ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ର ଆନ୍ଧ୍ରର, ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଭୂଲ୍ ତଥ୍ୟ

କୋରାପୁଟ : ମାଛକୁଣ୍ଡ ଜଳବିଦ୍ୟୁତ କେନ୍ଦ୍ର ଆନ୍ଧ୍ରର । ଛାତ୍ରଛାତ୍ରୀଙ୍କୁ ଦିଆଯାଉଛି ଭୂଲ୍ ତଥ୍ୟ । କିଛିଦିନ ତଳେ ଓଡ଼ିଶା ବିଧାନସଭାରେ ରାଜସ୍ୱ ବିପର୍ଜୟ ମନ୍ତ୍ରୀ ଦେଓମାଳି କାହାର ପ୍ରଶ୍ନର ଉତ୍ତର ଦେଇ ବିବାଦରେ ଛନ୍ଦି ହୋଇଥିବାବେଳେ ଆଜି କୋରାପୁଟର ଗର୍ବ ଆଉ ଗୌରବ, ଭାରତର ପ୍ରଥମ ରାଷ୍ଟ୍ରପତି ଡକ୍ଟର ରାଜେନ୍ଦ୍ର ପ୍ରସାଦଙ୍କ ଦ୍ଵାରା ପ୍ରତିଷ୍ଠିତ ତଥା ଓଡ଼ିଶା ଜଳ ବିଦ୍ୟୁତ ନିଗମ ଦ୍ଵାରା ପରିଚାଳିତ ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପ କେନ୍ଦ୍ରକୁ ଆନ୍ଧ୍ରର ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା ଦଶମ ଶ୍ରେଣୀ ଭୂଗୋଳ ବହିରେ ପ୍ରକାଶିତ କରାଯାଇ ଛାତ୍ରଛାତ୍ରୀଙ୍କୁ ଭୁଲ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ଦଶମ ଶ୍ରେଣୀ ନିମନ୍ତେ ଅନୁମୋଦିତ ଓ ପ୍ରକାଶିତ ଭୂଗୋଳ ଓ ଅର୍ଥନୀତି ପୁସ୍ତକର ପଞ୍ଚମ ଅଧ୍ୟାୟ, ବିଷୟ ସକ୍ତିସମ୍ଭଳ (୫୪ ରୁ ୬୧) ପୃଷ୍ଠା ନମ୍ବର ୬୯ ସାରଣୀ ୧୬ ଭାରତର ମୁଖ୍ୟ ଜଳ ବିଦ୍ୟୁତ ଶକ୍ତିକେନ୍ଦ୍ର ତାଲିକାରେ କ୍ରମାଙ୍କ ୧ ରେ ଆନ୍ଧ୍ରପ୍ରଦେଶର ଜଳ ବିଦ୍ୟୁତ କେନ୍ଦ୍ର ତାଲିକାରେ ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ଉଲ୍ଲେଖ ରହିଛି । ଯାହା ସାଧାରଣ ଜନତା, ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଛି । ଏଭଳି ଗୁରୁତର ତ୍ରୁଟି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶା, ଲେଖକ ମଣ୍ଡଳୀ, ପରିମାର୍ଜିତ ସଂସ୍କରଣର ଲେଖକ ମଣ୍ଡଳୀ, ମୁଦ୍ରକ ଜ୍ୟୋତି ପ୍ରୋସେସ ବିଡାନାସୀ କଟକ ଦ୍ଵାରା କେମିତି ହେଲା ବୋଲି ପ୍ରଶ୍ନ କରିଛନ୍ତି ।

ପୁସ୍ତକରେ ଥିବା ସୂଚନା ମୁତାବକ ଏହି ପୁସ୍ତକର ପ୍ରଥମ ସଂସ୍କରଣ ବର୍ଷ ୨୦୧୯ ରେ ୩ ଲକ୍ଷ ପୁସ୍ତକ, ବର୍ଷ ୨୦୨୦ ରେ ୫ ଲକ୍ଷ ୬୦ ହଜାର ପୁସ୍ତକ ଓ ବର୍ଷ ୨୦୨୧ରେ ୩ ଲକ୍ଷ ୫୦ ହଜାର ପୁସ୍ତକ ଛପା ଯାଇ ଛାତ୍ରଛାତ୍ରୀଙ୍କୁ ଦିଆଯାଇଥିବା ଉଲ୍ଲେଖ ରହିଛି । ଯାହା ଗତ ତିନି ବର୍ଷ ମଧ୍ୟରେ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ନିଶ୍ଚୟ ପ୍ରଭାବିତ କରିଥିବ ବୋଲି ଚର୍ଚ୍ଚା ହେଉଛି । ଏଥିପ୍ରତି ରାଜ୍ୟ ସରକାର, ରାଜ୍ୟ ଶିକ୍ଷା ବିଭାଗ, ମାଧ୍ୟମିକ ଶିକ୍ଷା ପରିଷଦ ଓଡ଼ିଶାର କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ସଂଶୋଧନ ବ୍ୟବସ୍ଥା କରନ୍ତୁ ବୋଲି କୋରାପୁଟ ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷାବିତ ଅନୁରୋଧ କରିଛନ୍ତି ।

Leave a Reply

Your email address will not be published. Required fields are marked *