ଭୁବନେଶ୍ବର : ପଞ୍ଚମ ତଥା ଶେଷ ପର୍ଯ୍ୟାୟ ଭୋଟ ଗ୍ରହଣ ଗୁରୁବାର ଅନୁଷ୍ଠିତ ହେବ । ମତଦାନ ସରିବା ପରେ ଭୋଟ ଗଣତି ଉପରେ ସମସ୍ତଙ୍କ ନଜର ରହିବ । ପ୍ରଥମ ଥର ବୁଥ ସ୍ତରରେ ଭୋଟ ଗଣନା ନହୋଇ ବ୍ଲକ କାର୍ଯ୍ୟାଳୟରେ କରାଯାଉଛି । ଫେବୃଆରୀ ୨୬,୨୭ ଓ ୨୮ ରେ ଭୋଟ ଗଣତି ହୋଇ ଫଳାଫଳ ଘୋଷଣା କରାଯିବ । ୨୬ ରେ ୩୧୫ ଜୋନ, ୨୭ ରେ ୩୦୭ ଜୋନ ଏବଂ ୨୮ ରେ ୨୨୯ ଜୋନ ପାଇଁ ଭୋଟ ଗଣତି କରାଯିବ । ସାବଧାନତା ଅବଲମ୍ବନ କରି ଭୋଟ ଗଣତି ଉପରେ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ବ ଦେବା ସହ ଏଥିପାଇଁ ଏକ ନିୟମାବଳି ଜାରି କରିଛନ୍ତି । ଜିଲା ନିର୍ବାଚନ ଅଧିକାରୀ ହିସାବରେ ଜିଲାପାଳମାନେ ବ୍ୟକ୍ତିଗତ ଭାବେ ଭୋଟ ଗଣତି କେନ୍ଦ୍ର ନିର୍ଣ୍ଣୟ ଠାରୁ ସମ୍ପୂର୍ଣ୍ଣ ମତଗଣନା ପ୍ରକ୍ରିୟା ଓ ନିର୍ବାଚନ ଫଳାଫଳ ଘୋଷଣା ହେବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ତଦାରଖ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୁକ୍ତ ସମସ୍ତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି । ପ୍ରତ୍ୟେକ ବ୍ଲକର ଜିଲାପରିଷଦ ନିର୍ବାଚନ ମଣ୍ଡଳୀ ଅନୁସାରେ ନିର୍ବାଚନ ଅଧିକାରୀମାନେ କେତେଟି ଭୋଟ ଗଣତି କେନ୍ଦ୍ର ସ୍ଥାପନ କରାଯିବ ତାହା ନିରୂପଣ କରିବେ । ମତଗଣନା କେନ୍ଦ୍ର ବ୍ଲକ ମୁଖ୍ୟାଳୟ ନିକଟରେ ହେବା ଉଚିତ । ଯଦି ସେଠାରେ ମତଗଣନା କେନ୍ଦ୍ର ନିମନ୍ତେ ପର୍ଯ୍ୟାପ୍ତ ସ୍ଥାନ ନଥିବ, ତେବେ ବ୍ଲକ ମୁଖ୍ୟାଳୟରେ ଥିବା ସରକାରୀ କୋଠାଘର ବିଶେଷ କରି ମହାବିଦ୍ୟାଳୟ କିମ୍ବା ଉଚ୍ଚବିଦ୍ୟାଳୟ କୋଠାଘରେ ମତଗଣନା କେନ୍ଦ୍ର ସ୍ଥାପନ କରାଯିବା ଉଚିତ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ପର୍ଯ୍ୟାପ୍ତ ସ୍ଥାନ ସହ ଅଲଗା ଅଲଗା ପ୍ରବେଶ ଓ ପ୍ରସ୍ଥାନ ଦ୍ବାର ରହିବ । ମତଗଣନା କେନ୍ଦ୍ର ନିକଟରେ ଷ୍ଟ୍ରଙ୍ଗରୁମ ନିମନ୍ତେ ଏକ ବଡ଼ କୋଠରି ରହିବା ଜରୁରୀ ।
ଏଠାରେ ଭୋଟ ଗ୍ରହଣ ପରେ ଭୋଟବାକ୍ସ ସହ ଭୋଟ ଗ୍ରହଣ ସମ୍ପର୍କିତ ଅନ୍ୟାନ୍ୟ ସାମଗ୍ରୀଗୁଡ଼ିକୁ ରଖାଯିବ । ମତଗଣନା କାର୍ଯ୍ୟ ଅସ୍ଥାୟୀ ମତଗଣନା କେନ୍ଦ୍ରରେ କରିବାକୁ ନିର୍ବାଚନ ଆୟୁକ୍ତ ବାରଣ କରିଛନ୍ତି । ରାଜନୈତିକ ଦଳମାନେ ଯଦି ଚାହାନ୍ତି ଷ୍ଟ୍ରଙ୍ଗରୁମ୍ର ବାହାରେ ନିର୍ଦ୍ଧାରିତ ସ୍ଥାନରେ ରହି