ପାଟଣା : ୨୦ ନଂ ଜାତୀୟ ରାଜପଥ ଅନ୍ତର୍ଗତ ଘଟଗାଁ ବ୍ଲକର ଢେଙ୍କିକୋଟ ଗ୍ରାମ ଜିଲ୍ଲାର ଏକ ଜଣାଶୁଣା ଗ୍ରାମ । ଏହା ଏକ ବାଣିଜ୍ୟିକ ପେଣ୍ଠସ୍ଥଳୀ । ଏଠାରୁ ଟାଟା ସହ ୨୨୦ ନଂ ଜାତୀୟ ରାଜପଥ ହେଇ ଆନ୍ତରାଜ୍ୟ ଯୋଗାଯୋଗ ମଧ୍ୟ ରହିଛି । ଏପରି ସ୍ଥିତିରେ ଢେଙ୍କିକୋଟବାସୀଙ୍କୁ ପାନୀୟ ଜଳ ସୁବିଧା ବା ପାଇପ ପାଣି ଯୋଗାଇ ଦେବା ପାଇଁ ୨୦୦୬ରେ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ସମ୍ପୂର୍ଣ୍ଣ ନିଜସ୍ୱ ବ୍ୟୟରେ ଉଚ୍ଚ ବିଦ୍ୟାଳୟ ପଛପଟେ ବୋରିଂ ସହ ଓଭରହେଡ ପାଣିଟାଙ୍କି ସ୍ଥାପନ କରିଥିଲା ଏବଂ ଏହାପରେ କିଛି ବର୍ଷ ହେଲା ଢେଙ୍କିକୋଟ ବଜାର ମଧ୍ୟଭାଗ ସତ୍ୟନାରାୟଣ ମଣ୍ଡପ ନିକଟରେ କେନ୍ଦ୍ରୀୟ ଭୂତଳ ଜଳ ନିଗମ ଦ୍ୱାରା ୨ଟି ବୃହତ ବୋରିଂ ଏବଂ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ୱାରା ବସୁଧା ଯୋଜନାରେ ଏକ ଓଭର ହେଡ ପାଣିଟାଙ୍କି ମଧ୍ୟ ସ୍ଥାପନ କରାଯାଇଥିଲା ।
୨୦୦୬ ରୁ ଏହି ଅବଧିରେ ୨୦ ନଂ ଜାତୀୟ ରାଜପଥ ଓ ୨୨୦ ନଂ ଜାତୀୟ ରାଜପଥ ସଂପ୍ରାସାରଣ ପାଇଁ ପୁରୁଣା ପାଇପ ଲାଇନ କ୍ଷତିଗ୍ରସ୍ତ ହେବା ଘଟଣାରେ ଠିକା ସଂସ୍ଥାର ଅର୍ଥ ଦ୍ୱାରା ଉଭୟ ରାସ୍ତା ମଧ୍ୟରେ ଥିବା ପାଇପ ଲାଇନ ପୁନଃ ନିର୍ମାଣ ଆଦି ବ୍ୟୟକୁ ହିସାବକୁ ନିଆଗଲେ ଢେଙ୍କିକୋଟ ବାସୀଙ୍କୁ ପିଇବା ନଳ ପାଣି ଯୋଗାଇ ଦେବାକୁ ଅନ୍ୟୁନ ପାଖାପାଖି ୫ କୋଟି ଟଙ୍କା ଖର୍ଚ୍ଚ କରାଯାଇସାରିଲାଣି । ଏପରି ସ୍ଥିତିରେ ମାତ୍ର ୪ ହଜାର ପାଖ ପାଖି ଜନସଂଖ୍ୟା ବିଶିଷ୍ଟ ଢେଙ୍କିକୋଟ ବାସୀ ପିଇବା ପାଣି ପାଇଁ ସପ୍ତାହେ ହେଲା ହନ୍ତସନ୍ତ ହେଉଛନ୍ତି । କେତେବେଳେ ପାଣି ଆସୁଛି କେତେବେଳେ ଆସୁନାହିଁ ତାହା ଲୋକେ ଜାଣିପାରୁ ନାହାନ୍ତି । ଅଧିକାଂଶ ଧନୀକ ଶ୍ରେଣୀ ଲୋକଙ୍କର ନିଜର ନିଜର ବୋରିଂ ଥିବାରୁ ସେମାନେ ଚଳି ଯାଉଥିବା ବେଳେ ପଞ୍ଚାୟତ ନଳ ପାଣି ଉପରେ ନିର୍ଭରଶୀଳ ଗ୍ରାମବାସୀ ସପ୍ତାହେ ହେଲା ପିଇବା ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି ।
