ଜଳେଶ୍ବର : ପରିବା ଚାଷ ପାଇଁ ବାଲେଶ୍ବର ଜିଲ୍ଲା ଜଳେଶ୍ବରର ସୁନାମ ରହିଛି । ଋତୁ ଅନୁଯାୟୀ ଅଞ୍ଚଳର ଚାଷୀ ଭଳିକି ଭଳି ପନିପରିବା ଚାଷ କରିବା ସହିତ ରାଜ୍ୟର ବିଭିନ୍ନ ଅଞ୍ଚଳ ଓ ପଡ଼ୋଶୀ ପଶ୍ଚିମବଙ୍ଗକୁ ରପ୍ତାନି କରିଥାନ୍ତି । ଆଉ ଏଥିରୁ ବେଶ୍ ଦି ପଇସା ରୋଜଗାର ମଧ୍ୟ କରିଥାନ୍ତି । ହେଲେ ଚଳିତବର୍ଷ ଅଦିନିଆ ବର୍ଷା ପନିପରିବା ଚାଷ ପାଇଁ କାଳ ହୋଇଛି । ଥରକୁ ଥର ଚାଷୀ ଚାରା ଉତାରୁଥିବା ବେଳେ, ଅଦିନିଆ ବର୍ଷା ତାକୁ ଉଜାଡ଼ି ଦେଉଛି । ଫଳରେ ଅଞ୍ଚଳର ହଜାର ହଜାର ପନିପରିବା ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଛି । ଜଳେଶ୍ବର ବ୍ଲକ ଅଧୀନସ୍ଥ ମହମ୍ମଦନଗର ପାଟଣା ପଞ୍ଚାୟତ ସେକସରାଇ ଗାଁର ସୁଶାନ୍ତ ପୋଲାଇ । ସୁଶାନ୍ତ ଡିସେମ୍ବର ମାସରେ ତାଙ୍କର ସାଢ଼େ ୪ ଏକର ଜମିରେ ପରିବା ଚାଷ କାମ ଆରମ୍ଭ କରିଥିଲେ । ଜହ୍ନି, ପୋଟଳ, କାଙ୍କଡ଼, ଟମାଟୋ ଆଦି ଚାରା ଜମିରେ ଲଗାଇଥିଲେ । ଚାରା ଲଗାଇବା ଦିନ ଠାରୁ ପ୍ରତି ସପ୍ତାହ ଅନ୍ତରରେ ଥରେ ଲେଖା ବର୍ଷା ଯୋଗୁ ପାଣି ଜମି ରହି ଗଛର ମୂଳ ସବୁ ପଚି ଯାଇଛି । ଫଳରେ ସୁଶାନ୍ତ ଚାଷ କରିଥିବା ଜମିରୁ ପ୍ରାୟ ୮୫ ପ୍ରତିଶତରୁ ଊର୍ଦ୍ଧ୍ବ ଫସଲ ଉଜୁଡ଼ି ଯାଇଛି । ସୁଶାନ୍ତ ତାଙ୍କର ଏହି ଶୀତଦିନିଆ ପରିବା ଚାଷ ପାଇଁ ପାଞ୍ଚ ଏକର ଜମିରେ ପାଖାପାଖି ଦେଢ଼ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଲାଭ ତ ଦୂର କଥା, ଖର୍ଚ୍ଚ ମଧ୍ୟ ପାଇବେ ନାହିଁ । ସୁଶାନ୍ତଙ୍କ ପରି ବ୍ଲକର ହଜାର ହଜାର ଚାଷୀଙ୍କର ସମାନ ଅବସ୍ଥା ।
ଚାଷ ବାରମ୍ବାର କ୍ଷତିଗ୍ରସ୍ତ ହେଉଥିବାରୁ ବଜାରକୁ ଆବଶ୍ୟକ ପରିମାଣର ପନିପରିବା ଆସୁନଥିବା ବେଳେ ଦର ଆକାଶଛୁଆଁ ହୋଇଛି । ଗୋଟିଏ ପାଖରେ ଚାଷୀ କ୍ଷତିଗ୍ରସ୍ତ ହେବା ସହ ଅନ୍ୟ ପାଖରେ ଖାଉଟି ହନ୍ତସନ୍ତ ହେଉଥିବା କହିଛନ୍ତି ସେକସରାଇ ଗାଁର ଚାଷୀ ହରିପଦ ମାନ୍ନା ଓ ଖକନ ଜେନା । ପ୍ରକାଶଯୋଗ୍ୟ, ଜଳେଶ୍ବର ବ୍ଲକରେ ପ୍ରତି ରବି ଋତୁରେ ପାଖାପାଖି ୧୨୦୦ ହେକ୍ଟର ଜମିରେ ପନିପରିବା ଚାଷ ହୋଇଥାଏ । ସେଥିମଧ୍ୟରୁ ରାଜପୁର, ଶିଖରପୁର, ରାୟାଁରାମଚନ୍ଦ୍ରପୁର, ମହମ୍ମଦନଗର ପାଟଣା, ଗଡ଼ସାହିବାଲିଆପାଳ, ଓଲମରା, ମାକଡ଼ିଆ, ଖୁଦିଆମାଝିସାହି, ଲକ୍ଷ୍ମଣନାଥ, ଗୋବରଘାଟା ଓ ପାଇକସିଦା ଆଦି ପଞ୍ଚାୟତରରେ ସର୍ବାଧିକ ପରିବା ଚାଷ ହୋଇଥାଏ । ତେବେ ଏ ସମସ୍ତ ପଞ୍ଚାୟତରେ ନିୟମିତ ବ୍ୟବଧାନରେ ଅଦିନିଆ ବର୍ଷା ହେଉଥିବାରୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।
