ବଲାଙ୍ଗିର : ଆଦିବାସୀ ପରମ୍ପରା ତଥା ଦେବାଦେବୀ ପୂଜାର୍ଚ୍ଚନାରେ ବଳି ପ୍ରଥା କାହିଁ କେତେ କାଳରୁ ରହି ଆସିଛି ।ମାନସିକଧାରୀମାନେ ନିଜ ମାନସିକ ପୂରଣ ପାଇଁ ବୋଦା, ଛେଳି, ମେଣ୍ଢା, ପୋଢ, କୁକୁଡା ଆଦି ଶହ ଶହ ସଂଖ୍ୟାରେ ପଶୁପକ୍ଷୀ ବଳି ଦେଇଥାନ୍ତି । କିନ୍ତୁ ଜିଲାର ବଲାଙ୍ଗିର ସଦର ବ୍ଲକ ବରକାନୀ ପଞ୍ଚାୟତ ଅନ୍ତର୍ଗତ ପଣ୍ଡରାପିଟା ଗାଁରେ ଗୋଟିଏ କୁକୁରକୁ ବଳି ଦିଆଯାଇଥିବା ଓ ବଳି ପରେ ଉକ୍ତ କୁକୁରର ରକ୍ତକୁ ୫ ଜଣ ଶିଶୁ ପିଇ ଦେଇଥିବା ଜଣାପଡିଛି ।
ଘଟଣାରୁ ପ୍ରକାଶ ଯେ,ପଣ୍ଡରାପିଟା ଗାଁରେ ଗଲା ୧୯ ତାରିଖ ଦିନ ଗାଁର ଶୋଭନ୍ତ ସାଗରଙ୍କ ଦୁଇ ପୁଅ ଗଣେଶ ସାଗର (୫), ପ୍ରଭାସ ସାଗର (୭), ଏସ. ନାଗଙ୍କ ଦୁଇ ପୁଅ କ୍ରୀଷ୍ଣା ନାଗ (୮), ଆରନ୍ୟ ନାଗ(୬) ଓ କ୍ଷୀରୋଧର ସୁନାଙ୍କ ପୁଅ ଚିକୁ ସୁନା ଓରଫ ବଳରାମ (୫) ଗାଁ ମୁଣ୍ଡରେ ଖେଳିବାକୁ ଯାଇଥିଲେ । ସେଠାରେ ୫ ଜଣ ଶିଶୁ ଖେଳୁଥିବା ସମୟରେ ଦେବୀ ପୂଜା ଖେଳ କରିବାକୁ ଏକ ଯୋଜନା କରିଥିଲେ । ଯୋଜନା ଅନୁଯାୟୀ, ପାଖରେ ବୁଲୁଥିବା ଏକ କୁନି କୁକୁରକୁ ଧରି ନେଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ସଂଗ୍ରହ କରିଥିବା ଧୂପ କାଠି ଜଳେଇବା ସହ ସିନ୍ଦୁର କୁକୁର ମୁଣ୍ଡରେ ବୋଳିଥିଲେ । ପ୍ଲାଷ୍ଟିକ ଡବାକୁ ବାଜା ଭାବରେ ବ୍ୟବହାର କରିଥିବା ବେଳେ ସେଥି ମଧ୍ୟରୁ ଜଣେ ବାଜା ବଜେଇଥିଲେ । କୁନି ଶିଶୁ ଜଣକ ପୂଜକ ସାଜିଥିବା ବେଳେ ଏଥିରେ ବରୁଆ ଭୂମିକା ନିର୍ବାହ କରିଥିଲେ ଆଉ ଜଣେ ଶିଶୁ ।
ବେଶ କିଛି ସମୟ ଧରି ଚାଲିଥିଲା ଶିଶୁଙ୍କ ଦ୍ୱାରା ଆୟୋଜିତ ବଳିଯାତ୍ରା । ଏହା ପରେ ଏକ ଧାରୁଆ ଅସ୍ତ୍ରରେ ଜୀବନ୍ତ କୁକୁରକୁ ବଳି ଦେଇଥିଲେ । ଆଉ ପିଇ ଯାଇଥିଲେ କୁକୁର ରକ୍ତ । ଖେଳି ସାରି ଆସିବା ପରେ ଅସୁସ୍ଥ ହୋଇଥିଲେ ୫ ଶିଶୁ । ଏହା ପରେ ଶିଶୁଙ୍କ ପରିବାର ଲୋକେ ସଙ୍ଗେ ସଙ୍ଗେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ପରିବାର ଲୋକ ଓ ଶିଶୁଙ୍କ ଠାରୁ ଡାକ୍ତର କୁକୁର ରକ୍ତ ପିଇ ଦେଇଥିବା କଥା ଶୁଣିବା ପରେ ହୋସ୍ ଉଡି ଯାଇଥିଲା । ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ଚିକିତ୍ସା ଆରମ୍ଭ କରିଦେଇଥିଲେ । ସପ୍ତାହବ୍ୟାପୀ ଚିକିତ୍ସା କରାଯିବ ବୋଲି ଚିକିତ୍ସା କରୁଥିବା ଡାକ୍ତର କହିଥିବା ବେଳେ ଏବେ ପିଲାଙ୍କୁ ନେଇ ଚିନ୍ତାରେ ପରିବାର । ଏହି ଘଟଣା ଗାଁରେ ବିଜୁଳି ବେଗରେ ପ୍ରଚାର ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହା ଆଲୋଚନାର ବିଷୟ ହୋଇଛି । ଶିଶୁମାନଙ୍କ ଅଭିଭାବକଙ୍କ କହିବା ଅନୁସାରେ, ଗଲା ୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସ୍କୁଲ ବନ୍ଦ ରହିଛି ।
ପିଲାମାନେ ପାଠ ପଢିବା ବଦଳରେ ଦିନସାରା ବାହାରେ ବୁଲୁଛନ୍ତି । ଆମେ ଗରିବ ଲୋକ ହୋଇଥିବା ବେଳେ ଦିନ ମଜୁରିଆ । କାମ ନକଲେ ପରିବାରରେ ଚୁଳି ଜଳେନି । କାମ କରିବାକୁ ଯାଉଥିବାରୁ ପିଲାଙ୍କୁ ଦେଖିବା ପାଇଁ ଘରେ ଲୋକ ନାହିଁ । ଆମେ କରିବୁ କ’ଣ ? ବାଧ୍ୟ ହୋଇ ପଡୋଶୀ କିମ୍ବା ପଡା ଲୋକଙ୍କ ଭରଷାରେ ଛାଡି ଯାଉଛୁ । ଘରେ ଦୀର୍ଘ ସମୟ ଧରି ପିଲାଙ୍କୁ ରଖି ହେଉନାହିଁ । ପିଲାଙ୍କ ଏଭଳି କାରନାମା ଦେଖିଲା ପରେ ଚିନ୍ତାର ବିଷୟ ହୋଇଛି ବୋଲି ଅଭିଭାବକ/ଅଭିଭାବିକାମାନେ କହିଛନ୍ତି । ଅନ୍ୟପକ୍ଷରେ ସ୍ଥାନୀୟ ପଡାର ଲୋକଙ୍କ କହିବା ଅନୁସାରେ, ପ୍ରତ୍ୟେକ ବର୍ଷ ଦଶହରାରେ ଗାଁରେ ପାଟଖଣ୍ଡା ଯାତ୍ରା ଆୟୋଜନ କରାଯାଇଥାଏ । ଆବାଳ ବୁଦ୍ଧ ବନିତା ସମସ୍ତେ ଯାତ୍ରା ଦେଖିବାକୁ ଯାଇଥାନ୍ତି । ସେଠାରେ ପଡୁଥିବା ବଳିକୁ ଉକ୍ତ ଶିଶୁମାନେ ମଧ୍ୟ ଦେଖି ଆସୁଛନ୍ତି । ତେଣୁ ସେହି ପ୍ରଭାବ କୁନି ଶିଶୁମାନଙ୍କ ଉପରେ ପଡିଛି । ଯେଉଁଥି ପାଇଁ ଏତେ କମ ବୟସରେ ଏଭଳି ଏକ ସାଂଘାତିକ କାର୍ଯ୍ୟ କରିବାକୁ ୫ ଜଣ ଶିଶୁ ସାହାସ ଜୁଟାଇଲେ ବୋଲି ମତପ୍ରକାଶ ପାଇଛି ।