ଖବର ନେବାରୁ ଜଣାଯାଇଛି ଯେ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଏଠାରେ ସୋଲାର ଶକ୍ତି ଯୋଗେ ଓଭର ହେଡ ଟାଙ୍କିକୁ ପାଣି ଉଠାଇବା ବ୍ୟବସ୍ଥା କରିଥିବା ବେଳେ ସୋଲାର ମାଧ୍ୟମ କାମ ନକରିବାରୁ ପଞ୍ଚାୟତ ପକ୍ଷରୁ ଅସ୍ଥାୟୀ ଅନୁମତି ନେଇ ଏଠାରେ ବିଦ୍ୟୁତ ଯୋଗେ ମୋଟର ଚଳାଇ ଗ୍ରାମବାସୀଙ୍କୁ ପିଇବା ପାଣି ଯୋଗାଇ ଆସୁଥିଲେ । ଅସ୍ଥାୟୀ ଅନୁମତିକୁ ସ୍ଥାୟୀ କରିବା ପାଇଁ ଟାଟା ପାୱାର ପଞ୍ଚାୟତକୁ ନିର୍ଦ୍ଧାରିତ ଆବେଦନ ପତ୍ର ସହ ଅର୍ଥ ପଇଠ ପାଇଁ କହି ଏଠାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିଦେବା ଫଳରେ ସପ୍ତାହେ ହେଲା ଢେଙ୍କିକୋଟ ବାସୀଙ୍କୁ ପାଣି ପାଇବା ସ୍ୱପ୍ନ ହୋଇପଡିଛି । ପଞ୍ଚାୟତ ପକ୍ଷରୁ ଏ ସମ୍ପର୍କରେ ଗ୍ରାମ୍ୟ ଜଳଯୋଗାଣ ବିଭାଗକୁ ସୂଚନା ମଧ୍ୟ ଦିଆଯାଇଛି । ଏନେଇ ଘଟଗାଁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ନାରାୟଣ ସାହୁଙ୍କୁ ମଧ୍ୟ ଯୋଗାଯୋଗ କରିଥିଲୁ । ବିଡିଓ ଶ୍ରୀ ସାହୁ ଢେଙ୍କିକୋଟରେ ଜଳ ଯୋଗାଣ ବ୍ୟବସ୍ଥାରେ ସାଙ୍ଘାତିକ ଅବ୍ୟବସ୍ଥା ଥିବା ତାଙ୍କ ଅନୁସନ୍ଧାନରୁ ଜାଣିଥିବା ପ୍ରକାଶ କରିବା ସହ ପଞ୍ଚାୟତ ପାଇପ ଲାଇନରୁ ଚୋରା ସଂଯୋଗ ନେଇଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପ୍ରଥମ ପ୍ରାଥମିକତା ବୋଲି ମତ ଦେଇଛନ୍ତି । ସେହିପରି ଓଭରହେଡ ପାଣିଟାଙ୍କିକୁ ବିଦ୍ୟୁତ ମୋଟରରେ ପାଣି ଉଠାଇବା ପାଇଁ ଆବଶ୍ୟକ ଅର୍ଥ ଜିଲ୍ଲା ଗ୍ରାମ ଉନ୍ନୟନ ସଂସ୍ଥା ଦେବା ପର୍ଯ୍ୟନ୍ତ ଏଭଳି ଅବ୍ୟବସ୍ଥା ଲାଗି ରହିବ ବୋଲି ମତ ରଖିଥିବାରୁ ଢେଙ୍କିକୋଟ ବାସୀଙ୍କୁ କେବେ ନିୟମିତ ପିଇବା ପାଣି ମିଳିପାରିବ ସେ ସମୟକୁ ଅପେକ୍ଷା ରହିଛି ।
