ନଷ୍ଟ ହୋଇଥିବା ସିମେଣ୍ଟର ଚୋରା କାରବାର; ତିଆରି ହେଉଥିଲା ସିମେଣ୍ଟ ନନ୍ଦ,କବାଟ ବନ୍ଧ

କଟକ : ସମ୍ପୂର୍ଣ୍ଣ ବ୍ୟବହାର ଅନୁପଯୋଗୀ ସିମେଣ୍ଟରେ କୂଅ ନନ୍ଦ, ଘର ବନ୍ଧ, ଝରକା ବନ୍ଧ ଇତ୍ୟାଦି ତିଆରି କରି ଗ୍ରାହକଙ୍କୁ ଠକାଯାଉଥିଲା । ଏଭଳି ଏକ ବେଆଇନ କାରବାରକୁ ଠାବ କରିଛି ମର୍କତନଗର ଥାନା ପୁଲିସ । ଜଗତପୁରରୁ ନଷ୍ଟ ହୋଇଯାଇଥିବା ସିମେଣ୍ଟ ସତୀଚଉରାର ଏକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ଚାଲାଣ ବେଳେ କାରବାର ପର୍ଦ୍ଦାଫାସ ହୋଇଛି । ପୁଲିସ ଏହି ମାମଲାରେ ସତୀଚଉରାର ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରି ମାଲିକ ଅଜୁ ଓରଫ ଅଞ୍ଜନ ଦାସ ଏବଂ ଖରାପ ସିମେଣ୍ଟ ଯୋଗାଉଥିବା ଚାଉଳିଆଗଞ୍ଜର ପବିତ୍ର ବାରିକକୁ ଗିରଫ କରିଛି । ଏମାନଙ୍କ ନିକଟରୁ ୯୯ ବସ୍ତା ନଷ୍ଟ ସିମେଣ୍ଟ ଜବତ କରାଯାଇଛି । ଜବତ ସିମେଣ୍ଟର ମୂଲ୍ୟ ପ୍ରାୟ ୨୦,୭୯୦ ଟଙ୍କା ବୋଲି ପୁଲିସ ଆକଳନ କରୁଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ଇଣ୍ଡିଆ ସିମେଣ୍ଟ ଲିମିଟେଡର ମୁଖ୍ୟ କାର୍ଯ୍ୟାଳୟ ଥିବା ବେଳେ ରାଶି ଗୋଲ୍ଡ ସିମେଣ୍ଟ ନାଁରେ ଏକ ସିମେଣ୍ଟ ଏହି କମ୍ପାନି ପ୍ରସ୍ତୁତ କରୁଥିଲା । ଏହି ସିମେଣ୍ଟର କଟକ ଜଗତପୁରରେ ଏକ ଗୋଦାମ ରହିଛି । ପବିତ୍ର ବାରିକ ଖୁସି ଏଣ୍ଟରପ୍ରାଇଜର୍ସ ନାଁରେ ଏହି ଗୋଦାମ ଚଳାଉଛି । ତେବେ ଏହି ଗୋଦାମରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ସିମେଣ୍ଟକୁ କମ୍ପାନିରୁ ୫୫ ଟଙ୍କାରେ କିଣି ସେ କଟକ ଜିଲ୍ଲାରେ ୨୧୦ ଟଙ୍କାରେ ବିକ୍ରି କରୁଥିଲା । ସତୀଚଉରା ଛକରେ ଏକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରି ଖୋଲିଥିବା ଅଜୁକୁ ଏକ ଟ୍ରକରେସେ ଏହି ସିମେଣ୍ଟ ବିକ୍ରି ପାଇଁ ପଠାଇଥିଲା । ଅଜୁ ଉକ୍ତ ନଷ୍ଟ ହୋଇଥିବା ସିମେଣ୍ଟରେ କୂଅ ନନ୍ଦ, ସ୍କାଏ ଲାଇଟ୍, କବାଟ ବନ୍ଧ, ଝରକା ବନ୍ଧ, ପାଇଖାନା ଟାଙ୍କୀ ଇତ୍ୟାଦି ଦିଆରି କରିଆସୁଥିଲା । ନଷ୍ଟ ହୋଇଥିବା ସିମେଣ୍ଟରେ ପ୍ରସ୍ତୁତ ଏଭଳି ସାମଗ୍ରୀ କିଣୁଥିବା ଗ୍ରାହକ ଠକାମିରେ ପଡ଼ୁଥିଲେ । ମାସକ ଭିତରେ ଏଭଳି ସାମଗ୍ରୀ ଭାଙ୍ଗିଯାଉଥିଲା । ଏଭଳି ଠକେଇ କରୁଥିବା ପବିତ୍ର ଓ ଅଜୁଙ୍କୁ ଧରିବାକୁ ମର୍କତନଗର ଥାନା ପୁଲିସ ଜାଲ ବିଛାଇଥିଲା । ଶନିବାର ସନ୍ଧ୍ୟାରେ ପବିତ୍ର ଏକ ଟ୍ରକ(ଓଆର୍‌- ୦୫ବି-୫୦୮୧)ରେ ସତୀଚଉରା ଛକରେ ଥିବା ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ସିମେଣ୍ଟ ପଠାଇ ଅନଲୋଡ୍ କରୁଥିଲା । ଏହି ସମୟରେ ମର୍କତନଗର ଥାନା ଆଇଆଇସି ବ୍ୟୁଟି ମହାନ୍ତିଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଚଢ଼ଉ କରି ସିମେଣ୍ଟ ଗାଡ଼ି ଜବତ କରିବା ସହିତ ଦୁଇ ଜଣଙ୍କୁ ଗିରଫ କରିଥିଲା । ଏଭଳି ନଷ୍ଟ ସିମେଣ୍ଟ ଜଗତପୁରରୁ କଟକ ସହରର ଏକାଧିକ ସିମେଣ୍ଟ ଟାଇଲ୍ସ ଫ୍ୟାକ୍ଟ୍ରିକୁ ଚୋରା ଚାଲାଣ ହେଉଥିବା ମର୍କତନଗର ଥାନା ପୁଲିସ ଉଭୟଙ୍କୁ ପଚରାଉଚରାରୁ ସୂଚନା ପାଇଛି । ସେମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଠାବ କରାଯିବା ନେଇ ଥାନା ଆଇଆଇସି ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *