ନିଜ ପଞ୍ଚାୟତରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେଲେ କ୍ରୀଡ଼ାମନ୍ତ୍ରୀ

ଅସ୍ତରଙ୍ଗ : କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଅସ୍ତରଙ୍ଗ ବ୍ଲକ୍‌ ଅନ୍ତର୍ଗତ ନିଜ ପଞ୍ଚାୟତ ନଗରରେ ଲୋକଙ୍କ ବିରୋଧର ସମ୍ମୁଖୀନ ହେବାସହ ହଟହଟା ହୋଇଛନ୍ତି । ପଞ୍ଚାୟତର ୧୬ ନମ୍ବର ୱାର୍ଡରେ ଜଣକ ଘରେ ପ୍ରାୟ ଏକ ଘଣ୍ଟା କାଳ ଲୋକଙ୍କ ନଜରବନ୍ଦୀରେ ରହିବାପରେ ଅସ୍ତରଙ୍ଗ ପୁଲିସ ଖବର ପାଇ ତାଙ୍କୁ ଉଦ୍ଧାର କରିଥିଲା । ଏହି ଘଟଣା ଆଜି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁଯାୟୀ, ମନ୍ତ୍ରୀ ଶ୍ରୀ ବେହେରା ଗତକାଲି ରାତିରେ ନଗର ପଞ୍ଚାୟତର ଝିଞ୍ଜିରାଇ ମନ୍ଦିରରେ ଏକ ବୈଠକ କରୁଥିଲେ । ସେଠାରେ ଉପସ୍ଥିତ କେତେକ ଯୁବକ ନିଜ ଅଞ୍ଚଳର ସମସ୍ୟା ବିଷୟରେ ତାଙ୍କୁ ନାନା ପ୍ରଶ୍ନ ପଚାରିଥିଲେ । ବୈଠକରେ ଆଲୋଚନା ଓ ଲୋକେ ପ୍ରଶ୍ନ କରିବା ବେଳେ କେତେକ ଯୁବକ ଏହାର ଭିଜୁଆଲ୍ ରେକର୍ଡିଂ କରୁଥିବାରୁ ତାହକୁ ମନ୍ତ୍ରୀ ବିରୋଧ କରି ସେଠାରୁ ଉଠି ଚାଲିଯାଇଥିଲେ । ପରେ ରାତି ପ୍ରାୟ ୧୦ଟା ୪୫ ରେ ୧୬ ନମ୍ବର ୱାର୍ଡରେ ଜଣେ ବ୍ୟକ୍ତିଙ୍କ ଘରକୁ ଯିବାବେଳେ ତାଙ୍କୁ ଲୋକେ ଘେରିଯାଇଥିଲେ । ତେବେ ଲୋକଙ୍କ ପ୍ରଶ୍ନର ଜବାବ ନରଖି ଘରେ ପଶି ଭିତରପଟୁ କବାଟ ବନ୍ଦ କରିଦେବାରୁ ଉତ୍ତେଜନା ବଢ଼ିଥିଲା । ଏହାପରେ ସ୍ଥାନୀୟ ଅଞ୍ଚଳରୁ ଅଧିକ ସଂଖ୍ୟାରେ ଲୋକେ ପହଞ୍ଚି ହୋହଲ୍ଲା ଆରମ୍ଭ କରିଦେଇଥିଲେ । ବାହାରେ ପ୍ରବଳ ଲୋକ ହୋହଲ୍ଲା କରୁଥିଲା ବେଳେ ମନ୍ତ୍ରୀ ବାହାରକୁ ବାହାରି ନିଜ ପଞ୍ଚାୟତର ଲୋକଙ୍କୁ ସାମ୍ନା କରିପାରିନଥିଲେ । ପ୍ରାୟ ୧ ଘଣ୍ଟା ବନ୍ଦ ଘରେ ଅଟକ ରହିବା ପରେ ଅସ୍ତରଙ୍ଗ ଓ କାକଟପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା । ରାତି ପ୍ରାୟ ୧୧ଟା ରେ ମନ୍ତ୍ରୀଙ୍କୁ ସେଠାରୁ ଉଦ୍ଧାର କରାଯାଇଥିବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *