ଗାଁ ଗାଁ ରେ ଚାଲିଛି ନୋଟ୍ ବଣ୍ଟା ପର୍ବ, ଟଙ୍କା ଦେଇ ଭୋଟ ମାଗୁଛନ୍ତି ପ୍ରାର୍ଥୀମାନେ

ଲକ୍ଷ୍ମୀପୁର : ତୃତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର ଶେଷ ହୋଇଥିବା ବେଳେ ଶୁକ୍ରବାର ଠାରୁ ଟଙ୍କା ବଣ୍ଟା ଆରମ୍ଭ ହୋଇଛି । ସେହିପରି ସାହି ସାହିରେ ଭୋଜି ଭାତ ହେଉଥିବା ଜଣାପଡ଼ିଛି । ବିଭିନ୍ନ ପ୍ରାର୍ଥୀମାନେ ଘରକୁ ଘର ବୁଲି ନୋଟ୍ ଦେଇ ଭୋଟ ମାଗୁଛନ୍ତି । ଏପରିକି ଅନେକ ସାହିକୁ ସାହିରେ ଭୋଜି ଭାତ ନିମନ୍ତେ ଟଙ୍କା ବଣ୍ଟାଯାଉଛି । ଅବଶ୍ୟ ସ୍ବାଭିମାନୀ ଭୋଟରଙ୍କୁ ପ୍ରାର୍ଥୀମାନେ ଟଙ୍କା ବାଣ୍ଟିବାକୁ ସକ୍ଷମ ହୋଇପାରୁନାହାନ୍ତି, ତେବେ ଅନେକ ଶିକ୍ଷତ ଓ ଥିଲାବାଲାମାନେ ମଧ୍ୟ ଟଙ୍କା ନେଉଥିବା ପରିଲକ୍ଷିତ ହେଉଛି । ଏଥି ମଧ୍ୟରେ ବିଭିନ୍ନ ବର୍ଗର ଭୋଟର ଅଛନ୍ତି, କେଉଁ ମାନେ ନିର୍ଦ୍ଧିଷ୍ଟ ପ୍ରାର୍ଥୀମାନଙ୍କ ଠାରୁ ସେମାନଙ୍କୁ ଭୋଟ ଦେବା ପାଇଁ ପ୍ରତିଶ୍ରୁତି ଦେଇ ଟଙ୍କା ନେଉଥିବା ବେଳେ ଆଉ କିଛି ଭୋଟର ଅଛନ୍ତି ଯେଉଁମାନେ ସମସ୍ତଙ୍କ ଠାରୁ ପଇସା ନେଇ ସେମାନଙ୍କ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ଚକରରେ ଅଛନ୍ତି । ସେହିପରି ଅନ୍ୟ ଏକ ବର୍ଗର ଭୋଟର ଅଛନ୍ତି, ସେମାନେ କାହା ଠାରୁ ଟଙ୍କା ନିଅନ୍ତି ନାହିଁ କିମ୍ବା ସେମାନଙ୍କୁ ଟଙ୍କା ଦେଇ କୌଣସି ପ୍ରାର୍ଥୀମାନେ ପ୍ରଲୋଭିତ କରିବାକୁ ସାହାସ କରନ୍ତି ନାହିଁ, ଏମାନଙ୍କ ସଂଖ୍ୟା ବର୍ତ୍ତମାନ ନଗଣ୍ୟ । ତେବେ ମୋଟାମୋଟି ଭାବେ ବର୍ତ୍ତମାନ ନୋଟ୍ ବାଣ୍ଟି ଭୋଜି ଭାତ ପାଇଁ ପଇସା ଦେଇ ଭୋଟରଙ୍କୁ କିଣି ନିର୍ବାଚନ ବୈତରଣୀ ପାର ହେବାକୁ ପ୍ରାଣପଣେ ଚେଷ୍ଟା ଚଳାଇଛନ୍ତି ।

Leave a Reply

Your email address will not be published. Required fields are marked *