ବିଜୁଳି ଆଲୁଅ ସାତ ସପନ

ଉଦଳା ଗ୍ରାମବାସୀଙ୍କ ବାରମ୍ବାର ଦାବି ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଗାଁକୁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଶେଷରେ ଏହାକୁ ନେଇ ତାତିଛନ୍ତି ଗ୍ରାମବାସୀ । ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବିରେ ଗ୍ରାମବାସୀ ଶେଷରେ ରାସ୍ତା ଅବରୋଧ କରିଛନ୍ତି ।

ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ସାଗରସାହି ଗ୍ରାମବାସୀ ବାରମ୍ବାର ଗ୍ରାମକୁ ବିଦ୍ୟୁତ ସଂଯୋଗ ଦାବି କରି ଆସିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନାହିଁ । ଆଜି ସାଗରସାହି ଗ୍ରାମବାସୀ କପ୍ତିପଦା-ଠାକୁରମୁଣ୍ଡା ରାସ୍ତା ଅବରୋଧ କରିଛନ୍ତି । ଗ୍ରାମବାସୀଙ୍କ ପାଇଁ ଆଜି ବି ବିଜୁଳି ଆଲୁଅ ସାତ ସପନ ପାଲଟିଥିବା ବେଳେ ଗ୍ରାମବାସୀ ନିଜ ଜିଦିରେ ଅଡ଼ି ବସିଛନ୍ତି । ଯାହାକୁ ନେଇ କପ୍ତିପଦା-ଠାକୁରମୁଣ୍ଡା, କରଞ୍ଜିଆ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିଲେ ସୁଦ୍ଧା ସୁଫଳ ମିଳିପାରିନାହିଁ । ତେବେ ଏହି ଗ୍ରାମକୁ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସଂଯୋଗ ହୋଇ ନଥିବା ବେଳେ ଖୁଣ୍ଟ, ବିଦ୍ୟୁତ ମିଟର ଏବଂ ବିଦ୍ୟୁତ ସାମଗ୍ରୀ ଗ୍ରାମବାସୀଙ୍କ ଘରେ ଲାଗିଛି । ହେଲେ ବିଜୁଳି ସଂଯୋଗ ହୋଇନାହିଁ । ଅନ୍ୟପଟେ ହିତାଧିକାରୀଙ୍କ ନାମରେ ଆସୁଛି ମୋଟା ଅଙ୍କର ବିଜୁଳି ବିଲ୍ । ଖବର ଲେଖା ହେବା ସୁଦ୍ଧା ରାସ୍ତା ଅବରୋଧ ଜାରି ରହିଥିଲା ।

Leave a Reply

Your email address will not be published. Required fields are marked *