ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ୍ ବରଗାଁ ପଞ୍ଚାୟତ ଶବରପଡ଼ା ସରକାରୀ ପ୍ରକଳ୍ପ ପ୍ରାଥମିକ ସ୍କୁଲର କୋଠରିଗୁଡ଼ିକ ବିପଦପୂର୍ଣ୍ଣ ରହିଥିବାରୁ ଏଠାରେ ପାଠପଢ଼ାକୁ ଗ୍ରାମବାସୀ ବିରୋଧ କରିଛନ୍ତି । ଏଥିପାଇଁ ସେମାନେ ଶୁକ୍ରବାର ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି । ଗ୍ରାମବାସୀଙ୍କ କହିବା ଅନୁସାରେ, ଏହି ସ୍କୁଲ ୨୦୦୨ ମସିହାରେ ସ୍ଥାପିତ ହୋଇଥିଲା । ସେତେବେଳେ ସ୍କୁଲ ଗୃହ ନିର୍ମାଣ ମଧ୍ୟ ହୋଇଥିଲା । ହେଲେ ନିମ୍ନ ମାନର କାମ ଯୋଗୁଁ ସ୍କୁଲ କୋଠାର ସବୁ କାନ୍ଥରେ ଫାଟ ସୃଷ୍ଟି ହୋଇଛି । ବର୍ଷା ହେଲେ ଛାତରୁ ପାଣି ଝରୁଛି । ଏହି ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଥିବାବେଳେ, ୬୩ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି ଓ ଦୁଇ ଜଣ ଶିକ୍ଷକ ନିଯୁକ୍ତ ହୋଇଛନ୍ତି । ବର୍ତ୍ତମାନ ସ୍ଲାବ୍ ଝଡ଼ି ବିପଦପୂର୍ଣ୍ଣ ଅବସ୍ଥାରେ ଥିବାବେଳେ, ଅନେକ ସମୟରେ ସ୍ଲାବ ଝଡ଼ି ଛାତ୍ରଛାତ୍ରୀ ଆହତ ହେଉଥିବା ଅଭିଯୋଗ କରିଛନ୍ତି ।
ଏହାକୁ ନେଇ ଶୁକ୍ରବାର ଅଭିଭାବକମାନେ ସ୍କୁଲରେ ତାଲା ପକାଇ ବନ୍ଦ କରିବା ସହିତ ତୁରନ୍ତ ମରାମତି କରିବାକୁ ମନିରାମ ଶବର, ଧୋବୀ ଶବର, ଶ୍ୟାମଘନ ପଟେଲ, ବେଦବର ପଟେଲ, ଗଙ୍ଗା ଶବର ସମେତ କୋଡ଼ିଏରୁ ଅଧିକ ଅଭିଭାବକ ଦାବି କରିଥିଲେ । ଆଗାମୀ ଦିନରେ ମରାମତି କରା ନଗଲେ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଛାଡ଼ିବେ ନାହିଁ ବୋଲି ପ୍ରକାଶ କରିଛନ୍ତି । ଏନେଇ ନୂଆପଡ଼ା ଡିଇଓଙ୍କୁ ପଚାରିବାରୁ ସମସ୍ୟା ସମାଧାନ ପାଇଁ ଚେଷ୍ଟା କରାଯାଉଛି ବୋଲି ସେ କହିଥିଲେ ।
