ମଥୁରା : ମଥୁରା ଥାନା ଯମୁନାପାର ଥାନା ଅନ୍ତର୍ଗତ ମଥୁରା-କାଶଗଞ୍ଜ ରେଲୱେ ଟ୍ରାକରେ ଶନିବାର ଦିନ ଟ୍ରେନ ଚାପାରେ ଦୁଇ କିଶୋରଙ୍କ ମୃତ୍ୟୁ ହୋଇଛି। ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଦୁଇ କିଶୋର କାନରେ ଇୟରଫୋନ ଲଗାଇଥିଲେ ଓ ମୋବାଇଲରେ ଅନଲାଇନ ‘PUBG’ ଖେଳୁଥିଲେ ବୋଲି କୁହାଯାଉଛି। ଗେମ ଖେଳିବା ସମୟରେ ଦୁହେଁ ଦୁର୍ଘଟଣାର ଶିକାର ହୋଇଛନ୍ତି।
ସୂଚନା ଅନୁଯାୟୀ, ଲକ୍ଷ୍ମୀନଗର ନିକଟରେ ସିଏନଜି ପମ୍ପ ପଛପଟେ ଯାଇଥିବା ମଥୁରା-କାଶଗଞ୍ଜ ରେଲୱେ ଲାଇନରେ ଦୁଇ ଯୁବକଙ୍କ ମୃତଦେହ ପଡିଥିଲା। ମୃତଦେହ ଦେଖି ସେହି ବାଟ ଦେଇ ଯାଉଥିବା ଲୋକେ ପୋଲିସକୁ ସୂଚନା ଦେଇଥିଲେ। ଦୁଇ ଯୁବକ ହେଲେ କପିଲ (୧୮) ଓ ଗୌରବ କୁମାର (୧୮)। ଦୁହିଁଙ୍କ ଘର ଯମୁନାପାର କାଳିନ୍ଦୀ କୁଞ୍ଜରେ। ଇୟରଫୋନ ଲଗାଇ ଦୁହେଁ ମୋବାଇଲରେ ପବଜି ଖେଳୁଥିଲେ। ଏତିକିବେଳେ ଟ୍ରେନ ଆସିବା ଜାଣିପାରିନଥିଲେ ଓ ଦୁର୍ଘଟଣାର ଶିକାର ହୋଇଥିଲେ।
ଜଣକର ମୋବାଇଲ ଭାଙ୍ଗି ଯାଇଥିବାବେଳେ ଆଉ ଜଣକ ମୋବାଇଲରେ ପବଜି ଚାଲୁଥିବା ମିଳିଥିଲା। ଦୁହିଁଙ୍କୁ କେଉଁ ଟ୍ରେନ ଚାପି ଦେଇଥିଲା ତାହା ଏବେ ଯାଏଁ ଜଣାପଡ଼ିନି। ଇନ୍ସପେକ୍ଟର ଶଶୀ ପ୍ରକାଶ କହିଛନ୍ତି ଯେ ମୋବାଇଲରେ ପବଜି ଚାଲୁଥିବା ଅବସ୍ଥାରେ ମିଳିଥିବାରୁ ଦୁହେଁ ଇୟରଫୋନ ଲଗାଇ ଗେମ ଖେଳୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛନ୍ତି। ଯୁବକଙ୍କ ମୃତ୍ୟୁ ଖବର ପରିବାର ଲୋକଙ୍କୁ ଦିଆଯାଇଛି। ଯୁବକଙ୍କ ମୃତ୍ୟୁ ଖବରରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
