ଆଜି ଠାରୁ ତିନି ଦିନ ପର୍ଯ୍ୟନ୍ତ ଚାଲିବ ଭୋଟ୍ ଗଣତି

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଆଜି ସକାଳ ୮ଟା ରୁ ଆରମ୍ଭ ହେବ ଭୋଟ ଗଣତି । ସେଥିପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଚଳିତ ବର୍ଷ ସେଣ୍ଟ୍ରାଲ କାଉଣ୍ଟିଂ ହେବ । ତେବେ ୩୧୩ ବ୍ଲକରେ ପ୍ରତିଦିନ ଗୋଟିଏ ଜୋନ୍ ର ଭୋଟ ଗଣତି ହେବାକୁ ଥିବାବେଳେ, ଭଣ୍ଡାରୀପୋଖରୀ ବ୍ଲକରେ ପ୍ରତିଦିନ ୨ଟି ଜିଲ୍ଲାପରିଷଦ ଜୋନ୍ ର ଭୋଟ ଗଣତି ହେବ । ପ୍ରଥମେ ଓ୍ବାର୍ଡ ମେମ୍ବର ପ୍ରାର୍ଥୀଙ୍କ ଭୋଟ ଗଣନା ହେବ । କାଉଣ୍ଟିଂଙ୍ଗ ହଲ୍ ବାହାରେ ପ୍ରବଳ ଭିଡ଼ ହେବାର ସମ୍ଭାବନାକୁ ଦେଖି କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏକାଥରେ ଓ୍ବାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲାପରିଷଦଙ୍କ ଭୋଟ ଗଣତି ହେବ । ସେଥିପାଇଁ ପ୍ରତି ବ୍ଲକରେ ଭୋଟ ଗଣତି ପାଇଁ ବଡ ହଲର ବ୍ୟବସ୍ଥା କରାଯାଇଛି । ଜିଲ୍ଲା ପରିଷଦ ଜୋନ ଓ୍ବାରୀ ଗଣତି ହେବ । ସେହି ଜୋନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତର ଭୋଟ ଗଣତି ହେବ ।

ଗୋଟିଏ ଗ୍ରାମ ପଞ୍ଚାୟତ ଭୋଟ ଗୋଟିଏ ଟେବୁଲରେ ଗଣତି କରାଯିବ । ଭୋଟ ଗଣତି ପାଇଁ ଧାର୍ଯ୍ୟ ହୋଇଥିବା ସମୟର ୧୫ ମିନିଟ ପୂର୍ବରୁ ଭୋଟ ବାକ୍ସ ହଲକୁ ଆସିବ । ପ୍ରଥମେ ଓ୍ବାର୍ଡମେମ୍ବରଙ୍କ ଭୋଟ ଗଣତି ହେବ । ୩୧୩ ବ୍ଲକରେ ପ୍ରତିଦିନ ଗୋଟିଏ ଗୋଟିଏ ଜିଲ୍ଲାପରିଷଦ ଜୋନର ଗଣତି ହେବାକୁ ଥିବାବେଳେ, ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକରେ ପ୍ରତିଦିନ ୨ଟି ଜୋନର ଭୋଟ ଗଣତି ହେବ । ପାଞ୍ଚୋଟି ଯାକ ପର୍ଯ୍ୟାୟରେ ୧ ଲକ୍ଷ ୫୬ ହଜାର ୭୫୩ ଓ୍ବାର୍ଡ ମେମ୍ବର ପ୍ରାର୍ଥୀ, ୩୨ ହଜାର ୮୬୦ ସରପଞ୍ଚ ପ୍ରାର୍ଥୀ, ୨୭ ହଜାର ୦୩୪ ସମିତି ସଭ୍ୟ ପ୍ରାର୍ଥୀ ଏବଂ ୩୩୩୯ ଜିଲ୍ଲାପରିଷଦ ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ ବାକ୍ସରେ ସିଲ ହୋଇଛି । ତିନିଦିନ ଧରି ଚାଲିବ ଭୋଟ ଗଣତି । ୨୮ ତାରିଖ ଭିତରେ ଭୋଟ ଗଣତି ସାରିବାକୁ କମିଶନ ନିର୍ଦ୍ଦେଶ ଦେଇଛନ୍ତି । ଗୋଟିଏ ଜୋନର ଭୋଟ ଗଣତି ଶେଷ ହେବା ପରେ ଦ୍ବିତୀୟ ଜୋନର ଭୋଟ ଗଣତି ଆରମ୍ଭ ହେବ ।

Leave a Reply

Your email address will not be published. Required fields are marked *