ସରକାରୀ ଜମିରେ ଭାସ୍କର ପ୍ଲାଣ୍ଟର ଜୋର ଜବରଦସ୍ତି ଜମି ଅଧିଗ୍ରହଣକୁ ସ୍ଥାନୀୟ ଗ୍ରାମବାସୀଙ୍କ ବିରୋଧ

ବଣାଇ : ବଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଗମଲେଇ ଗାଁ ନିକଟରେ ଥିବା ଭାସ୍କର ପ୍ଲାଣ୍ଟ ଗ୍ରାମବାସୀଙ୍କ ବିନା ସହମତି ରେ ପ୍ଲାଣ୍ଟର ସଂପ୍ରସାରଣ କାର୍ଯ୍ୟ କରୁଥିବା ବେଳେ ଆଜି ସ୍ଥାନୀୟ ଲୋକଙ୍କ ଦ୍ବାରା ବିରୋଧର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।


ଘଟଣା ରୁ ପ୍ରକାଶ ଯେ, ଆଜକୁ ପ୍ରାୟ ୪ ବର୍ଷ ପୂର୍ବରୁ କମ୍ପାନୀ କର୍ତ୍ତୃପକ୍ଷ ଗ୍ରାମ ବାସୀଙ୍କ ଅଗୋଚରରେ ସରକାରୀ ଅଧିକାରୀଙ୍କୁ ହାତକରି (ଇଡକୋ) ଠାରୁ ୧୧.୫ ଏକର ଜମି ନିଜ ନାମରେ ଲିଜ୍ ସୂତ୍ରରେ ହାତେଇ ଥିବା ଜଣାପଡିଛି ।  ଗ୍ରାମବାସୀ ସେ ସମ୍ପର୍କରେ ସମ୍ୟକ୍ ସୂଚନା ମଧ୍ୟ ପାଇନାହାନ୍ତି । ଯଦ୍ଵାରା ଗତକାଲି ବାଉଣ୍ଡାରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ଜମି ଅଧିଗ୍ରହଣ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ଵାରା ପ୍ରବଳ ବିରୋଧ କରାଯାଇଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଗ୍ରାମ ନିକଟରେ ଥିବା ସରକାରୀ ପତିତ ଜମିରେ ଗାଇ , ଗୋରୁ ଚରିବା ସହିତ ଜାଗାଟି ଶ୍ମଶାନ ଭାବେ ମଧ୍ୟ ବ୍ୟବହାର କରାଯାଉଛି । ପ୍ରଦୂଷଣ ବଳୟରେ ଆଖପାଖର ୧୦ ଟି ଗାଁ ପ୍ରଭାବିତ ହେଉଥିବା ବେଳେ, ସ୍ଥାନୀୟ ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି, ନିଯୁକ୍ତି ପାନୀୟ ଜଳ, ଗମନାଗମନ ରେ ପ୍ଲାଣ୍ଟ କର୍ତୁପକ୍ଷ ଚରମ ଅବହେଳା କରୁଥିବା ଅଭିଯୋଗ ହେଉଛି । ବିଡ଼ମ୍ବନାର ବିଷୟ ଯେ ଦୁଇବର୍ଷ ପୂର୍ବେ ଜଙ୍ଗଲ ବିଭାଗ ଦ୍ଵାରା କାମ୍ପା ଫଣ୍ଡରୁ ସେହି ଜାଗାରେ ବୃକ୍ଷ ରୋପଣ କରାଯାଇଥିବା ବେଳେ, ବର୍ତମାନ ତାକୁ କାଟି ଜମି ଅଧିଗ୍ରହଣ କରିବା କେତେ ଯୁକ୍ତି ଯୁକ୍ତ ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ତେଣୁ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଏହାର ସମାଧାନ ନ କଲେ , ଗ୍ରାମ ବାସୀ ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *