ମାର୍ଚ୍ଚ ୨୪ ରୁ ରାଜ୍ୟରେ ପୌର ନିର୍ବାଚନ

ଭୁବନେଶ୍ବର : ମ‌ାର୍ଚ୍ଚ ୨୪ ରେ ରାଜ୍ୟରେ ପୌର ନିର୍ବାଚନ ହେବ । ରାଜ୍ୟର ୪୭ଟି ମ୍ୟୁନିସପାଲଟି, ୫୯ଟି ଏନ୍ଏସି, ୩ଟି ମହାନଗର ନିଗମରେ ନିର୍ବାଚନ କରିବା ନେଇ ଆଜି ରାଜ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢ଼ୀ ଘୋଷଣା କରିଛନ୍ତି । ଏହାସହ ଉପରୋକ୍ତ ସମସ୍ତ ୧୦୬ଟି ପୌର ପରିଷଦର ଅଧ୍ୟକ୍ଷ ଏବଂ ତିନିଟି ମହାନଗର ନିଗମର ମେୟର ପଦବି ପାଇଁ ଏକସଙ୍ଗେ ପ୍ରତ୍ୟକ୍ଷ ନିର୍ବାଚନ ହେବ । ମାର୍ଚ୍ଚ ୨୬ ରେ ନିର୍ବାଚନ ଫଳାଫଳ ଘୋଷଣା ହେବ ବୋଲି ନିର୍ବାଚନ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କମିସନଙ୍କ ଏହି ବିଜ୍ଞପ୍ତି ପରେ ଆଜି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି । ମାର୍ଚ୍ଚ ୨୬ ତାରିଖ ପର୍ଯ୍ୟନ୍ତ ଏହା ଜାରି ରହିବ । ପଞ୍ଚାୟତ ନିର୍ବାଚନ ପାଇଁ ସାରା ରାଜ୍ୟରେ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାବେଳେ, ଏହା ଏବେ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ବଢ଼ିଯାଇଛି ।

ରାଜ୍ୟ ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁଯାୟୀ ପୌର ନିର୍ବାଚନ ପାଇଁ ବିଭିନ୍ନ ପୌରସଂସ୍ଥା ଦାୟିତ୍ବରେ ଥିବା ନିର୍ବାଚନ ଅଧିକାରୀମାନେ ଫେବ୍ରୁଆରି ୨୮ରେ ବିଜ୍ଞପ୍ତି ଜାରି କରିବେ । ମାର୍ଚ୍ଚ ୨ ରୁ ୭ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ ହେବ । ମାର୍ଚ୍ଚ ୯ରେ ନାମାଙ୍କନପତ୍ର ଯାଞ୍ଚ ହେବ । ମାର୍ଚ୍ଚ ୧୪ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହେବ । ମାର୍ଚ୍ଚ ୨୪ରେ ଭୋଟ୍, ମାର୍ଚ୍ଚ ୨୬ ରେ ଭୋଟ୍ ଗଣତି ହେବ । ଏପ୍ରିଲ ୮ ରେ ଡେପୁଟି ମେୟର ଏବଂ ଏପ୍ରିଲ ୭ ରେ ପୌରାଧ୍ୟକ୍ଷ ପଦବି ପାଇଁ ପରୋକ୍ଷ ନିର୍ବାଚନ ହେବ । ଏଥର ୧୦୬ ଟି ପୌର ପରିଷଦରେ ମୋଟ୍ ୧୭୩୧ଟି ୱାର୍ଡର ୩୦୩୦ଟି ବୁଥ୍‌ ଥିବାବେଳେ, ୨୭ ଲକ୍ଷରୁ ଅଧିକ ଭୋଟର ଅଛନ୍ତି । ସେହିପରି ୩ଟି ମହାନଗର ନିଗମରେ ୧୬୮ଟି ୱାର୍ଡରେ ୧୪୦୭ଟି ବୁଥ୍‌ ଥିବାବେଳେ, ୧୪ ଲକ୍ଷ ୨୬ ହଜାରରୁ ଅଧିକ ଭୋଟର ଅଛନ୍ତି । ଏହିପରି ମୋଟ୍ ୧୮୯୯ଟି ବୁଥ୍‌ରେ ୪୧ ଲକ୍ଷ ୨୬ ହଜାର ଭୋଟର ଭୋଟ୍‌ ଦେବେ ।

