ପାଇଖାନାରୁ ଝୁଲନ୍ତା ମୃତଦେହ ଉଦ୍ଧାର

ଢେଙ୍କାନାଳ : ମଦ୍ୟପାନ କରି ଅବାଟକୁ ଯାଇଥିବା ପୁଅକୁ ବାଟକୁ ଆଣିବା ପାଇଁ ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଦୁଇ ଦିନ ପରେ ନିଶା ମୁକ୍ତି ଥଇଥାନ କେନ୍ଦ୍ରରୁ ମିଳିଲା ପୁଅର ମୃତଦେହ । ଏପରି ସନ୍ଦେହଜନକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଜୋରନ୍ଦା ଫାଣ୍ଡି ଅନ୍ତର୍ଗତ ଆମ୍ବବାହାଳି ଗ୍ରାମର ନିଶା ମୁକ୍ତି ଓ ଥଇଥାନ କେନ୍ଦ୍ରରେ ।

ଏହି କେନ୍ଦ୍ରର ପାଇଖାନାରୁ ଜଣେ ଯୁବକଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗଁନ୍ଦିଆ ପୋଲିସ ଜବତ କରିଛି । ମୃତ ଯୁବକ ହେଲେ କାମାକ୍ଷାନଗର ଥାନା ଅନ୍ତର୍ଗତ ବୋଲୁଅ ଗ୍ରାମର ସଞ୍ଜୟ ରାଉତ । ସଞ୍ଜୟଙ୍କୁ ପରିବାର ଲୋକେ ଗତ ରବିବାର ମଦ୍ୟପାନ ଛଡାଇବା ପାଇଁ ଏହି ନିଶା ମୁକ୍ତି ଥଇଥାନ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ମଙ୍ଗଳବାର ସକାଳେ ତାଙ୍କର ମୃତ୍ୟୁ ଖବର ପାଇ ପରିବାର ଲୋକେ ପହ ମୃତଦେହ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ଏପରିକି ଗତ ରାତିରେ ସଞ୍ଜୟ ଏହି କେନ୍ଦ୍ରରେ ଭଙ୍ଗାରୁଜା ସହ ଉନ୍ମତକାଣ୍ଡ ଘଟାଇଥିବା ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା ।

ମାତ୍ର ମଙ୍ଗଳବାର ମୃତ ଯୁବକଙ୍କ ପାଇଖାନାରେ ଗୋଡ ତଳେ ଘୁଷୁଡିଥିବା ଅବସ୍ଥାରେ ବେକରେ ଗାମୁଛା ଲାଗି ମୃତଦେହ ବନ୍ଧା ହୋଇଥିବା ସନ୍ଦେହ ଘେରକୁ ଆସିଛି । ଯାହା ଫଳରେ ତାଙ୍କ ପୁଅକୁ ପିଟି ପିଟି ମାରିଦେଇଥିବା ଅଭିଯୋଗ ଉଠାଇଛନ୍ତି ପରିବାର ଲୋକେ । ଉକ୍ତ କେନ୍ଦ୍ରକୁ ଚେତନା ନାମଙ୍କ ସ୍ବେଚ୍ଛାସେବୀ ଅନୁଷ୍ଠାନ ପରିଚାଳନା କରୁଥିବା ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *