ରାୟଗଡ଼ା : ଆନ୍ଧ୍ର ସୀମାନ୍ତରେ ବିକାଶ ଖୋଜୁଛି ଓଡ଼ିଶାର ଗାଁ କେରାଣ୍ଡି । ସରକାରଙ୍କ ମାଳ ମାଳ ଯୋଜନା ସତ୍ତ୍ବେ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହୋଇ ନାନା ଅସୁବିଧାରେ ଦିନ କାଟୁଛନ୍ତି ଗ୍ରାମବାସୀ । ଗାଁକୁ ଯିବା ପାଇଁ ନା ଅଛି ଭଲ ରାସ୍ତା, ନା ଗାଁରେ ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷା ବ୍ୟବସ୍ଥା କଥା ନ କହିବା ଭଲ । ବିଦ୍ୟାଳୟ ତ ଦୂରର କଥା ପ୍ରାଥମିକ ଶିକ୍ଷା ପାଇଁ ଗାଁରେ ଅଙ୍ଗନବାଡ଼ି କେନ୍ଦ୍ରଟିଏ ମଧ୍ୟ ନାହିଁ । ଜୀବନ ଜୀବିକା ପାଇଁ ଗ୍ରାମବାସୀ ଆନ୍ଧ୍ର ଉପରେ ନିର୍ଭରଶୀଳ ।
ରାୟଗଡ଼ା ବ୍ଲକ୍ ହାଟଶେଷଖାଲ ପଞ୍ଚାୟତ ଅଧୀନରେ ରହିଛି କେରାଣ୍ଡି ଗାଁ । ପାହାଡ଼ ପାଦଦେଶ ଓ ନାଗାବଳୀ ନଦୀକୂଳରେ ଥିବା ଏହି ଗାଁରେ ବସବାସ କରୁଛନ୍ତି ଆଦିବାସୀ ସଂପ୍ରଦାୟର ଲୋକ । ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ ପରେ ଆନ୍ଧ୍ର ବଜାରରେ ବିକ୍ରି କରି ଗ୍ରାମବାସୀ ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଛନ୍ତି, ହେଲେ ଗ୍ରାମବାସୀଙ୍କ ଦାବି ପ୍ରତି ଜିଲ୍ଲା ପ୍ରଶାସନ କିମ୍ବା ଲୋକ ପ୍ରତିନିଧିଙ୍କ ଦୃଷ୍ଟି ପଡୁନି । ଫଳରେ ପାହାଡ଼ିଆ ଓ ମାଟି ରାସ୍ତା ଗ୍ରାମବାସୀଙ୍କ ଯାତାୟାତର ମାଧ୍ୟମ ପାଲଟିଛି । ବର୍ଷା ଦିନରେ ନଦୀ ଫୁଲିଲେ ଗ୍ରାମବାସୀ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହୁଛନ୍ତି । ଗ୍ରାମରେ ବିଦ୍ୟାଳୟ ନଥିବାରୁ ନାଗାବଳୀ ନଦୀ ଡେଇଁ ୬ କିମି ଦୂରରେ ଥିବା ହାଟଶେଷଖାଲ ସ୍କୁଲକୁ ପିଲା ପାଠ ପଢ଼ିବାକୁ ଯାଉଛନ୍ତି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ର ନଥିବା ଯୋଗୁ ଗ୍ରାମର ଶିଶୁ ଓ ଗର୍ଭବତୀଙ୍କୁ ପୃଷ୍ଟିକର ଖାଦ୍ୟ ମିଳିପାରୁନି । ଭତ୍ତା ଓ ପିଡିଏସ୍ ସାମଗ୍ରୀ ପାଇଁ ହିତାଧିକାରୀ ଚାଲି ଚାଲି ହାଟଶେଷଖାଲ ପଞ୍ଚାୟତକୁ ଯାଉଛନ୍ତି । ଗାଁକୁ ନିତିଦିନିଆ ରାସ୍ତା ନଥିବାରୁ ଆମ୍ବୁଲାନସ୍ ଆସିପାରୁନି । ତେଣୁ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ୧୦ କିମି ବୋହି ଜେମାଦେଇପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି । ଗ୍ରାମରେ ନଳକୂପ କିମ୍ବା ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ ନଥିବାରୁ ପାହାଡ଼ି ଝରଣା ଓ ନାଗାବଳୀ ନଦୀ ପାଣି ଗ୍ରାମବାସୀଙ୍କ ଶୋଷ ମେଣ୍ଟାଉଛି ।
ସରକାରଙ୍କ ସମସ୍ତ ମୌଳିକ ସୁବିଧା ସୁଯୋଗରୁ ଗ୍ରାମବାସୀ ବଞ୍ଚିତ ହେବା ସତ୍ତ୍ବେ ଚଳିତ ପଞ୍ଚାୟତ ନିର୍ବାଚନରେ ମତଦାନ କରିଛନ୍ତି । ଗ୍ରାମରେ ବସବାସ କରୁଥିବା ୩୧ ପରିବାର ନିଜ ଅଧିକାର ସାବ୍ୟସ୍ତ ପାଇଁ ମତଦାନରେ ଅଂଶଗ୍ରହଣ କରି ପ୍ରାର୍ଥୀ ଚୟନ କରିଛନ୍ତି । ଗାଁରେ ବୁଥ୍ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ଜଣେ ଗ୍ରାମବାସୀଙ୍କ ଘରେ ହୋଇଥିବା ବୁଥ୍ରେ ସମସ୍ତେ ମତଦାନ କରିଛନ୍ତି । ତେବେ ସ୍ବାଧୀନତାର ୭୫ ବର୍ଷ ପରେ ବି ଗାଁକୁ ବିକାଶ ଅପହଞ୍ଚ ହୋଇରହିଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ରାୟଗଡ଼ା ବିଧାୟକ ମକରନ୍ଦ ମୁଦୁଲି । ପଛୁଆ, ଅପହଞ୍ଚ ଇଲାକାରେ ରହୁଥିବା ଗ୍ରାମବାସୀଙ୍କ ବିକାଶକୁ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେବାକୁ ବିଧାୟକ ମୁଦୁଲି ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି ।
