ମାଲକାନଗିରି : ଗାଁ ଠାରୁ ୨୫ କିଲୋମିଟର ଦୂରରେ ରହିଛି ବୁଥ୍ । ତେଣୁ ମତଦାନ କରିବାକୁ ଗଲେ ନାହିଁ ଗ୍ରାମବାସୀ । ଏଭଳି ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ବଣ୍ଡାଘାଟି ଅଞ୍ଚଳରେ । ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଦୁଇଟି ପ଼ଞ୍ଚାୟତରେ ୨୩ଟି ବୁଥ୍ ରହିଛି । ସେଥିମଧ୍ୟରୁ ବହୁ ବୁଥ୍ ଅତି ସମ୍ବେଦନଶୀଳ ଭାବେ ପ୍ରଶାସନ ପକ୍ଷରୁ ଚିହ୍ନଟ ହୋଇଛି । ତେବେ ଦୂର ଦୂରାନ୍ତରେ ରହିଥିବା ଗ୍ରାମର ଲୋକଙ୍କୁ ମୁଦୁଲିପଡ଼ା ପଞ୍ଚାୟତ ସଦର ମହକୁମାକୁ ଆସି ଭୋଟ ଦେବାକୁ ମତଦାନ କେନ୍ଦ୍ର କରାଯାଇଥିଲା । ମୁଦୁଲିପଡ଼ା ଠାରୁ ପ୍ରାୟ ୨୫ କିମି ଦୂରରେ ଥିବା ବରଗୁଡ଼ା ଗାଁ ଦୁର୍ଗମ ତଥା ଅତି ସମ୍ବେଦନଶୀଳ ଅଞ୍ଚଳ ହୋଇଥିବାରୁ ଏହି ଗ୍ରାମବାସୀଙ୍କ ପାଇଁ ମୁଦୁଲିପ଼ଡ଼ା ଠାରେ ସ୍ବତନ୍ତ୍ର ବୁଥ୍ ପ୍ରଶାସନ ପକ୍ଷରୁ କରାଯାଇଥିଲା । ସେହି ଅନୁସାରେ, ଏହି ବୁଥ୍ରେ ପ୍ରିଜାଇଡିଂ ଅଫିସର ଏବଂ ଅନ୍ୟ ଅଧିକାରୀମାନେ ସକାଳୁ ମତଦାନ କେନ୍ଦ୍ର ଖୋଲି ଭୋଟରମାନଙ୍କୁ ଜଗି ରହିଥିଲେ । କିନ୍ତୁ ଭୋଟ ଦେବାକୁ କେହି ହେଲେ ଜଣେ ଆସୁନଥିବା ଦେଖିବାକୁ ମିଳିଥିଲା । ବୁଥ୍ ଠାରୁ ବାରିବେଡ଼ା ଗ୍ରାମ ୨୫ କିଲୋମିଟର ଦୂରରେ ରହିଥିଲା ବେଳେ ଗ୍ରାମବାସୀ ବୁଥ୍କୁ ଆସିବା ପାଇଁ କୌଣସି ବ୍ୟବସ୍ଥା କରାଯାଇନଥିଲା । ଏପରିକି ବାରିବେଡ଼ା ଗାଁକୁ ପକ୍କା ରାସ୍ତା ନଥିବା ବେଳେ ଯାତାୟାତ ପାଇଁ କୌଣସି ବ୍ୟବସ୍ଥା ମଧ୍ୟ ନାହିଁ । ତେଣୁ ଭୋଟ ଦେବାକୁ ଖର୍ଚ୍ଚାନ୍ତ ହେବାକୁ ପଡୁଛି । ପୋଲିଂ ଅଧିକାରୀ ଏବଂ ଏଜେଣ୍ଟମାନେ ଦିନ ତମାମ ଭୋଟର ମାନଙ୍କୁ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା । ତେବେ ବହୁ ସମୟରେ ମାତ୍ର ୯ ଜଣ ଭୋଟର ବହୁ କଷ୍ଟରେ ବୁଥ୍ରେ ପହଞ୍ଚି ମତଦାନ କରିଥିଲେ । ବାରିବେଡ଼ା ଗାଁରେ ମୋଟ ୩୪ ଭୋଟର ରହିଥିଲା ବେଳେ ସେଥିମଧ୍ୟରେ ପୁରୁଷ ଭୋଟର ୧୮ ଓ ମହିଳା ଭୋଟର ୧୬ ଜଣ ରହିଛନ୍ତି । ଅପରପକ୍ଷରେ ଗ୍ରାମ ଠାରୁ ଏତେ ଦୂରରେ ବୁଥ୍ କରାଗଲା କାହିଁକି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି । ବଣ୍ଡାଘାଟିରେ ଏଭଳି ବହୁ ସ୍ଥାନ ରହିଛି ଯାହା ଗ୍ରାମ ଠାରୁ ବହୁ ଦୂରରେ ବୁଥ୍ କରାଯାଇଛି । ଯାହାଫଳରେ ଦୂର ଦୂରାନ୍ତରରୁ ଲୋକେ ବୁଥ୍କୁ ଆସି ଭୋଟ ଦେବାକୁ ଅମଙ୍ଗ ହେଉଥିବା ଦେଖାଦେବା ସହ ମତଦାନ ହାର ମଧ୍ୟ ବହୁତ କମ୍ ହୋଇଥିବା ଦେଖିବାକୁ ମିଳିଥିଲା ।
