ଭୁବନେଶ୍ୱର : ଆଜି ୪୯ ଟି ସ୍ଥାନରେ ରି-ପୁଲିଂ ହେଉଛି । ସକାଳ ୯ଟା ରୁ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟରେ ଯେଉଁ ସ୍ଥାନରେ ମତଦାନ ବିଭ୍ରାଟ ଓ ବାଧାପ୍ରାପ୍ତ ହୋଇଥିଲା ସେ ସବୁ ସ୍ଥାନରେ ସାନି ମତଦାନ ହେଉଛି । ଆଜି ମୋଟ ୧୦ଟି ଜିଲ୍ଲାର ୧୮ଟି ବ୍ଲକରେ ସାନି ଭୋଟ ଚାଲିଛି । ସେହିପରି ତୃତୀୟ ପର୍ଯ୍ୟାୟରେ ଭୋଟ ଗ୍ରହଣରେ ବାଧାପ୍ରାପ୍ତ ହୋଇଥିବା ୩୦ ଟି ସ୍ଥାନରେ ଆସନ୍ତା ୨୫ ତାରିଖରେ ସାନି ମତଦାନ ହେବ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ସେପଟେ ରାଜ୍ୟରେ ସରିଛି ଚତୁର୍ଥ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍ ।
ଯାଜପୁର, ପୁରୀ ଓ ଭଦ୍ରକ ସମେତ ୧୦ ଜିଲ୍ଲାରେ ଚାଲିଛି ପୁନଃ ମତଦାନ । ପ୍ରଥମ ପର୍ଯ୍ୟାୟର ୨୫ ଓ ଦ୍ୱିତୀୟ ପର୍ଯ୍ୟାୟର ୨୪ ବୁଥ୍ରେ ରି ପୋଲିଂ ଚାଲିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୨୪ଟି ବୁଥ୍ରେ ହେଉଛି ପୁନଃ ଭୋଟିଂ । ବିଭିନ୍ନ କାରଣ ଯୋଗୁଁ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ବାତିଲ ହୋଇଥିବା ଭଦ୍ରକ ଜିଲ୍ଲା, ଭଦ୍ରକ ବ୍ଲକ୍ର ୪ଟି, ବନ୍ତ ବ୍ଲକ୍ର ଗୋଟିଏ, ଢେଙ୍କାନାଳ ଜିଲ୍ଲା ଗନ୍ଦିଆ ବ୍ଲକ୍ର ୪ଟି, ଯାଜପୁର ଜିଲ୍ଲା ଯାଜପୁର ବ୍ଲକ୍ର ୯ଟି, ଧର୍ମଶାଳା ବ୍ଲକ୍ର ୨ଟି, ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ୍ର ଗୋଟିଏ, କୃଷ୍ଣପ୍ରସାଦ ବ୍ଲକର ଗୋଟିଏ, କଣାସ ବ୍ଲକ୍ର ୩ଟି ମତଦାନ କେନ୍ଦ୍ରରେ ପୁନଃ ମତ ଗ୍ରହଣ କରାଯାଉଛି ।
ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ବିଭିନ୍ନ କାରଣରୁ ନିର୍ବାଚନ ବାତିଲ ହୋଇଥିଲା, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ୍ର ଗୋଟିଏ, ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ର ଗୋଟିଏ, ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକ୍ର ଗୋଟିଏ, ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ବ୍ଲକ୍ର ୩ଟି, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ର ୧୦ଟି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ୍ର ଗୋଟିଏ ଓ ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ୍ର ଗୋଟିଏ, ଶୁଳିଆପଦା ବ୍ଲକ୍ର ଦୁଇଟି ସ୍ଥାନରେ ପୁନଃ ଭୋଟ ଗ୍ରହଣ କରାଯାଉଛି । ଏହି ସବୁ ଭୋଟଗ୍ରହଣ କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ସକାଳ ୯ ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଥିବା ବେଳେ, ଅପରହ୍ଣ ୩ଟା ପର୍ଯ୍ୟନ୍ତ ଚାଲିବ ମତଦାନ ।
