିପଦ ବଢ଼ାଇବାରେ ଲାଗିଛି ।

୯ ମାସ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଐତିହ୍ୟ କରିଡର୍ ସଂପର୍କରେ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି କରିଥିଲା । ଯେଉଁଥିରେ ଖନନ ଅବା ନିର୍ମାଣ କାର୍ଯ୍ୟ ହେଲେ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ସତର୍କ କରାଯାଇଥିଲା । ତଥାପି ଚିଠିକୁ ବେଖାତିର କରି ଖନନ କରାଯାଇଥିଲା । ପରେ ଚଳିତ ମାସରେ ପୁନର୍ବାର ପ୍ରତ୍ନତତ୍ତ୍ବ ବିଭାଗ ଓବିସିସିକୁ ଏକ ଚିଠି କରିଥିଲା, ଯେଉଁଥିରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଖନନର ଏନ୍ଏମଏ ଅନୁମତିପତ୍ର ମଗାଯାଇଥିଲା । କିନ୍ତୁ ଏହାର କିଛି ଜବାବ ରଖିନଥିଲା ଓବିସିସି । ଏଣୁ କିଛିଦିନ ତଳେ ପ୍ରତ୍ନତତ୍ତ୍ବ ବିଭାଗ ଡିଜି ଭି. ବିଦ୍ୟାଭାରତୀ ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ସ୍ଥିତି ଅନୁଧ୍ୟାନ କରିବା ସହ ଐତିହ୍ୟ କରିଡର୍ ବୁଲି ଦେଖିଛନ୍ତି । ପ୍ରକଳ୍ପର ନକ୍ସା ସହ ଭିଡିଓ ଚିତ୍ର ଦେଖିବା ପରେ ଶ୍ରୀମନ୍ଦିରର ୧୦୦ ମିଟର ପରିଧିରେ ନିର୍ମାଣ କାର୍ଯ୍ୟ ହୋଇପାରିବନି ବୋଲି ଯୁକ୍ତି ବାଢ଼ିଛନ୍ତି । ଶ୍ରୀମନ୍ଦିରର ଏତେ ନିକଟରେ ଖନନ ହେଲେ ବିପଦ ବୋଲି ସତର୍କ କରାଇଥିଲେ । ଶ୍ରୀମନ୍ଦିରର ସୁରକ୍ଷା ଦିଗରେ ପ୍ରତ୍ନତତ୍ତ୍ବ ବିଭାଗ ସହ ସମନ୍ବୟ ଭିତ୍ତିରେ କାମ କରିବାକୁ ପରାମର୍ଶ ଦେଇଥିଲେ । ଏହା ସତ୍ତ୍ବେ ବି ଠିକା ସଂସ୍ଥା ପଶ୍ଚିମଦ୍ବାରରେ କଂକ୍ରିଟ୍ କାମ ଜାରି ରଖିଛି ଓ ଏବେ ଦକ୍ଷିଣଦ୍ବାରରେ ଖନନ ଆରମ୍ଭ କରିଛି । ପୂର୍ବ-ଦକ୍ଷିଣଦ୍ବାର କୋଣରେ କାକୁଡ଼ିଖାଇ ମନ୍ଦିର ନିକଟରେ ଖନନ ପରେ ବିରାଟ ଗର୍ତ୍ତ ସୃଷ୍ଟି ହୋଇଛି । ସେହିଭଳି ଅନ୍ୟାନ୍ୟ ଜାଗାରେ ବି ଖନନ ଜାରି ରହିଛି । ପ୍ରତ୍ନତତ୍ତ୍ବ ବିଭାଗ ଭୁବନେଶ୍ବର ମଣ୍ଡଳ ଡିଜି ପରିଦର୍ଶନ କରି ଯିବା ପରେ ନିରବ ବସିଛନ୍ତି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ କିଏ ନେବ ବୋଲି ଭକ୍ତ, ସେବାୟତ ମହଲ ପ୍ରଶ୍ନ କରିଛନ୍ତି । ଏପରିକି ଐତିହ୍ୟ କରିଡର୍ ପାଇଁ ଖନନ ଦ୍ବାରା ଯଦି ଶ୍ରୀମନ୍ଦିରର ପାଇଁ କିଛି ବିପଦ ଆସେ, ଏହା ଅକ୍ଷମଣୟୀ ବୋଲି ଚେତାଇ ଦେଇଛନ୍ତି ।
ପୂର୍ବରୁ ଐତିହ୍ୟ କରିଡର୍ ପାଇଁ ପ୍ରି-କାଷ୍ଟିଂ ପ୍ରକ୍ରିୟା ଅବଲମ୍ବନ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍ କୁମାର କହିଥିଲେ । ଯେହେତୁ ଶ୍ରୀମନ୍ଦିରକୁ ଦୈନିକ ହଜାର ହଜାର ଭକ୍ତ ଆସୁଛନ୍ତି, ମନ୍ଦିର ନିକଟରେ କୌଣସି ନିର୍ମାଣ ଦର୍ଶନକୁ ପ୍ରଭାବିତ କରିବ ବୋଲି କହିଥିଲେ । ଏପରିକି ଭକ୍ତ ଓ ଶ୍ରୀମନ୍ଦିର ସୁରକ୍ଷା ଦୃଷ୍ଟିରୁ ୮୦ ପ୍ରତିଶତ କାର୍ଯ୍ୟ ପ୍ରି-କାଷ୍ଟିଂ ପ୍ରକ୍ରିୟାରେ କରାଯିବ ବୋଲି ମୁଖ୍ୟ ପ୍ରଶାସକ କହିଥିଲେ । ନକ୍ସା ଅନୁଯାୟୀ କଂକ୍ରିଟ୍ର ବିମ୍ ସହ ଅନ୍ୟାନ୍ୟ କାମ ଅନ୍ୟତ୍ର ନିର୍ମାଣ କରାଯାଇ କେବଳ ମନ୍ଦିର ଚତୁଃପାର୍ଶ୍ବରେ ସ୍ଥାପନ କରାଯିବ ବୋଲି ସେ କହିଥିଲେ । କିନ୍ତୁ ଏହି ପ୍ରକ୍ରିୟା ଆଜି ପର୍ଯ୍ୟନ୍ତ ଅବଲମ୍ବନ କରାଯାଇ ନଥିବାରୁ ଭୁଆଁ ବୁଲାଇବା ପାଇଁ ଏଭଳି ଘୋଷଣା କରାଯାଇଥିଲା ବୋଲି ଭକ୍ତ, ସେବାୟତ ଅଭିଯୋଗ କରିଛନ୍ତି ।
