ତାତିଲେ ଭୋଟ୍ ଦାନରୁ ବଞ୍ଚିତ ଥିବା ଆଦିବାସୀ, ଅଟକ ରଖିଲେ ବିଡ଼ିଓଙ୍କୁ

ପାତ୍ରପୁର : ନିର୍ବାଚନ ପରେ ବି ଗଞ୍ଜାମ ଜିଲା ପାତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ପ୍ରଶାସନ ବିରୋଧରେ ପ୍ରତିବାଦ ଜାରି ରହିଛି । ଭୋଟର ତାଲିକାରେ ନାମ ନଥିବା ପ୍ରତିବାଦରେ ଆଜି ଗ୍ରାମବାସୀ ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶକୁମାର ଦାସଙ୍କୁ ଗାଡିରୁ ଓହ୍ଲାଇ ଦେଇ ୪ କିଲୋମିଟର ଚଲାଇ ଚଲାଇ ନେଇ ଗାଁରେ ଦୀର୍ଘ ସାଢେ ୩ ଘଣ୍ଟା ଧରି ଅଟକ ରଖିବାରୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଖବରପାଇ, ଘଟଣା ସ୍ଥଳକୁ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତଥାପି ଲୋକେ ଜିଦରେ ଅଟଳ ରହିଥିଲେ । ପରେ ବିଜେପି ଯୁବନେତା ମନୋରଞ୍ଜନ ଦ୍ୟାନସାମନ୍ତରା ପହଞ୍ଚିଥିଲେ। ସେଠାରେ ଦୀର୍ଘ ସମୟ ବୁଝାସୁଝା କରାଯାଇଥିଲା । ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ମୁକ୍ତ କରିଥିଲେ । ଏଭଳି ଅପ୍ରୀତିକର ଘଟଣା ଘଟିଛି ପାତ୍ରପୁର ବ୍ଲକର ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଧାଡିଆମ୍ବ ଗ୍ରାମରେ ।

ସୂଚନା ପ୍ରକାରେ ପାତ୍ରପୁର ବ୍ଳକର ତୁମ୍ବା ପଞ୍ଚାୟତ ଅନ୍ତର୍ଗତ ଧାଡିଆମ୍ବ ଆଦିବାସୀ ଗ୍ରାମର ଲୋକଙ୍କ ଭୋଟର ତାଲିକାରେ ନାମ ନଥିବାରୁ ଭୋଟ ଦାନରୁ ଗ୍ରାମବାସୀ ବଞ୍ଚିତ ହୋଇଥିଲେ । ଏହାକୁ ନେଇ ଲୋକଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଗତ ୨୦ ତାରିଖ ପଞ୍ଚାୟତ ନିର୍ବାଚନ ବଳେ ତୁମ୍ବା ପଞ୍ଚାୟତର ବୁଥ ନମ୍ବର ତିନିରେ ଭୋଟଦାନ ହୋଇଥିଲା । ଏହି ବୁଥରେ ଥିବା ଧାଡିଆମ୍ବ ଆଦିବାସୀ ଗ୍ରାମର ପ୍ରାୟ ୮୦ ଜଣ ଲୋକଙ୍କ ନାମ ଭୋଟର ତାଲିକାରେ ନଥିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି କାରଣରୁ ଭୋଟଗ୍ରହଣ ତିନିଘଣ୍ଟା ପାଇଁ ବନ୍ଦ ରହିଥିଲା । ଭୋଟପେଢି ବ୍ଳକକୁ ନେବାକୁ ଲୋକେ ସୁଯୋଗ ଦେଇନଥିଲେ ଏବଂ ପୋଲିଂ ଦଳକୁ ଅଟକ ରଖିଥିଲେ । ଲୋକଙ୍କ ସମସ୍ୟାର ସମାଧାନ କରିବାକୁ ଲିଖିତ ପ୍ରତିଶ୍ରୁତି ଦେବା ପରେ ପୋଲିଂ ଦଳକୁ ଛାଡିଥିଲେ । ଏହାପରେ ଗ୍ରାମବାସୀ ବ୍ଳକ କାର୍ଯ୍ୟାଳୟକୁ ନିୟମିତ ଆସି ଗୁହାରି ଜଣାଉଥିଲେ । ଭୋଟର ତାଲିକାରେ ନାମ ନଥିବା ଜଣାଇଲେ ପୁନଃ ଭୋଟ ପାଇଁ ବ୍ୟବସ୍ଥା କରାଯିବ ବୋଲି ବିଡିଓ ସେତେବେଳେ କହିଥିଲେ । ସେମାନଙ୍କ ଭୋଟଦାନ ସମ୍ପର୍କରେ କି ପ୍ରକାର ନିଷ୍ପତ୍ତି ନିଆଗଲା ସେ ସମ୍ପର୍କରେ ଜାଣିବାକୁ ଗ୍ରାମବାସୀ ବିଡ଼ିଓଙ୍କୁ ଦେଖାକରିବାକୁ ପାତ୍ରପୁରକୁ ଆଜି ଆସିଥିଲେ । ହେଲେ ବିଡ଼ିଓ ଲୋକଙ୍କ ସହିତ ଆଲୋଚନା ନକରି ଅନ୍ୟ କାମରେ ଚାଲି ଯାଇଥିଲେ । ଏହାକୁ ନେଇ ଗ୍ରାମବାସୀ ଉତ୍ତେଜିତ ହୋଇପଡିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତୁମ୍ବା ଯାଇଥିବା ଖବରପାଇ ବ୍ଳକ କାର୍ଯ୍ୟାଳୟରୁ ଫେରି ଲୋକେ ରାସ୍ତାରେ ଜଗି ରହିଥିଲେ ।

ପାତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରକାଶ କୁମାର ଦାସ ତୁମ୍ବା ଲିମେଇଶୁଣି ବିଦ୍ୟାଳୟର ରୂପାନ୍ତରଣ ଶ୍ରେଣୀଗୃହ କାର୍ଯ୍ୟ ଦେଖି ଫେରୁଥିଲେ । ତୁମ୍ବାରୁ ଫେରିବା ବେଳେ ଗୋପୀନାଥପୁର ଛକ ନିକଟରେ ଧାଡିଆମ୍ବ ଗ୍ରାମର ଆଦିବାସୀମାନେ ଏକତ୍ରିତ ହୋଇ ବିଡିଓଙ୍କ ଗାଡିକୁ ଅଟକାଇ ଥିଲେ । ଗାଡି ଅଟକିବା ପରେ ଆଦିବାସୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ମଧ୍ୟରେ ଭୋଟର ତାଲିକାକୁ ନେଇ କଥା କଟାକଟି ହୋଇଥିଲା । ଫଳରେ ଉତ୍ତ୍ୟକ୍ତ ଲୋକେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଗାଡିରୁ ଜବରଦସ୍ତ ଓହ୍ଲାଇ ଦେଇ ସେଠାରୁ ପ୍ରାୟ ୪ କିଲୋମିଟର ଦୂର ଚଲାଇ ଚଲାଇ ଗ୍ରାମକୁ ନେଇ ଅଟକ ରଖିଥିଲେ । ଖବର ପାଇ ଜରଡା ଥାନା ଅଧିକାରୀ ଭବାନନ୍ଦ ପ୍ରଧାନ, ବିଜେପି ନେତା ମନୋରଞ୍ଜନ ଦ୍ୟାନସାମନ୍ତରା, ସାମ୍ବାଦିକ ରାଜଗୋପାଳ ପାଢୀ ପ୍ରମୁଖ ଗାଁରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଆଗାମୀ ନିର୍ବାଚନରେ ଗ୍ରାମବାସୀ ଯେପରି ଭୋଟଦାନରୁ ବଞ୍ଚିତ ନହେବେ ସେଥିପ୍ରତି ଦୃଷ୍ଟି ଦିଆଯିବ ବୋଲି ଲିଖିତ ଆକାରରେ ଦିଆଯିବା ପରେ ଲୋକେ ବିଡିଓଙ୍କୁ ମୁକ୍ତ କରିଥିଲେ । ଖବର ପାଇ ଜିଲାସ୍ତରୀୟ ଅଧିକାରୀମାନେ ବ୍ଳକରେ ପହଞ୍ଚି ଘଟଣା ଉପରେ ନଜର ରଖିଥିଲେ ।

Leave a Reply

Your email address will not be published. Required fields are marked *