ରାଉରକେଲା : ଯେତେ ତାଗିଦ୍ କଲେ ମଧ୍ୟ ଯୋଗାଣ ବିଭାଗ ଚାଲିଥିବା କଳା କାରନାମା ସୁଧୁରୁନି । ବରଂ ଦିନକୁ ଦିନ ବଢ଼ି ଚାଲିଛି । ପିଡିଏସ୍ ସାମଗ୍ରୀ ବଣ୍ଟନ କରୁଥିବା କିଛି କଣ୍ଟ୍ରୋଲ ଦୋକାନୀ, ଏସ୍ଏଚ୍ଜିଙ୍କ ସହ ମିଶି ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ପରେ ଗୋଟିଏ ଦୁର୍ନୀତିକୁ ପ୍ରୋତ୍ସାହନ ଦେଉଥିବା ପରି ସାଂଘାତିକ ଅଭିଯୋଗ ହେଉଛି । କେତେବେଳେ ଭୂତ କାର୍ଡ ତ ଅନ୍ୟ କେତେବେଳେ ନକଲି ଓଟିପି (ୱାନ୍ ଟାଇମ୍ ପାସ୍ୱାର୍ଡ)ରେ ଚଳୁ କରାଯାଉଛି ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ। ନକଲି ଓଟିପିର ମଧ୍ୟସ୍ଥତା ସାଜିଛନ୍ତି ଯୋଗାଣ ବିଭାଗର ଜଣେ କରିତକର୍ମା ଡାଟାଏଣ୍ଟ୍ରି ଅପରେଟର । କିଛି କଣ୍ଟ୍ରୋଲ ଦୋକାନ ଓ ଏସ୍ଏଚ୍ଜିଙ୍କ ସହ ଭିତିରି ସଲାସୁତୁରା କରି ନକଲି ନମ୍ବରକୁ ଏଣ୍ଟ୍ରି କରୁଛନ୍ତି । ସେହି ନମ୍ବରକୁ ବ୍ୟବହାର କରି ମାସକୁ ମାସ ଶହ ଶହ କ୍ବିଣ୍ଟାଲ ଚାଉଳ ଓ ଗହମ ହଡପ କରୁଛନ୍ତି । ଯାହାକୁ ବଜାର ମୂଲ୍ୟରେ ବିକି ମାଲେମାଲ୍ ହେଉଛନ୍ତି ।
ଅଭିଯୋଗ ଆସିଲେ ବିଭାଗୀୟ ଅଧିକାରୀ କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜିଙ୍କୁ ନୋଟିସ୍ କରୁଛନ୍ତି । କାର୍ଡରେ ଏଣ୍ଟ୍ରି ହୋଇଥିବା ମୋବାଇଲ ନମ୍ବର ବିସ୍ତୃତ ତଥ୍ୟ ମାଗୁଛନ୍ତି । କିଛି ଦିନ କଲା ପରେ ସ୍ଥିତି ଯେମିତି କୁ ସେମିତି । ଗତ ୬ ମାସ ତଳେ ଏଭଳି ଖବର ପ୍ରକାଶ ପାଇବାରେ ପରେ ଯୋଗାଣ ବିଭାଗ ସଜାଗ ହୋଇଥିଲା । ପାରିବା ପଣିଆ ଜାହିର କରିବାକୁ ଯାଇ କିଛି କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜିକୁ କାରଣ ଦର୍ଶାଅ ନୋଟିସ୍ ଜାରି କରି କାମ ସାରି ଦେଇଥିଲେ । କିନ୍ତୁ ଜଣେ ହେଲେ କଣ୍ଟ୍ରୋଲ ଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା । ଏବେ ପୁଣି କିଛି କରିତକର୍ମା କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଗ୍ରୁପ୍ ଏଭଳି ଧନ୍ଦା ଚଳାଇଥିବା ହିତାଧିକାରୀମାନେ ଅଭିଯୋଗ କରିଛନ୍ତି ।

