ଆଠଗଡ଼ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ ର୍ଥ ପର୍ଯ୍ୟାୟରେ ୨୨ ତାରିଖ ଅର୍ଥାତ, ଗତ ମଙ୍ଗଳବାର ଆଠଗଡ଼ ବ୍ଲକରେ ନିର୍ବାଚନ ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା । ତେବେ ନିର୍ବାଚନ ଶେଷ ହେବା ପରେ ବିଭିନ୍ନ ପଞ୍ଚାୟତରେ ଉତ୍ତେଜନା ପ୍ରକାଶ ପାଇବା ସହ କେତେକ ସ୍ଥାନରେ ମାଡପିଟ ଘଟଣା ଘଟି ବହୁ ଲୋକ ଆହତ ହୋଇଥିବା ଦେଖାଯାଇଥିଲା । ତେବେ ବୁଧବାର ରାତିରେ କୁଲାଇଲୋ ପଞ୍ଚାୟତରେ ଏହି ଗଣ୍ଡଗୋଳ ଉଗ୍ରରୂପ ଧାରଣ କରିବା ସହ କୁଲାଇଲୋ ଓ ପାଟଲିଙ୍ଗା ଗ୍ରାମର ଦୁଇଗୋଷ୍ଠୀ ମଧ୍ୟରେ ପ୍ରବଳ ଗଣ୍ଡଗୋଳ ଓ ମାଡପିଟ ହେବା ଫଳରେ ୮ ଜଣ ଆହତ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣ ଅତି ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଉତ୍ତେଜନା ଲାଗି ରହିଥିବାରୁ ବୁଧବାର ରାତିରୁ ଅଦ୍ୟାବଧି ଉଭୟ ଗ୍ରାମରେ ସଶସ୍ତ୍ର ପୁଲିସ ମୁତୟନ କରାଯିବା ସଙ୍ଗେ ସଙ୍ଗେ ପୁଲିସ ଅଧିକାରୀମାନେ ତୁହାକୁ ତୁହା ପଇଁତରା ମାରୁଛନ୍ତି ।
କୁଲାଇଲୋ ପଞ୍ଚାୟତରେ ବିଜେଡି ସମର୍ଥିତ ଜଣେ ପ୍ରାର୍ଥୀନୀ ଏବଂ ଅସନ୍ତୁଷ୍ଟ ବିଜେଡିର ଅନ୍ୟ ଜଣେ ପ୍ରାର୍ଥୀନୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ହେଉଥିଲା । ଏହି କାରଣରୁ ସେଠାରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଛକାପଞ୍ଝା ଓ ଉତ୍ତେଜନା ଲାଗି ରହିବା ସହିତ ବୁଧବାର ରାତିରେ ଏହା ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିଥିଲା । କୁଲାଇଲୋ ଗ୍ରାମର ଗୋଟିଏ ଗୋଷ୍ଠୀର କେତେକ ଯୁବକ ପାଟଲିଙ୍ଗା ଯାଇ ସେଠି ପାଟିତୁଣ୍ଡ କରିବା ଫଳରେ ଏହି ଗଣ୍ଡଗୋଳର ସୁତ୍ରପାତ ହୋଇଥିଲା । ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ସେମାନଙ୍କ ମଧ୍ୟରେ ପ୍ରଥମେ ବଚସା ଓ ମାଡପିଟ ହୋଇଥିଲା । କୁଲାଇଲୋର ଜଣେ ଯୁବକଙ୍କର ଏହି ମାଡ ଦ୍ୱାରା ଗୋଡ ଭାଙ୍ଗିଯିବା ଖବର ପାଇ କୁଲାଇଲୋରୁ ଶତାଧିକ ଲୋକ ପାଟଲିଙ୍ଗା ଆସି ପ୍ରବଳ ଗଣ୍ଡଗୋଳ କରିଥିଲେ ।
ଖବର ପାଇ ଆଠଗଡ଼ ଥାନା ଆଇଆଇସି ବାମଦେବ ସ୍ୱାଇଁ ଓ ଡିଏସପି ବିଜୟ କୁମାର ବିସି ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ନିୟନ୍ତ୍ରଣ କରିବା ସହ ୮ ଜଣ ଆହତଙ୍କୁ ଆଠଗଡ଼ ଡାକ୍ତରଖାନାକୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏହି ଘଟଣାରେ ସଂପୃକ୍ତ ଉଭୟ ଗୋଷ୍ଠୀର ୧୦ ଜଣଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖି ଘଟଣାର ତଦନ୍ତ କରିଥିଲା । ସେମାନଙ୍କ ମଧ୍ୟରୁ ପାଟଲିଙ୍ଗା ଗ୍ରାମର ଭକ୍ତିଦତ୍ତ ସ୍ୱାଇଁ, ପ୍ରଭୁଦତ୍ତ ସ୍ୱାଇଁ, ସତ୍ୟବ୍ରତ ବିଶ୍ୱାଳ, ସ୍ମୃତିରଞ୍ଜନ ସ୍ୱାଇଁ ଏବଂ କୁଲାଇଲୋ ଗ୍ରାମର ନରେଶ ଚନ୍ଦ୍ର ସ୍ୱାଇଁ, ଜଗବନ୍ଧୁ ପ୍ରଧାନ, ସୌଭାଗ୍ୟ କୁମାର ବିଶ୍ୱାଳଙ୍କୁ ଗୁରୁବାର ସନ୍ଧ୍ୟାରେ ପୁଲିସ ଗିରଫ କରି କୋଟ ଚାଲାଣ କରିଥିବା ଜଣାପଡ଼ିଛି । ଏହାଛଡା ସରପଞ୍ଚ ପ୍ରାର୍ଥୀ ସୁଲୋଚନା ଦାସଙ୍କ ସ୍ୱାମୀ ପ୍ରଶାନ୍ତ ଦାସ ଓ ଅନ୍ୟ ଜଣେ ସରପଞ୍ଚ ପ୍ରାର୍ଥୀନୀ ସୁଜାତା ବେଉରାୟଙ୍କ ସ୍ୱାଇଁ ପ୍ରଶାନ୍ତ କୁମାର ଶ୍ରୀଚନ୍ଦନ ରାୟ ଓ ଆଶୁତୋଷ ମହାନ୍ତିଙ୍କୁ ପୁଲିସ ଥାନାରେ ଅଟକ ରଖି ଘଟଣାର ଅଧିକ ତଦନ୍ତ ଜାରି ରଖିଛନ୍ତି । କୁଲାଇଲୋରେ ସ୍ଥାୟୀ ଶାନ୍ତି ଓ ସଦଭାବ ପ୍ରତିଷ୍ଠା ପାଇଁ ଉଭୟ ଗ୍ରାମର ମୁରବୀ ଶ୍ରେଣୀର ଲୋକଙ୍କୁ ନେଇ ଶାନ୍ତିକମିଟି ଗଠନ କରି ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ଏସଡିପିଓ ବିଜୟ କୁମାର ବିସି ପ୍ରକାଶ କରିଛନ୍ତି ।
