କଲମପୁର : ପଂଚମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନରେ ବାଲିଛଡା ଗ୍ରାମର ୫ ନମ୍ବର ୱାର୍ଡ ବାସିନ୍ଦାଙ୍କ ପାଇଁ ଗ୍ରାମର ଅନ୍ୟ ପଡ଼ାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ମତଦାନ କେନ୍ଦ୍ର ଭାବେ ପ୍ରଶାସନ ତରଫରୁ ଚିହ୍ନଟ କରାଯାଇଥିଲା । ପୂର୍ବରୁ ଏହି ୱାର୍ଡ ବାସିନ୍ଦା ଗାଁ ସ୍କୁଲ କୋଠାରେ ଭୋଟ ଦେଇ ଆସୁଥିଲେ । କିନ୍ତୁ ସ୍କୁଲ କୋଠାର ଅବସ୍ଥା ବିପଦ ସଂକୁଳ ଥିବାରୁ ପ୍ରଶାସନ ଅଘଟଣର ଆଶଙ୍କା କରି ପାଠ୍ୟଦାନ ପାଇଁ ନିକଟସ୍ଥ ବାତ୍ୟା ଅଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଥିବା ବେଳେ ମତଦାନ ପାଇଁ ୪ ନମ୍ବର ୱାର୍ଡର ଭୋଟରଙ୍କ ପାଇଁ ବାତ୍ୟା ଆଶ୍ରୟ ସ୍ଥଳକୁ ଚିହ୍ନଟ କରାଯାଇଥିବା ବେଳେ ୱାର୍ଡ ନମ୍ବର ୫ ର ମତଦାତାଙ୍କ ପାଇଁ ଗାଁରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଚୟନ କରିଥିଲେ । କିନ୍ତୁ ନିର୍ବାଚନର ପୂର୍ବ ସଂଧ୍ୟାରେ ୫ ନମ୍ବର ୱାର୍ଡର ମତଦାତା ନିଜ ୱାର୍ଡରେ ମତଦାନ କେନ୍ଦ୍ର କରିବାକୁ ଅଡିବସିଥିଲେ । ଶେଷ ମୂହୁର୍ତରେ ପ୍ରଶାସନ ଦ୍ୱାରା ମତଦାନ କେନ୍ଦ୍ର ପରିବର୍ତି କରିବା ସମ୍ଭବ ନଥିବାରୁ ୱାର୍ଡର ମତଦାତା ଭୋଟ ବର୍ଜନ କରିବାର ନିଷ୍ପତିରେ ଅଟଳ ରହିଲେ । କଲମପୁର ବ୍ଲକରେ ଶାନ୍ତି ଶୃଙ୍ଖଳାର ସହିତ ଶେଷ ହେଇଛି ତ୍ରୀସ୍ତରୀୟ ପଂଚାୟତ ନିର୍ବାଚନ । ସଂଧ୍ୟା ୬ ଟା ସୁଦ୍ଧା ସମସ୍ତ ବୁଥରେ ନିୟୋଜିତ ପୁଲିଂ ପାର୍ଟି ମତଦାନ କେନ୍ଦ୍ରଗୁଡିକରୁ ବ୍ଲକ କାର୍ଯ୍ୟାଳୟକୁ ଫେରି ଆସିଥିଲେ । ୧୩୧ ମତଦାନ ଗ୍ରହଣ କେନ୍ଦ୍ର ମଧ୍ୟରୁ କେବଳ ବାଲିଛଡା ୫ ନମ୍ବର ମତଦାନ କେନ୍ଦ୍ରର ଭୋଟର ଭୋଟ ବର୍ଜନ କରିଥିବା ବେଳେ, ୧୩୦ ଗୋଟି ବୁଥରେ ମତଦାନ ହେଇଥିଲା । ୨ ଗୋଟି ଜିଲ୍ଲା ପରିଷଦ ଜୋନର ୯ ଗୋଟି ପ୍ରାର୍ଥୀଙ୍କ ସମେତ ୫୭ ସମିତି ସଭ୍ୟ ୫୨ ସରପଂଚ ଓ ୧୫୧ ଜଣ ୱାର୍ଡ ସଭ୍ୟଙ୍କ ଭାଗ୍ୟ ବ୍ଲକ କାର୍ଯ୍ୟାଳୟର ଷ୍ଟ୍ରଙ୍ଗରୁମରେ ସିଲ ହେଇଯାଇଛି ।