ସାରା ଜିଲ୍ଲାରୁ ରାଉରକେଲାକୁ ଉଦାହରଣ ରୂପେ ନିଆଯାଉ: ଏ ସହରରେ ମୋଟ୍ ୬୪ ହଜାର ୯୪୫ରୁ ଅଧିକ ରାସନ କାର୍ଡ ରହିଛି । ଏଥି ମଧ୍ୟରୁ ୨ ହଜାର ୮୯୮ ହେଉଛନ୍ତି ଏଏୱାଇ କାର୍ଡ । ଏହି କାର୍ଡରେ ଦିବ୍ୟାଙ୍ଗ, ୬୦ ବର୍ଷରୁ ଅଧିକ ବୟସର ଅସହାୟ ବୃଦ୍ଧବୃଦ୍ଧା, ବିଧବା ଓ କିନ୍ନରଙ୍କୁ ମାସକୁ ୩୫ କେଜି ଲେଖାଏଁ ଚାଉଳ ଦିଆଯାଉଛି । ଏହାଦ୍ବାରା ମୋଟ୍ ୬ ହଜାର ୭୦୭ ଲୋକ ଉପକୃତ ହେଉଛନ୍ତି ବୋଲି କୁହାଯାଉଛି । ଏମାନଙ୍କ ପାଇଁ ମାସକୁ ୧ ହଜାର ୧୪ କ୍ବିଣ୍ଟାଲ ଚାଉଳ ଉଠାଯାଉଛି । ସେମିତି ସହରରେ ରହିଛି ୨୧୧ଟି ଅନ୍ନପୂର୍ଣ୍ଣା କାର୍ଡ । ଯେଉଁ କାର୍ଡ ଜରିଆରେ ମାଗଣାରେ ହିତାଧିକାରୀଙ୍କୁ ମିଳୁଛି ମାସିକ ୧୦ କେଜି ଚାଉଳ। ପ୍ରତିବର୍ଷ ସାଧାରଣ କାର୍ଡଧାରୀଙ୍କ ସଂଖ୍ୟା ବଢ଼ୁଛି ବା କମୁଛି । ‘ୱାନ୍ ନେସନ୍, ୱାନ୍ କାର୍ଡ’ ହେବା ପରେ ବାହାର ସ୍ଥାନ ଓ ବାହାର ରାଜ୍ୟର ଲୋକଙ୍କୁ ବାଦ୍ ଦେବାପରେ ସହରରେ ରାସନ କାର୍ଡ ସଂଖ୍ୟା ପୂର୍ବାପେକ୍ଷା କମିଛି । ବଣ୍ଟନ ଦାୟିତ୍ବରେ ଥିବା ସହରର ୧୬୯ କଣ୍ଟ୍ରୋଲ ଦୋକାନୀ ମଧ୍ୟରୁ ଅଧିକାଂଶଙ୍କ ପାଖରେ କାର୍ଡ ସଂଖ୍ୟା କମିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଗତ ୨୧ ବର୍ଷ ପରେ ମଧ୍ୟ ଏଏୱାଇ କାର୍ଡ ସଂଖ୍ୟା ଯାହା ଥିଲା, ଏବେ ମଧ୍ୟ ସେଇଆ ଅଛି । ଅର୍ଥାତ୍ ସହରରେ ଏଏୱାଇ କାର୍ଡଧାରୀଙ୍କ ସଂଖ୍ୟା କମୁନି କି ବଢ଼ୁନି । ଏହି ୨୧ ବର୍ଷ ଭିତରେ ଅନେକ କାର୍ଡଧାରୀଙ୍କର ପରଲୋକ ଘଟିଥିବ ନିଶ୍ଚୟ । ଯୋଗାଣ ବିଭାଗ ଓ କଣ୍ଟ୍ରୋଲ ଦୋକାନୀଙ୍କ ଭିତିରି ସଲାସୁତୁରା ଯୋଗୁଁ ବର୍ଷ ବର୍ଷ ଧରି ଏହି କାର୍ଡ ସଂଖ୍ୟା ସେମିତି ରହିଥିବା ଅଭିଯୋଗ ହେଉଛି । ଜଣେ ଜଣେ କଣ୍ଟ୍ରୋଲ ଦୋକାନୀ ଓ ଏସ୍ଏଚ୍ଜି ଅଧୀନରେ ବର୍ଷ ବର୍ଷ ଧରି ୩ଟି ରୁ ଆରମ୍ଭ କରି ୨୭୦ ଟି ଏଏୱାଇ କାର୍ଡ ରହିଛି ।
ଝାତରଙ୍ଗର ଏକ ଏସ୍ଏଚ୍ଜିର ଅଧୀନରେ ୨୭୦ଟି, ୱାର୍ଡ ନଂ ୭ ର ଅନ୍ୟ ଏକ ଏସ୍ଏଚ୍ଜି ପାଖରେ ୧୮୦ଟି, ସେକ୍ଟର-୨୦ର ଏସ୍ଏଚ୍ଜି ନିକଟରେ ୧୪୫ଟି ଏଏୱାଇ କାର୍ଡ ରହିଛି । ୱାର୍ଡ ନଂ ୫ରେ ସେମିତି ଏକ ଏସ୍ଏଚ୍ଜି ପାଖରେ ୧୧୨ଟି, ୱାର୍ଡ ନଂ ୩୧ ରେ ଆଉ ଏକ ଏସ୍ଏଚ୍ଜିରେ ୭୩ଟି ଏଏୱାଇ କାର୍ଡ ରହିଛି । ଅନୁରୂପ ଭାବେ ୱାର୍ଡ ନଂ ୧ରେ ଜଣେ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ସର୍ବାଧିକ ୮୮ଟି, ୱାର୍ଡ ନଂ-୫ର ଦୁଇ କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ଯଥାକ୍ରମେ ୬୨ ଓ ୪୨ଟି କାର୍ଡ ରହିଛି । ଏମିତି ଭାବେ ଅନ୍ୟ କିଛି କଣ୍ଟ୍ରୋଲ ଦୋକାନୀଙ୍କ ପାଖରେ ୨୬, ୩୨, ୨୫, ୨୨, ୪୦ଟି କରି ଏଏୱାଇ କାର୍ଡ ରହିଛି । ମାସକୁ ମାସ ଏଏୱାଇ କାର୍ଡ ନାଁରେ କ୍ବିଣ୍ଟାଲ କ୍ବିଣ୍ଟାଲ ଚାଉଳ କଣ୍ଟ୍ରୋଲ ଦୋକାନୀଙ୍କୁ ବଣ୍ଟନ କରିବାକୁ ଦିଆଯାଉଛି । ଏଥିରୁ ୬୦% ବଣ୍ଟନ ହେଉଛି, ଅବଶିଷ୍ଟ ୪୦% କଣ୍ଟ୍ରୋଲ ଦୋକାନୀଙ୍କ ପକେଟକୁ ଯାଉଛି ବୋଲି ଅଭିଯୋଗ ହେଉଛି । କାରଣ ଯେତିକି ଏଏୱାଇ କାର୍ଡ ରହିଛି, ସେତିକି ହିତାଧିକାରୀ ନାହାନ୍ତି । ଏମାନଙ୍କ ମଧ୍ୟରୁ କିଛି ହିତାଧିକାରୀଙ୍କର ମୃତ୍ୟୁ ହୋଇ ସାରିଲାଣି । ମାତ୍ର ସେମାନଙ୍କ କାର୍ଡରେ ମାସକୁ ମାସକୁ ଚାଉଳ ଉଠା ଚାଲିଛି । ସେମିତି ୨୧ ବର୍ଷ ପୂର୍ବରୁ ଯେଉଁମାନେ ଏଏୱାଇ କାର୍ଡ ପାଇଥିଲେ, ସେମାନେ ଏବେ ଅଛନ୍ତି କି ନାହିଁ, ତାହା ମଧ୍ୟ ଯାଞ୍ଚ କରାଯାଉ ନାହିଁ । ଏଥିପ୍ରତି ନାଁ ଯୋଗାଣ ବିଭାଗ ନା ତଦାରଖ ଦାୟିତ୍ବରେ ଥିବା ରାଉରକେଲା ମହାନଗର ନିଗମ (ଆର୍ଏମ୍ସି) କାହାରି ନଜର ନାହିଁ । ମାସକୁ ମାସ ଏଏୱାଇ କାର୍ଡ ନାଁରେ ବାଟମାରଣା ହେଉଥିବା ଲକ୍ଷ ଲକ୍ଷ ଟଙ୍କାର ଚାଉଳର ବିଧିବଦ୍ଧ ତଦନ୍ତ ହେବାର ଆବଶ୍ୟକତା ରହିଛି ।