ଖଲ୍ଲିକୋଟ, : ନକଲି ଥାନା ଅଧିକାରୀ ଗିରଫ । ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲିକଙ୍କ ନାମ କହି ସାଧାରଣ ଲୋକଙ୍କୁ ଦେଉଥିଲେ ଧମକ । ଏହି ଧମକର ଫୋନ ରେକଡ଼ିଂ ଭାଇରାଲ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରି ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।
ସୂଚନାନୁସାରେ, କୌଣସି ଏକ ଘଟଣାକୁ ନେଇ ଭରସା ଗ୍ରାମର ଅର୍ଜୁନ ସେଠି ନାମକ ଜଣେ ବ୍ୟକ୍ତିଙ୍କୁ ଏକ କଲ୍ ଆସିଥିଲା । ଫୋନ୍ କରିଥିବା ବ୍ୟକ୍ତି ଥାନା ଅଧିକରୀଙ୍କ ନାମ କହି ବିଭିନ୍ନ ପ୍ରକାର ଧମକ ଦେଇଥିଲେ । ଏପରିକି ଉଠେଇ ନେଇ କେସରେ ଫଶାଇ ଦେବାକୁ କହିଥିଲେ । ସେପଟେ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଏହି ଖବର ପାଇବା ପରେ ଅଧିକ ତଦନ୍ତ ଆରମ୍ଭ କରିଥିଲେ ।
ତଦନ୍ତ ପରେ ନିଜକୁ ଥାନା ଅଧିକାରୀ କହୁଥିବା ଚିକିଲି ଗ୍ରାମର ସୁନୀଲ କୁମାର ଗୌଡ଼କୁ ଗିରଫ କରାଯାଇଛି । ପରେ ତାଙ୍କୁ କୋର୍ଟ ଚାଲାଣ କରାଯିବ । ଏନେଇ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି |
