ପଞ୍ଚାୟତ ନିର୍ବାଚନ ଫଳାଫଳ ପରେ ବୟାନ ଯୁଦ୍ଧ

ଭୁବନେଶ୍ବର : ଲଗାତାର ଦ୍ବିତୀୟ ଦିନର ଗଣତିରେ ବିଜେଡିର ଜୟଯାତ୍ରା ଜାରି ରହିଛି । ବିରୋଧୀ ବିଜେପି ଓ କଂଗ୍ରେସକୁ ବହୁ ପଛରେ ପକାଇ ବିଜେଡି ଆଶାତୀତ ଭାବେ ସଫଳତା ପାଇଚାଲିଛି । ଏହି ଫଳାଫଳକୁ ନେଇ ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧୀ । ଏହା ଜନାଦେଶ ନୁହେଁ, ଧନାଦେଶ ବୋଲି ଆକ୍ଷେପ କରିଛନ୍ତି ବିଜେପିର ବରିଷ୍ଠ ନେତା ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ । ଜବାବ ଦେଇ ବିଜେଡିର ବରିଷ୍ଠ ବିଧାୟକ ପ୍ରତାପ ଦେବ କହିଛନ୍ତି ଯେ ବିରୋଧୀଙ୍କ ଏଜେଣ୍ଡାରେ ସାଧାରଣ ଲୋକଙ୍କର ସ୍ବାର୍ଥ ନାହିଁ ।

