ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ମତଦାନ ୨୨ ତାରିଖରେ ଶେଷ ହୋଇଛି । ଏହି ବ୍ଲକର ତିନୋଟି ଜୋନର ପ୍ରାର୍ଥୀମାନଙ୍କର ଭାଗ୍ୟ ଭୋଟ ବାକ୍ସ ଭିତରେ ବନ୍ଦ ହୋଇ ବ୍ଲକ ପରିସରରେ ଥିବା ସଭାଗୃହରେ ଥିବା ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟରେ ରଖାଯାଇଛି । ହେଲେ ପ୍ରଶାସନ ଉପରେ ଭରସା ରଖୁନଥିବା ପ୍ରାର୍ଥୀ ସମର୍ଥକମାନେ ଦିନରାତି ପହରା ଦେଉଛନ୍ତି । ପାଟଣା ବ୍ଲକର ତିନୋଟି ଜୋନ ୨୧,୨୨,୨୩ ନଂ ଜୋନର ପ୍ରାର୍ଥୀ ସମର୍ଥକମାନେ ବ୍ଲକ ପରିସର ମଧ୍ୟରେ ତମ୍ବୁ ମାରି ତମ୍ବୁ ତଳେ ରହି ଜଗି ରହିଥିବା ଦେଖିବାକୁ ମିଳୁଛି । ଏଣୁ ୨୬,୨୭ ଓ ୨୮ ତିନିଦିନ ଭୋଟ ଗଣତି ଥିବାବେଳେ, ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ସେହି ତମ୍ବୁ ତଳେ ପାଳି କରି ଭୋଟ ବାକ୍ସକୁ ଜଗି ରହିବେ ବୋଲି ତମ୍ବୁ ତଳେ ବସି ରହିଥିବା ପ୍ରାର୍ଥୀ ସମର୍ଥକମାନେ ସୂଚନା ଦେଇଛନ୍ତି ।