ଅପରପକ୍ଷେ ପୁରୀ ମ୍ୟୁନିସପାଲଟିରେ ଏଥର ନିର୍ବାଚନ ହେବନି । ହାଇକୋର୍ଟରେ ପୁରୀ ମ୍ୟୁନିସପାଲଟିର ନିର୍ବାଚନ ନେଇ ମାମଲା ବିଚାରାଧୀନ ଥିବାରୁ ଏଠାରେ ନିର୍ବାଚନ ନକରିବାକୁ କମିସନ ନିଷ୍ପତ୍ତି ନେଇଛନ୍ତି । ସେହିପରି ଭଦ୍ରକ ମ୍ୟୁନିସପାଲଟିର ୱାର୍ଡ-୪ ରେ ନିର୍ବାଚନକୁ ନେଇ ଏକ ମାମଲା ହାଇକୋର୍ଟରେ ବିଚରାଧୀନ ଥିବାରୁ ଏଠାରେ ଏବେ ମତଦାନ ହେବନି । ପୌର ନିର୍ବାଚନ ଦଳି ଭିତ୍ତିରେ ହେବ । ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଚାହୁଁଥିବା ରାଜନୈତିକ ଦଳମାନେ ତାଙ୍କ ଦଳ ପକ୍ଷରୁ ପ୍ରାଧିକୃତ ବ୍ୟକ୍ତିଙ୍କର ନାମ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ରର ଯାଞ୍ଚର ଦୁଇ ଦିନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ ୭ ତାରିଖ ଅପରାହ୍ନ ୫ଟା ୩୦ ମଧ୍ୟରେ ଦାଖଲ କରିବେ । ସେହିପରି ପ୍ରାଧିକୃତ ବ୍ୟକ୍ତି ଦଳୀୟ ଟିକେଟ୍ ପାଇଁ ସଂପୃକ୍ତ ନିର୍ବାଚନ ଅଧିକାରୀଙ୍କ ନିକଟରେ ମନୋନୟନ ପତ୍ର ଯାଞ୍ଚର ପୂର୍ବଦିନ ଅର୍ଥାତ୍ ମାର୍ଚ୍ଚ ୮ ତାରିଖ ଅପରାହ୍ନ ୫ଟା ୩୦ ମଧ୍ୟରେ ଦାଖଲ କରିବେ ।

ସେହିପରି ଏଥର ସକାଳ ୮ଟା ରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ମତଦାନ ହେବ । ନାମାଙ୍କନ ପତ୍ର ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ଉପଲବ୍ଧ ହେବ । ଭୁବନେଶ୍ବର ଓ କଟକ ପାଇଁ ସ୍ଥାନୀୟ ଅତିରିକ୍ତ ଜିଲ୍ଲାପାଳ ନିର୍ବାଚନ ଅଧିକାରୀ ହୋଇଥିବାବେଳେ, ବ୍ରହ୍ମପୁର ପାଇଁ ସ୍ଥାନୀୟ ଉପଜିଲ୍ଲାପାଳ ନିର୍ବାଚନ ଅଧିକାରୀ ହୋଇଛନ୍ତି । ବାକି ମ୍ୟୁନିସପାଲଟି/ଏନ୍‌ଏସିରେ ଏଡିଏମ୍/ତହସିଲଦାରମାନେ ନିର୍ବାଚନ ଅଧିକାରୀ ଅଛନ୍ତି । ସେମାନେ ସେମାନଙ୍କ କାର୍ଯ୍ୟାଳୟରେ କିମ୍ବା ଉକ୍ତ ପୌର ସଂସ୍ଥାରେ କାର୍ଯ୍ୟ କରିପାରିବେ ।

Leave a Reply

Your email address will not be published. Required fields are marked *