ଶିକ୍ଷା, ସ୍ୱାସ୍ଥ୍ୟ ଓ ପାନୀୟ ଜଳରୁ ବଞ୍ଚିତ ଅଭିଯୋଗ: ଭୋଟ୍ ବର୍ଜନ କରି ବୁଥ ଆଗରେ ଧାରଣା ଦେଲେ ଗ୍ରାମବାସୀ

ଜହ୍ନାପଙ୍କ : ବୌଦ୍ଧ ବ୍ଲକ୍‌ ଟିକରପଡ଼ା ପଞ୍ଚାୟତ ଦମଣ୍ଡା ଗ୍ରାମବାସୀ ଭୋଟ୍‌ ବର୍ଜନ କରି ବୁଥ୍‌ ଆଗରେ ଧାରଣାରେ ବସିଛନ୍ତି । ବର୍ଷ ବର୍ଷ ଧରି ସେମାନେ ଅବହେଳିତ ହୋଇ ରହିଛନ୍ତି । ବିଭିନ୍ନ ସରକାରୀ ସୁବିଧାରୁ ବଞ୍ଚିତ ଅଛନ୍ତି । ଦାବି ପରେ ବି ନିର୍ବାଚିତ ଜନପ୍ରତିନିଧି କି ପ୍ରାଶାସନିକ ଅଧିକାରୀ କର୍ଣ୍ଣପାତ କରୁନଥିବାରୁ ସେମାନେ ଭୋଟ୍‌ ବର୍ଜନ ନିଷ୍ପତ୍ତି ନେଇଥିବା ଗ୍ରାମବାସୀ କହିଛନ୍ତି ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଏହି ଗାଁରେ ପ୍ରାୟ ୩ ଶହ ଭୋଟର ଅଛନ୍ତି । ସ୍ୱାଧୀନତାର ୭ ଦଶନ୍ଧି ପରେ ବି ଗାଁକୁ ସବୁଦିନିଆ ରାସ୍ତା, ଶିକ୍ଷା,ସ୍ୱାସ୍ଥ୍ୟ ଓ ପାନୀୟ ଜଳ ସୁବିଧା ନାହିଁ । ଦୀର୍ଘ ଦିନ ହେଲା ଅଞ୍ଚଳକୁ ଅବହେଳା କରି ଆସୁଥିବା ରାଜନୈତିକ ଦଳ କେବଳ ଭୋଟ୍‌ ବେଳେ ଆସନ୍ତି । ଜିତିଲା ପରେ ୫ ବର୍ଷ ପର୍ଯ୍ୟନ୍ତ ଦେଖା ମିଳେ ନାହିଁ । ଏହି ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଆସିପାରେ ନାହିଁ । ଜରୁରୀକାଳୀନ ଚିକିତ୍ସା ପାଇଁ ୩ କିମି ଚାଲି ଚାଲି ଯିବା ସହିତ ରୋଗୀକୁ ଖଟରେ ବୋହି ନେବାକୁ ପଡ଼େ । ଗାଁରେ ନଳକୂଅ ନଥିବାରୁ ଗ୍ରାମବାସୀ ନାଳ କିମ୍ବା ଗାଡ଼ିଆର ପାଣି ପିଇବାକୁ ବାଧ୍ୟ ହୁଅନ୍ତି । ଫଳରେ ବିଭିନ୍ନ ସମୟରେ ନାନା ରୋଗରେ ଆକ୍ରାନ୍ତ ହୋଇ ଆବଶ୍ୟକ ଚିକିତ୍ସା ଅଭାବରୁ ମୃତ୍ୟୁମୁଖରେ ପଡ଼ିଥାନ୍ତି । ମୁଖ୍ୟ ରାସ୍ତାକୁ ଯିବାକୁ ହେଲେ ଏକ ନାଳ ଡେଇଁ ଯିବାକୁ ପଡ଼େ । ବର୍ଷର ୬ ମାସ ଯାତାୟାତରେ ବାଧାପ୍ରାପ୍ତ ହୁଏ । ଏପରିକି ସ୍କୁଲ ଦୂରତା ୨ କିମି ହୋଇଥିବା ବେଳେ ବର୍ଷା ୪ ମାସ ଛାତ୍ରଛାତ୍ରୀ ପାଠ ପଢା ଠପ୍‌ ହୋଇଯାଏ ।ଏନେଇ ବାରମ୍ବାର ରାଜନେତାଠୁ ଆରମ୍ଭ କରି ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ କେହି ଶୁଣିନାହାନ୍ତି । ଏପରିକି ନଭେମ୍ବର ୯ ତାରିଖରେ ବୌଦ୍ଧ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନେଇ ନଥିବାରୁ ଶେଷରେ ସେମାନେ ଭୋଟ୍‌ ବର୍ଜନ କରିଛନ୍ତି । ଭୀମସେନ ନାଏକଙ୍କ ନେତୃତ୍ୱରେ ଗ୍ରାମବାସୀ ବୁଥ୍‌ ଆଗରେ ଧାରଣାରେ ବସିଥିଲେ । ଘଟଣାସ୍ଥଳରେ ତହସିଲଦାର ଅବିନାଶ ପାଣ୍ଡିଆ ଓ ବିଡିଓ ଦେବୀ ପ୍ରସାଦ ଦାସ ପହଞ୍ଚି ଲୋକଙ୍କୁ ବୁଝାଇଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଥିଲେ । ଫଳରେ ବୁଥ୍‌ରେ ଗୋଟିଏ ବି ଭୋଟ୍‌ ପଡ଼ିନଥିଲା ।

Leave a Reply

Your email address will not be published. Required fields are marked *