ବାଲିଗୁଡ଼ା : କନ୍ଧମାଳରେ ଅପରେସନ ନୀଳ ଜହର । ପୁଣି ଥରେ କୋଟି କୋଟିର ଗଞ୍ଜେଇ ଚାଷକୁ ନଷ୍ଟ କଲା ଅବକାରୀ ବିଭାଗ ଓ ବାଲିଗୁଡ଼ା ପୋଲିସ । ତେବେ ନଷ୍ଟ ହୋଇଥିବା ଗଞ୍ଜେଇ ଚାଷର ଆନୁମାନିକ ମୂଲ୍ୟ ୧୦ କୋଟି ଟଙ୍କାରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଖବର ଅନୁଯାୟୀ, ବାଲିଗୁଡ଼ା ଥାନା ରେବିଙ୍ଗିଆ ପଞ୍ଚାୟତ ଗଡ଼ାପିଞ୍ଝା ଗାଁରେ ବେଆଇନ୍ ଭାବେ ଗଞ୍ଜେଇ ଚାଷ କରାଯାଉଥିଲା । ବାହାର ରାଜ୍ୟର ମାଫିଆ ଆଦିବାସୀଙ୍କୁ ହାତ କରି ଏଠାରେ ଗଞ୍ଜେଇ ଚାଷ କରୁଥିଲେ । ଯାହାର ସୂଚନା ସ୍ଥାନୀୟ ପୋଲିସ ଓ ଅବକାରୀ ବିଭାଗ ନିକଟରେ ପହଞ୍ଚିଥିଲା । ଏହାପରେ ଅବକାରୀ ବିଭାଗ ଓ ବାଲିଗୁଡ଼ା ପୋଲିସ ଅପରେସନ ଗ୍ରୀନ୍କ୍ଲିନ୍ ଆରମ୍ଭ କରିଥିଲା । ଏହିକ୍ରମରେ ଉକ୍ତ ଗାଁରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ପ୍ରାୟ ୧୨୫ ଏକରରେ ହୋଇଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ବିଭାଗ ଓ ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୧୦ କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ପୋଲିସ ଓ ଅବକାରୀ ବିଭାଗର କାର୍ଯାନୁଷ୍ଠାନରେ ଗଞ୍ଜେଇ ମାଫିଆଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି l ତେବେ ଏହି ବେଆଇନ୍ ଗଞ୍ଜେଇ ଚାଷ ନେଇ ବାଲିଗୁଡ଼ା ଥାନାରେ ମାମଲା ରୁଜୁ ହୋଇଛି ।
