ଧାନକ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା, ମିଲରଙ୍କର ମନମାନି ଯୋଗୁଁ ଚାଷୀ ହନ୍ତସନ୍ତ

ଆଠଗଡ଼ : ଆଠଗଡ଼ ବ୍ଲକର ସମସ୍ତ କୃଷି ସେବା ସମବାୟ ସମିତିରେ ଚଳିତବର୍ଷ ଖରିଫ ଧାନକ୍ରୟ ପ୍ରକ୍ରିୟାରେ ବ୍ୟାପକ ଅବ୍ୟବସ୍ଥା ଏବଂ ମିଲରଙ୍କର ମନମାନି ଯୋଗୁଁ ଚାଷୀ ହନ୍ତସନ୍ତ ହେଉଛନ୍ତି । ଏପରିକି ସରକାରଙ୍କର ତ୍ରୁଟିପୂର୍ଣ୍ଣ ଧାନକ୍ରୟ ନୀତି ଯୋଗୁଁ ଏହି ବ୍ଲକର ପ୍ରାୟ ୨ ହଜାର ଚାଷୀ ସେମାନଙ୍କର ବଳକା ଧାନ ବିକ୍ରୟ କରିନପାରି ହତାଶ ହୋଇପଡ଼ିଛନ୍ତି । ଯେଉଁ ବାରିରେ ଯେଉଁ ସମବାୟ ସମିତିକୁ ଧାନ ସଂଗ୍ରହ ପାଇଁ ମିଲର ଆସିବା କଥା ସେହି ବାରିରେ ସେମାନେ ଆସୁନଥିବାରୁ ଟୋକନ ପାଇଥିବା ଚାଷୀମାନେ ଧାନ ବିକ୍ରୟ କରିପାରୁନାହାଁନ୍ତି ।

ଏହିଭଳି ଅଭିଯୋଗ ଯୋରନ୍ଦା, ସଠିଲୋ, ନିଜିଗଡ଼ ସମେତ ଆଠଗଡ଼ ଓ ତିଗିରିଆ ବ୍ଲକର ଅନେକ ସମବାୟ ସମିତିରେ ଚାଷୀମାନେ ସେମାନଙ୍କର ବଳକା ଧାନ ବିକିନପାରି ନିରାଶ ହୋଇଥିବା ଅଭିଯୋଗ ହୋଇଆସୁଛି । ଗୁରୁବାର ସଠିଲୋ ଏବଂ ତିଗିରିଆ ବ୍ଲକର ସୋମପଡ଼ା ପଞ୍ଚାୟତର ବହୁଚାଷୀ ସେମାନଙ୍କର ବଳକା ଖରିଫ ଧାନ ବିକ୍ରୟ କରିନପାରିବାରୁ ଆସି ଆଠଗଡ଼ ଉପଜିଲ୍ଲାପାଳ, ଯୋଗାଣ ଅଧିକାରୀ ଏବଂ ସମବାୟ ସମିତି ସମୂହର ସହକାରୀ ନିବନ୍ଧକଙ୍କୁ ଅଭିଯୋଗ କରିଛନ୍ତି । ତେବେ ପୂର୍ବରୁ ଅଭିଯୋଗ କରିଥିବା ଚାଷୀମାନେ ଯଥା ଜୋରନ୍ଦା ସେବା ସମବାୟ ସମିତି ଅଧିନରେ ଥିବା ଶତାଧିକ ଚାଷୀ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରି ମଧ୍ୟ କୌଣସି ସୁଫଳ ପାଇନାହାଁନ୍ତି ।

ସୋମପଡ଼ା ସେବା ସମବାୟ ସମିତିରେ ଧାନବିକ୍ରୟ କରିପାରନଥିବା କୃଷକ ଆଦିତ୍ୟ ପ୍ରଧାନ, ବୁଦ୍ଧିବାମନ ପ୍ରଧାନ, ସତ୍ୟଭାମା ଗଣ୍ଠିଆ, ମାନସରଞ୍ଜନ ଚୌଧୁରୀ, ସୁକାନ୍ତ କୁମାର ସେନାପତି, ବୀରବର ସେନାପତି, ପ୍ରମୋଦ କୁମାର ପ୍ରଧାନ, ସୁଶାନ୍ତ କୁମାର ରାଉତ, ଜଳଧର ଗଣ୍ଠିଆ ପ୍ରମୁଖ ଏଠାକୁ ଆସି ସହକାରୀ ଯୋଗାଣ ଅଧିକାରୀ ଏବଂ ଏଆରସିଏସଙ୍କୁ ଅଭିଯୋଗ କରିଥିଲେ । ଆଉ ମାତ୍ର ୨ ଦିନ ଅର୍ଥାତ ୨୬ ତାରିଖ ସୁଦ୍ଧା ସେମାନଙ୍କର ଟୋକନ ଅବଧି ଶେଷ ହେବାକୁ ଥିବାବେଳେ ସେମାନଙ୍କ ବଳକା ଧାନ କ୍ରୟ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବା ଲାଗି ସେମାନେ ଦାବି କରିଛନ୍ତି । ନଚେତ୍‍ ସେମାନେ ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବେ ବୋଲି ଚେତାଇ ଦେଇଛନ୍ତି । ତେବେ ଏଆରସିଏସ ଅଶୋକ କୁମାର ପାଣି ସେମାନଙ୍କର ଦାବି ସଂପର୍କରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିବା ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *