ବେଗୁନିଆ : ବାଘମାରୀ ଥାନା ସିମୋର ପଂଚାୟତ ଅନ୍ତର୍ଗତ ଗଂପୁର ଗ୍ରାମରେ ନିର୍ବାଚନ ଘଟଣାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଦୁଇ ଜଣ ଆହତ ହୋଇଛନ୍ତି । ରାତିରେ ଉଭୟ ପକ୍ଷରୁ ଦୁଇଟି ଭିନ୍ନ ଭିନ୍ନ ମାମଲା ବାଘମାରୀ ଥାନାରେ ରୁଜୁ ହେବା ପରେ ବାଘମାରୀ ପୁଲିସ ୪ ଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ କରୁଛି ।
ସମ୍ପୃକ୍ତ ଗ୍ରାମର ଦୁଇ ଭାଇ ରମେଶ ସଠୀ ଏବଂ ଗଣେଶ ସଠୀଙ୍କୁ ଗତକାଲି ରାତି ୯ଟା ରେ ସେହି ଗ୍ରାମର ବାପ ପୁଅ ସରୋଜ ସେଠୀ ଏବଂ ଶରତ ସେଠୀ ଏକ କାଠ ଫାଳିଆରେ ଆକ୍ରମଣ କରିବା ଯୋଗୁଁ ରମେଶଙ୍କର ମୁଣ୍ଡ ଫାଟିଯାଇଛି ଏବଂ ଗଣେଶଙ୍କ କାନ ମଧ୍ୟ ଛିଣ୍ଡିଯାଇଛି । ଅନ୍ୟପକ୍ଷରେ ଦୁଇ ଭାଇ ବାପା ପୁଅଙ୍କୁ ମଧ୍ୟ ମାଡ ମାରିଥିବାର ଅଭିଯୋଗ ହୋଇଛି । ଏମାନେ ଖୋର୍ଦ୍ଧା ଡାକ୍ତରଖାନାରେ ଚିକିତ୍ସିତ ହୋଇ ଫେରିବା ପରେ ରାତିରେ ରମେଶ ସେଠୀ ଏବଂ ସରୋଜ ସେଠୀ ଦୁଇଟି ପୃଥକ ମାମଲା ରୁଜୁ କରିଛନ୍ତି । ବାଘମାରୀ ଥାନା ଅଧିକାରିଣୀ ଅର୍ଚ୍ଚନା ମଲ୍ଲିକଙ୍କ ନିର୍ଦ୍ଦେଶରେ ଏସଆଇ ବ୍ରହ୍ମାନନ୍ଦ ସ୍ୱାଇଁ ଦୁଇଟି ମାମଲା ରୁଜୁ କରି ସମ୍ପୃକ୍ତ ୪ ଜଣଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ କରୁଛନ୍ତି ।