ରବିବାର ଦିନ ଗଣମାଧ୍ୟମକୁ ବିଜେପି ସାଂସଦ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ଯେ ଜନାଦେଶକୁ ଆମେ ସମ୍ମାନ କରୁଛୁ, ଯେଉଁଥିରେ ଟ୍ରେଣ୍ଡ ବିଜେଡି ସପକ୍ଷରେ ଯାଉଛି । ଯଦିଓ ଆମର ପ୍ରଦର୍ଶନ ସେତେଟା ଉତ୍ସାହଜନକ ନୁହେଁ, ହେଲେ ସାରା ପ୍ରକ୍ରିୟାକୁ ଅନୁଧ୍ୟାନ କଲେ ଏହା ଗଣତନ୍ତ୍ରର ଉପହାସ କରିବା ଭଳି ଲାଗୁଛି । ପଞ୍ଚାୟତ ନିର୍ବାଚନରେ ଶାସକ ଦଳ ନିଜ କ୍ଷମତାର ଅପବ୍ୟବହାର କରିଛି । ଯାହାର ଫଳାଫଳ ସମସ୍ତଙ୍କ ଆଗରେ । ବାସ୍ତବରେ ଏହା ଜନାଦେଶ ନୁହେଁ, ଧନାଦେଶ । ଚଳିତ ପଞ୍ଚାୟତ ନିର୍ବାଚନରେ ଦଳର କିଛି ତ୍ରୁଟି ବିଚ୍ୟୁତି ଯୋଗୁଁ ଏପରି ଖରାପ ପ୍ରଦର୍ଶନ ହୋଇଛି । ଦେଶର ବିଭିନ୍ନ ରାଜ୍ୟରେ ନିର୍ବାଚନ ଥିଲା । ସେଥିପାଇଁ ଦଳ ପଞ୍ଚାୟତ ନିର୍ବାଚନ ଉପରେ ଗୁରୁତ୍ୱ ଦେଇପାରିଲାନି । ଏହାଛଡା ଗତଥର ଜିତିଥିବା ବିଜେପି ଜିଲ୍ଲା ପରିଷଦ ସଭ୍ୟଙ୍କୁ ପଞ୍ଚାୟତ ସ୍ତରରେ କାମ କରିବାକୁ ସୁଯୋଗ ଦିଆଗଲାନି । ଯାହା ଫଳରେ ବିଜେପିର ପ୍ରଦର୍ଶନ ସେତେଟା ଭଲ ହୋଇପାରିଲାନି । ଆଗକୁ ଏସବୁ ତ୍ରୁଟିକୁ ଦଳ ନିଶ୍ଚୟ ସୁଧାରିବ । ତେବେ ପଞ୍ଚାୟତ ନିର୍ବାଚନ ବିଜେପିର ଭବିଷ୍ୟତ ନିର୍ଣ୍ଣାୟକ ନୁହେଁ । ପଞ୍ଚାୟତ ନିର୍ବାଚନରେ ପରାଜୟର ଅର୍ଥ ନୁହେଁ ମୋଦୀଙ୍କ କ୍ରେଜ୍ କମିଗଲା । କୌଣସି ରାଜ୍ୟର ପଞ୍ଚାୟତ ନିର୍ବାଚନରେ ମୋଦୀ ମୁଣ୍ଡ ଖେଳାନ୍ତି ନାହିଁ । ବିଜେଡି ସହ ଲଢେଇ ପାଇଁ ଦିଲ୍ଲୀରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ବିଜେଡି ଆମର ରାଜନୈତିକ ଶତ୍ରୁ । ତେଣୁ ଓଡ଼ିଶାରେ କ୍ଷମତା ଦଖଲ ପାଇଁ ଆଗାମୀ ଦିନରେ ବିଜେପି ସବୁ ପ୍ରକାର ଚେଷ୍ଟା କରିବ । ସତ୍ୟର ପ୍ରଚାର କରି ଆମେ ବିଜେଡିକୁ ଧରାଶାୟୀ କରିବୁ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି ।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି ବିଧାୟକ ଶ୍ରୀ ଦେବ ଗଣମାଧ୍ୟମକୁ କହିଛନ୍ତି, ବିରୋଧୀ କ’ଣ ସତରେ ବିରୋଧୀଙ୍କ ଭୂମିକା ନିର୍ବାହ କରୁଛନ୍ତି । କାହିଁକି ବିରୋଧୀ ଦଳକୁ ଲୋକେ ଗ୍ରହଣ କରୁନାହାନ୍ତି । ବିରୋଧୀଙ୍କ ଏଜେଣ୍ଡା ହିଁ ପଞ୍ଚାୟତ ନିର୍ବାଚନରେ ବଡ ଭୂମିକା ନେଇଥାଏ । କିନ୍ତୁ ବିରୋଧୀଙ୍କ ଏଜେଣ୍ଡା ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ନହୋଇ ନିଜ ରାଜନୈତିକ ଫାଇଦା ପାଇଁ ହେଲେ କ’ଣ ହେବ ? ଜନସାଧାରଣ ଭୋଟ ଦେଇ ସରକାର ବାଛନ୍ତି । ସରକାର ତାଙ୍କ କାମ କରୁଛନ୍ତି କିନ୍ତୁ ବିରୋଧୀ ଦଳର କାମ ହେଉଛି ସରକାରଙ୍କ ଦୋଷ ଦୁର୍ବଳତାକୁ ପଦାକୁ ଆଣିବା । ତାହା ଠିକ୍ ଢଙ୍ଗରେ କରିବାରେ ବିଫଳ ହେଉଛନ୍ତି କି ବିରୋଧୀ ଦଳ ? ନିଜ କାମ ନ କରି କେବଳ ସ୍ଲୋଗାନ ଭିତରେ ସୀମିତ ରହିଲେ ଏହାର ଜବାବ ଜନମତରେ ଦେଇଥାନ୍ତି ଜନତା । ଠିକ୍ ଯେମିତି ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ଯେଉଁଠି ପ୍ରତିଶ୍ରୁତି ପାଳନ ହୁଏ ନାହିଁ ସେଠାରେ ଲୋକେ ପ୍ରତ୍ୟାଖାନ କରନ୍ତି । ପ୍ରତିଶ୍ରୁତି ପାଳନ କଲେ ଲୋକେ ପୁଣିଥରେ ସୁଯୋଗ ଦିଅନ୍ତି । ସେକଥା ବିଜେପି ଭଲଭାବେ ଜାଣିବା ଦରକାର। ନଚେତ ପଶ୍ଚିମ ଓଡ଼ିଶାରେ ବିଜେପିର ଏମିତି ଅବସ୍ଥା ହୋଇନଥାନ୍ତା । ଗତ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ପଶ୍ଚିମ ଓଡ଼ିଶାରେ ଭରସି ଥିଲେ ଜନତା । ଏପରିକି ୨୦୧୯ ନିର୍ବାଚନରେ ମଧ୍ୟ ୫ ସାଂସଦଙ୍କୁ ନିର୍ବାଚିତ କରି ପଠାଇଥିଲେ । କିନ୍ତୁ ପ୍ରତିବଦଳରେ ପଶ୍ଚିମ ଓଡ଼ିଶାବାସୀଙ୍କ କେତୋଟି ପ୍ରସଙ୍ଗ ଦିଲ୍ଲୀ ଦରବାରରେ ଉଠାଇଲେ ବିଜେପି ସାଂସଦ । ଜାତୀୟ ଦଳ କିମ୍ବା ଆଞ୍ଚଳିକ ଦଳର ପ୍ରସଙ୍ଗ ନୁହେଁ ବରଂ ଜିତିବା ପରେ ଜନପ୍ରତିନିଧି ଲୋକଙ୍କ ପାଇଁ କାମ କରୁଛନ୍ତି କି ନାହିଁ ତାହାର ହିସାବ ନିକାଶ କରୁଛନ୍ତି ଜନତା । ଆଉ ଏହାର ଜବାବ ଭୋଟ୍‌ରେ ଦେଉଛନ୍ତି ।

Leave a Reply

Your email address will not be published. Required fields are marked *