ଆନନ୍ଦପୁର : ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ୍ କେଶଦୁରାଳ ପଞ୍ଚାୟତର ଚାଷୀଙ୍କ ମୁଣ୍ଡରେ ପଡିଛି ଚଡକ । ଏକର ଏକର ଫସଲରେ ଚକଡା ପୋକ ଲାଗି ନଷ୍ଟ ହେଉଛି ଧାନ ଫସଲ । କୃଷି ବିଭାଗର ପରାମର୍ଶରେ କୀଟନାଷକ ଔଷଧ ପକାଇଲେ ମଧ୍ୟ କାମ କରୁନାହିଁ । ଯାହାକୁ ନେଇ ଚିନ୍ତାରେ ପଡିଛି ଚାଷୀ । ଚାଷୀ ଅପେକ୍ଷା କରିଛି ସରକାରୀ ସହାୟତାକୁ ।
ଖବର ଅନୁଯାୟୀ, ପାଚିଲା ଧାନ ସବୁ କ୍ଷେତରେ ଲହରି ମାରୁଥିଲା । ଆଉ ଦିନ କେଇଟା ପରେ ଅମଳ ହୋଇଥାନ୍ତା । ବିଡା ବିଡା ଧାନରେ ଚାଷୀର ଖଳା ପୁରି ଉଠିଥାନ୍ତା । ଅମଳ ଧାନରୁ ବର୍ଷକ ପାଇଁ ଦାନ ରଖିଥାନ୍ତା, ଆଉ ବାକି ସବୁକୁ ବିକ୍ରି କରି ଧାର କରଜ ସୁଝିଥାନ୍ତା। ଏଭଳି ଅନେକ ଆଶା ରଖି ଏବର୍ଷ ଚାଷ କାମ କରିଥିବା କେଶଦୂରାପାଳ ପଞ୍ଚାୟତ ନାରଙ୍ଗପୁର , ରାଇପାଳ , ଦରଡିପାଳ ଆଦି ଅଞ୍ଚଳର ଚାଷୀ । ହେଲେ ସେମାନଙ୍କ ଆଶା ଆଶାରେ ରହିଯାଇଛି । ଚାଷୀଙ୍କ ଶହ ଶହ ଏକର କ୍ଷେତରେ ଚକଡା ପୋକ ଲାଗି ସବୁ ପାଚିଲା ଧାନ ଫସଲ ନଷ୍ଟ ହୋଇଛି । ଯେତେ କିଟନାଷକ ଔଷଧ ସିଞ୍ଚନ କଲେ ମଧ୍ୟ ପୋକ ଙ୍କୁ ପ୍ରକୋପ କମୁନାହିଁ । ଯାହାଫଳରେ ହତାଶ ହୋଇଛି ଚାଷୀ ।ସେହିପରି ଚଳିତ ବର୍ଷ ସ୍ୱଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାମ ଅନିଶ୍ଚିତତା ମଧ୍ୟରେ ରହିଥିଲା । ତଥାପି ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଧର୍ଯ୍ୟନହାରି ଚାଷକାମ କରିଥିଲେ । ମଟର ସହାୟତାରେ ନିଜ ନିଜ କ୍ଷେତକୁ ପାଣି ମଡାଇ ଫସଲ କରିଥିଲେ । ଆଉ ଏବେ ଧାନ ପାଚିଲା ସମୟରେ ଚକଡା ପୋକର ପ୍ରକୋପ ଚାଷୀଙ୍କ ଅଣ୍ଟା ଭାଙ୍ଗି ଦେଇଛି । ରୋଗ ପୋକ ନିୟନ୍ତ୍ରଣ ପାଇଁ କୃଷି ବିଭାଗ ପରାମର୍ଶରେ କିଟନାଷକ ଔଷଧ ପକାଇଲେ ମଧ୍ୟ କାମ କରୁନି । ଚକଡ଼ା ପୋକ ଥମିବା ପରିବର୍ତ୍ତେ ଦିନକୁ ଦିନ ଅଧିକ ମାଡିଚାଲିଛି । ଅନ୍ୟପଟେ ଚକଡ଼ା ପୋକ ସଂପର୍କରେ କୃଷି ଅଧିକାରୀଙ୍କୁ ପଚାରିବାରୁ ସମସ୍ତ ଦୋଷ ଚାଷୀ ମୁଣ୍ଡରେ ଲଦିଛନ୍ତି । କୃଷି ବିଭାଗ ପରାମର୍ଶକୁ ନମାନି ମନଇଚ୍ଛା ବିଷ ପ୍ରୟୋଗ ଯୋଗୁଁ ପୋକ ଦମନ ହେଉନଥିବା କହିଛନ୍ତି । ଏହାସହିତ ସ୍ୱଳ୍ପ ବୃଷ୍ଠିପାତ ଲାଗି ବିଳମ୍ବରେ ଲାଗିଥିବା ଧାନରେ ଏଭଳି ସମସ୍ୟା ଦେଖାଯାଇଥିବା କହିଛନ୍ତି କୃଷୀ ଅଧିକାରୀ । 