ଭୋଟବାକ୍ସ ଥିବା ଷ୍ଟ୍ରଙ୍ଗ ରୁମକୁ ଜଗି ପାରିବେ । ମତଗଣନା କେନ୍ଦ୍ରରେ ଆଲୋକ ବ୍ୟବସ୍ଥା ସହ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିମନ୍ତେ ବିହିତ ବ୍ୟବସ୍ଥା କରିବା ଉଚିତ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଅଗ୍ନି ନିର୍ବାପକ ଯନ୍ତ୍ର ରହିବା ଜରୁରୀ । ପ୍ରତ୍ୟେକ ମତଗଣନା କେନ୍ଦ୍ରରେ ଆବଶ୍ୟକ ଡାକବାଜି ଯନ୍ତ୍ର ବ୍ୟବସ୍ଥା କରାଯିବ । ମତଗଣନା ଟେବୁଲ ସମ୍ମୁଖରେ ଏକ ବେଞ୍ଚରେ କାଉଣ୍ଟିଂ ଏଜେଣ୍ଟଙ୍କ ବସିବା ପାଇଁ ବ୍ୟବସ୍ଥା କରାଯିବ । ଷ୍ଟ୍ରଙ୍ଗ ରୁମ ୨୪ ଘଣ୍ଟିଆ ଚିତ୍ରଉତ୍ତୋଳନ ଯନ୍ତ୍ର(ସିସିଟିଭି) ନଜରରେ ରହିବ । ଷ୍ଟ୍ରଙ୍ଗ ରୁମକୁ ବାଲଟ ବାକ୍ସ ଆସିବାର ଦିନକ ପୂର୍ବରୁ ସିସିଟିଭି ଲାଗିବ ଓ ଭୋଟ ଗଣତି କରି ନିର୍ବାଚନ ଫଳ ଘୋଷଣା ଶେଷ ହେବା ପର୍ଯ୍ୟନ୍ତ ସିସିଟିଭି ଲାଗିବ । ଷ୍ଟ୍ରଙ୍ଗ ରୁମ ବାହାରେ ୨୪ ଘଣ୍ଟିଆ ଦ୍ବିସ୍ତରୀୟ ସୁରକ୍ଷା ରହିବ । ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଷ୍ଟ୍ରଙ୍ଗ ରୁମର ସୁରକ୍ଷା ପର୍ଯ୍ୟବେକ୍ଷଣ ନିମନ୍ତେ ପତ୍ର ମାଧ୍ୟମରେ ଜଣାଇ ଦିଆଯିବ । ୭୨ ଘଣ୍ଟା ପୂର୍ବରୁ ମତଗଣନା ସମ୍ପର୍କରେ ସମସ୍ତ ପ୍ରାର୍ଥୀଙ୍କୁ ଲିଖିତ ଆକାରରେ ଜଣାଯିବ ।
ଗୋଟିଏ ମତଗଣନା ଟେବୁଲ୍ ପାଇଁ ନିର୍ବାଚନ ଅଧିକାରୀ ଜଣେ ଗଣତି ସୁପରଭାଇଜର, ଦୁଇଜଣ ସହକାରୀ ଗଣତି ଓ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏହିପରି ୪ ଜଣଙ୍କୁ ନିୟୋଜିତ କରିବେ । ଗଣତି ଏଜେଣ୍ଟ ନିଯୁକ୍ତି କ୍ଷେତ୍ରରେ ୱାର୍ଡ ମେମ୍ବର, ସରପଞ୍ଚ ଓ ସମିତିସଭ୍ୟ ପଦ ନିମନ୍ତେ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଜଣେ ଲେଖାଏଁ ଏଜେଣ୍ଟ ନିଯୁକ୍ତ କରିପାରିବେ । ଜିଲାପରିଷଦ ସଭ୍ୟ ପଦବୀ ନିମନ୍ତେ ଲଢ଼ୁଥିବା ପ୍ରାର୍ଥୀମାନେ ଜିଲା ପରିଷଦ ନିର୍ବାଚନ ମଣ୍ଡଳୀରେ ଗ୍ରାମପଞ୍ଚାୟତ ସଂଖ୍ୟା ଅନୁସାରେ ଏଜେଣ୍ଟ ନିଯୁକ୍ତ କରିବେ । ମତଗଣନାରେ ନିୟୋଜିତ ଥିବା କର୍ମଚାରୀ ଧାର୍ଯ୍ୟ ସମୟର ୧୫ ମିନିଟ ପୂର୍ବରୁ ମତଗଣନା କେନ୍ଦ୍ରରେ ଉପସ୍ଥିତ ରହିବେ । ମତଗଣନା ସଂପର୍କିତ ସମସ୍ତ କାର୍ଯ୍ୟର ଭିଡ଼ିଓଗ୍ରାଫି କରାଯିବ ବୋଲି ରାଜ୍ୟ ନିର୍ବାଚନ ଆୟୁକ୍ତ ସମସ୍ତ ଜିଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।
