ଭବାନୀପାଟଣା : କଳହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦୁଣ୍ଡା ଗ୍ରାମବାସୀ ଭୋଟ ବର୍ଜନ କରିଛନ୍ତି । ଗତକାଲି ଏଠାରେ ମତଦାନ ଥିବାବେଳେ, ସେମାନେ ଭୋଟ ଦେଇନାହାନ୍ତି । ଏହି ଗାଁକୁ ରାସ୍ତା ନିର୍ମାଣ ପାଇଁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ୨୦୧୪ ରୁ ପ୍ରତିଶ୍ରୁତି ଦେଇ ଆସୁଛନ୍ତି । ମନ୍ତ୍ରୀ ବାରମ୍ବାର ପ୍ରତିଶ୍ରୁତି ଦେଇ ପାଳନ କରୁନଥିବାରୁ ଦୁଣ୍ଡାବାସୀ ଶେଷରେ ଭୋଟ୍ ବର୍ଜନ କଲେ ବୋଲି କ୍ଷୋଭର ସହିତ ପ୍ରକାଶ କରିଛନ୍ତି । ବୁଧବାର ସେଠାରେ ପ୍ରଥମ ପର୍ଯ୍ୟାୟ ମତଦାନ ଥିଲା । ମଙ୍ଗଳବାର ଦୁର୍ଗମ ଅଞ୍ଚଳ ଦୁନ୍ଦେଲମାଲ ପଞ୍ଚାୟତ ଦୁଣ୍ଡା ଗ୍ରାମକୁ ଭୋଟ୍ଦାନ ନିମନ୍ତେ ପୋଲିଂ ପାର୍ଟି ଯାଇଥିଲେ । ହେଲେ ଗ୍ରାମବାସୀ ଭୋଟ୍ ବର୍ଜନ ପାଇଁ ଜିଦ୍ ଧରିଥିଲେ । ପରେ ଗ୍ରାମବାସୀ ପୋଲିଂ ପାର୍ଟିକୁ ଫେରେଇ ଦେଇଥିଲେ । ରାସ୍ତା ନିର୍ମାଣ ଓ ପାନୀୟ ଜଳର ସୁବିଧା ନ ହେଲେ ଗ୍ରାମବାସୀ ଭୋଟ୍ ବର୍ଜନ କରିବେ ବୋଲି ପୂର୍ବରୁ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଲିଖିତ ଜଣାଇଥିଲେ ।
