ଟଙ୍କା ବାଣ୍ଟୁଥିବା ଅଭିଯୋଗରେ ବାହାର ଅଞ୍ଚଳର ଗାଡିକୁ ଅଟକ ରଖିଲା ବିଜେପି

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡ଼ା ବ୍ଲକ ଭଣ୍ଡାରିବିଲା, ଖିଲାରୀପାଟ ନୂଆଗାଁ ଓ ତେଣ୍ଡରା ଆଦି ଗ୍ରାମରେ ବଡବିଲ ଅଞ୍ଚଳରୁ ସାତ ଆଠଟି ୪ ଚକିଆ ଯାନରେ ଆସିଥିବା ଲୋକେ ଗ୍ରାମରେ ପଶି ଲୋକମାନଙ୍କୁ ଧମକ ଚମକ ଦେଇ ବିଜେଡିକୁ ଭୋଟ ଦେବାକୁ ପ୍ରବର୍ତ୍ତାଇବା ସହ ଟଙ୍କା ବାଣ୍ଟିଥିବା ଜିଲ୍ଲା ବିଜେପି ସଭାପତି ତଥା ୨୯ ନଂ ଜୋନର ବିଜେପି ପ୍ରାର୍ଥୀ ଅଂଶୁମାନ ସବୁଜ ମହାନ୍ତ ବର୍ମା ଅଭିଯୋଗ ଆଣିଛନ୍ତି । ଏହି ଅଭିଯୋଗ ଆଣିବା ସହ ତେଣ୍ଡରା ଗ୍ରାମରେ ତାଙ୍କ ସମର୍ଥକମାନେ ୪ଟି ଚାରିଚକିଆ ଯାନକୁ ଅଟକ ରଖି ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ ପୁଲିସ ସଂପୃକ୍ତ ୪ ଚକିଆ ଗାଡି ଜବତ କରିନଥିବା ସୂଚନା ଦେଇଛନ୍ତି ।

ଏନେଇ ପାଟଣା ଥାନାଧିକାରୀ ରାଜେନ୍ଦ୍ର ସ୍ୱାଇଁଙ୍କୁ ଯୋଗାଯୋଗ କରାଯିବାରୁ ସେ ବଡ଼ବିଲ ଏସଡିପିଓଙ୍କ ସହ ଘଟଣା ସ୍ଥଳକୁ ଯାଇଥିବା ସ୍ବୀକାର କରିବା ସହ ସେଠାରେ ବିଜେପି ଓ ବିଜେଡ଼ି ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ଥିଲା ଓ ଏହା ଉଗ୍ରରୂପ ନେବାରୁ ତାହାର ସମାଧାନ କରାଯାଇଥିବା ସୂଚନା ଦେବା ସହ ସଂପୃକ୍ତ ଗାଡ଼ିଗୁଡ଼ିକୁ ଛାଡ଼ି ଦିଆଯାଇଥିବା କହିଛନ୍ତି । ଏହା ବିରୋଧରେ ଭାଜପାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ ପତ୍ର ଦେଇଥିବା ଜଣାପଡିଛି । ତାଙ୍କ ଦଳକୁ ନ୍ୟାୟ ଦିଆଯାଇ ନଥିବା ଓ ପୁଲିସ ଶାସକ ଦଳ ସପକ୍ଷରେ କାର୍ଯ୍ୟ କରୁଥିବା ଅଭିଯୋଗ ଆଣି ଜିଲ୍ଲା ବିଜେପି ସଭାପତି ଶ୍ରୀ ମହାନ୍ତ ବର୍ମା ପାଟଣା ଥାନାରେ ଏତଲା ଦେବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *