ଭୁବନେଶ୍ୱର : ୟୁକ୍ରେନ୍ରୁ ଫେରିଲେ ଭାରତୀୟ ଛାତ୍ରଛାତ୍ରୀ । ୟୁକ୍ରେନ୍ର ଉତ୍ତର ପଟ ରୁଷିଆ ଦଖଲ କରିସାରିଥିବା କାରଣରୁ ଦକ୍ଷିଣ ପଟ ଦେଇ ଭାରତ ଆସିଛନ୍ତି ଏହି ଛାତ୍ରଛାତ୍ରୀ । ଭୁବନେଶ୍ୱରରେ ପହଞ୍ଚିବା ପରେ ବେଶ୍ ଖୁସି ଅନୁଭବ କରିଛନ୍ତି । ତେବେ ସେମାନେ ନିଜେ ସୁରକ୍ଷିତ ହୋଇ ଫେରିଛନ୍ତି ସତ, ହେଲେ ସେଠାରେ ଫସି ରହିଥିବା ସେମାନଙ୍କ ବନ୍ଧୁମାନଙ୍କ ପାଇଁ ଚିନ୍ତା ପ୍ରକଟ କରିଛନ୍ତି । ସେଠାକାର ସ୍ଥିତି ଭୟାବହ ହେବାକୁ ଲାଗିଛି । ପ୍ରତି ମୁହୂର୍ତ୍ତରେ ଆକାଶରୁ ବାରୁଦ ଖସୁଛି । ଅପରେସନ୍ ଗଙ୍ଗାରେ ଏହି ଛାତ୍ରଛାତ୍ରୀମାନଙ୍କୁ ଉଦ୍ଧାର କରାଯାଇଛି ।
ସେହିପରି ଏବେ ବି ୟୁକ୍ରେନରେ ପାଖାପାଖି ୧୦ ହଜାର ଭାରତୀୟ ଫସି ରହିଛନ୍ତି । ୟୁକ୍ରେନରୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ଅତିଶ ନାଗର କହିଛନ୍ତି , ‘ଦଶ ହଜାରରୁ ଅଧିକ ଭାରତୀୟ ଛାତ୍ର ଏବେ ବି ସେଠାରେ ଫସି ରହିଛନ୍ତି । ଆମେ ଚାହୁଁଛୁ କି, ସେମାନଙ୍କୁ ଯଥାଶୀଘ୍ର ଭାରତ ଫେରାଇ ଅଣାଯାଉ । ସରକାରଙ୍କ ଠାରୁ ଆମର ଆଶା ରହିଛି ଯେ, ସେ ୟୁକ୍ରେନରେ ଫସିଥିବା ସମସ୍ତ ଭାରତୀୟ ନାଗରିକଙ୍କୁ ଫେରାଇ ଆଣିବେ’ ।
