ଧାନ ବିକି ନ ପାରି ଚାଷୀ ନିରାଶ

ଆଠଗଡ଼ : ଆଠଗଡ଼ ଓ ତିଗିରିଆ ସମେତ ଏହି ଉପଖଣ୍ଡର ସମସ୍ତ ବ୍ଲକରେ ଚଳିତ ବର୍ଷ ମଣ୍ଡି ଜରିଆରେ ଖରିଫ ଧାନକ୍ରୟ ଏକ ପ୍ରହସନରେ ପରିଣତ ହୋଇଛି । ଆଠଗଡ଼ ଉପଖଣ୍ଡର ୪ଟି ଯାକ ବ୍ଲକ ମଧ୍ୟରେ ଥିବା ପ୍ରାୟ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିରେ ଏହିଭଳି ଅବ୍ୟବସ୍ଥା ଯୋଗୁଁ ପ୍ରତି ସମିତିରେ ଅଧାରୁ ଅଧିକ ପଞ୍ଜୀକୃତ ଚାଷୀ ସେମାନଙ୍କର ବଳକା ଧାନ ବିକ୍ରୟ ନକରିପାରି ନିରାଶ ହୋଇଛନ୍ତି । ପ୍ରତିଦିନ ବିଭିନ୍ନ ସମିତି ଅଧିନରେ ଥିବା ପଞ୍ଜୀକୃତ ଚାଷୀମାନେ ପାଇଥିବା ଟୋକନର ଅବଧି ସରିଯାଉଥିବା ବେଳେ, ସେମାନଙ୍କର ଧାନକ୍ରୟ କରାଯାଉନଥିବା ବିଷୟରେ ଅଭିଯୋଗ ଓ ଗୁହାରୀ କରିବା ପାଇଁ ଉପଜିଲ୍ଲାପାଳ, ସହକାରୀ ଯୋଗଣ ଅଧିକାରୀ ଏବଂ ସମବାୟ ସମିତି ସମୂହର ଉପନିବନ୍ଧକ କାର୍ଯ୍ୟାଳୟକୁ ଦୌଡି ଦୌଡି ହନ୍ତସନ୍ତ ହେଉଛନ୍ତି ।

ଗୁରୁବାର ତିଗିରିଆ ବ୍ଲକର ସୋମପଡ଼ା ସମବାୟ ସମିତିର ବହୁ ଚାଷୀ ଏହିପରି ସେମାନଙ୍କ ଧାନ କିଣା ଯାଉନଥିବାରୁ ଅଭିଯୋଗ କରିବାକୁ ଆସିଥିବା ବେଳେ, ଶୁକ୍ରବାର ସମସରପୁର ସେବା ସମବାୟ ସମିତି ଅଧିନ ସଠିଲୋ-ବାସୁଦେବପୁର ପଞ୍ଚାୟତର ବହୁଚାଷୀ ଅନୁରୂପ ସମସ୍ୟା ନେଇ ଯୋଗାଣ ଅଧିକାରୀ ଓ ଏଆରସିଏସଙ୍କ ନିକଟରେ ଅଭିଯୋଗ କରିବାକୁ ଆସିଥିଲେ । ସମସରପୁର ସମିତିରେ ପଞ୍ଜିକୃତ ୩୩୦ଚାଷୀଙ୍କ ମଧ୍ୟରୁ ଅଦ୍ୟାବଧି ଫେବୃଆରୀ ମାସ ସରିବାକୁ ବସିଥିବା ବେଳେ, ମାତ୍ର ୧୫୧ ଚାଷୀ ସେମାନଙ୍କର ଧାନ ବିକ୍ରୟ କରିବାର ସୁଯୋଗ ପାଇଥିବା ବେଳେ ବାକି ୧୭୯ ଜଣ ଚାଷୀ ନିରାଶ ହୋଇ ବସିଛନ୍ତି । ସେମାନେ ବାଧ୍ୟ ହୋଇ କମ ଦରରେ ଅଭାବୀ ଧାନ ବିକ୍ରି ପାଇଁ ବାଧ୍ୟ ହେଉଛନ୍ତି । ଆସନ୍ତା ୨୮ ତାରିଖ ମଧ୍ୟରେ ବହୁ ଚାଷୀଙ୍କର ଟୋକନ ଅବଧି ଶେଷ ହେଉଥିବାରୁ ସେମାନଙ୍କର ଧାନକ୍ରୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାଲାଗି ସେମାନେ ଏସିଏସଓ ଜଗମୋହନ ଦାସ ଓ ଏଆରସିଏସ ଅଶୋକ କୁମାର ପାଣିଙ୍କୁ ଭେଟି ଦାବି ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *