ସରକାରଙ୍କ ନିୟମାବଳୀକୁ ମାନୁ ନାହିଁ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ

ଭୁବନେଶ୍ବର : କରୋନା ସଂକ୍ରମଣ କମିଲାଣି । ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ କ୍ଲାସରୁମ୍‌ ପାଠପଢ଼ା ସ୍ବାଭାବିକ ହେଲାଣି । ପିଲାମାନେ ଶିକ୍ଷାନୁଷ୍ଠାନ ଆସିବା ସହ କ୍ଲାସରୁମ୍‌ରେ ଶିକ୍ଷା ଗ୍ରହଣ କରୁଛନ୍ତି । ଯେଉଁଥି ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିସନର(ଏସ୍‌ଆରସି)ଙ୍କ ପକ୍ଷରୁ ଗତ ୩ ତାରିଖରେ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ୪ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇ ପରୀକ୍ଷା ପରିଚାଳନା ସଂକ୍ରାନ୍ତ ଗାଇଡ୍‌ଲାଇନ୍‌ ଜାରି ହୋଇଛି । ଏଥିରେ କୁହାଯାଇଛି ଯେ ଜାନୁଆରି ୧୦ ପୂର୍ବରୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ଜାରି କରିଥିବା ଗାଇଡ୍‌ଲାଇନ୍‌ ଅନୁଯାୟୀ ପରୀକ୍ଷା କରାଇବେ । ମାତ୍ର ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି) କର୍ତୃପକ୍ଷ ସରକାରଙ୍କ ନିୟମାବଳୀକୁ ମୋଡ଼ି ମକଚି ଦେଇ ଅନ୍‌ଲାଇନ୍‌ରେ ପରୀକ୍ଷା କରିବାକୁ ବିଜ୍ଞପ୍ତି ଜା‌ରି କରିଛନ୍ତି । ବିପିୟୁଟିର ହଠାତ୍‌ ଏଭଳି ନିଷ୍ପତ୍ତିକୁ ନେଇ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ବି ଆଶ୍ଚର୍ଯ୍ୟପ୍ରକଟ କରିବା ସହ ପ୍ରଶ୍ନ ଉଠାଇଛନ୍ତି । ବିପିୟୁଟି ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ସମସ୍ତ କଲେଜର ଅଡ୍‌ (ଅଯୁଗ୍ମ) ସେମିଷ୍ଟର ପରୀକ୍ଷା ଅନ୍‌ଲାଇନ୍‌ ମୋଡ୍‌ରେ ଅନୁଷ୍ଠିତ ହେବ । ୨୦୨୧-୨୨ ଶିକ୍ଷାବର୍ଷର ବି.ଟେକ୍‌, ବି.ଫାର୍ମା, ବି.ପ୍ଲାନ୍‌ ପାଠ୍ୟକ୍ରମର ୭ମ ଓ ବି.ଆର୍କିଟେକ୍‌, ଆଇ-ଏମ୍‌ବିଏ, ଆଇ-ଏମ୍‌ଏସ୍‌ସି ପାଠ୍ୟକ୍ରମର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଅନ୍‌ଲାଇନ୍‌ରେ କରାଯିବ । କଲେଜ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ସେମିଷ୍ଟର ପରୀକ୍ଷା ଫି’, ରି-ଆଡମିସନ ଫି’ ବାବଦରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ । ବିପିୟୁଟିର ଏଭଳି ନିଷ୍ପତ୍ତି ରାଜ୍ୟ ସରକାରଙ୍କ ନିର୍ଦେଶାବଳୀଠାରୁ ସମ୍ପୂର୍ଣ୍ଣ ଅଲଗା । କାରଣ ଜାନୁଆରି ୧୦ ତାରିଖ ପୂର୍ବରୁ ଅର୍ଥାତ୍‌ ଡିସେମ୍ବର ୧୭ରେ ବିଶ୍ବବିଦ୍ୟାଳୟ ପକ୍ଷରୁ ଅଫ୍‌ଲାଇନ୍‌ ପରୀକ୍ଷା କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ଯେଉଁଥିରେ ଉଲ୍ଲେଖ ଥିଲା ୨୦୨୧-୨୨ ଶିକ୍ଷାବର୍ଷର ରେଗୁଲାର ଓ ବ୍ୟାକ୍‌ ଛାତ୍ରଛାତ୍ରୀ ଅଡ୍‌ ସେମିଷ୍ଟର ପରୀକ୍ଷା କୋଭିଡ୍‌ ନିୟମ ଅନୁଯାୟୀ ଅଫ୍‌ଲାଇନ୍‌ରେ କରାଯିବ । ତେଣୁ ଏଦିଗରେ ପଦକ୍ଷେପ ନେବା ସହ ଆଗକୁ ଥିବା ସେମିଷ୍ଟର ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ କଲେଜ କର୍ତୃପକ୍ଷଙ୍କୁ କୁହାଯାଇଥିଲା । ଜାନୁଆରି ୧୦ ପୂର୍ବରୁ ବିପିୟୁଟି କର୍ତୃପକ୍ଷ ଏହି ନିଷ୍ପତ୍ତି ନେଇଥିବା ବେଳେ ଏବେ କିଭଳି ଏସ୍‌ଆରସି ଓ ବୈଷୟିକ ଶିକ୍ଷା ବିଭାଗର ବିଜ୍ଞପ୍ତିକୁ ନ ମାନି ଅନ୍‌ଲାଇନ୍‌ ପରୀକ୍ଷା କରିବାକୁ ସ୍ଥିର କଲେ ତାହା ପ୍ରଶ୍ନବାଚ୍ଚୀ ସୃଷ୍ଟି କରିଛି । ବିଭିନ୍ନ କଲେଜ କର୍ତୃପକ୍ଷଙ୍କ କହିବା କଥା ହେଉଛି ଯେ ବିପିୟୁଟି କର୍ତୃପକ୍ଷ ଜାଣିଶୁଣି ଏଭଳି କରୁଛନ୍ତି । ଏହି ନିଷ୍ପତ୍ତି ପଛରେ କିଛି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତିଙ୍କ ହାତ ରହିଛି । ଅନ୍‌ଲାଇନ୍‌ ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥାକୁ ପ୍ରୋତ୍ସାହିତ କରିବାକୁ ଏଭଳି ଯୋଜନା ହୋଇଛି । ଏବେ ସବୁ କିଛି ସ୍ବାଭାବିକ ଥିବା ବେଳେ ଅନ୍‌ଲାଇନ୍‌ ପରୀକ୍ଷା କରାଯିବାର କାରଣ କ’ଣ ? ଇଞ୍ଜିନିୟରିଂ, ଏମ୍‌ବିଏ, ଏମ୍‌ସିଏ, ଫାର୍ମାସି, ଆର୍କିଟେକ୍‌ ପରି ଗୁରୁତ୍ବପୂର୍ଣ୍ଣ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀଙ୍କ ଅନ୍‌ଲାଇନ୍‌ ପରୀକ୍ଷା କରାଗଲେ ସେମାନଙ୍କ ବିକାଶ କିଭଳି ହେବ ? ବିଶ୍ବବିଦ୍ୟାଳୟ ପରୀକ୍ଷା ନିର୍ଦେଶକ ଦୀପକ ସାହୁଙ୍କ କହିବାନୁଯାୟୀ ବୋର୍ଡ ଅଫ୍‌ ମ୍ୟାନେଜ୍‌ମେଣ୍ଟ ନିଷ୍ପତ୍ତି ଅନୁଯାୟୀ ପରୀକ୍ଷା ମୋଡ୍‌ ଧାର୍ଯ୍ୟ ହୋଇଛି ।

Leave a Reply

Your email address will not be published. Required fields are marked *