ବାଲେଶ୍ବର : ଉପଭୋକ୍ତାଙ୍କୁ ଝଟ୍କା ଦେଉଛି ଘନଘନ ବିଦ୍ୟୁତ୍ କାଟ୍ । ଆବଶ୍ୟକତା ଅନୁସାରେ ସେବା ମିଳୁନଥିବା ବେଳେ ଦେୟରେ ଲଗାମ ନାହିଁ । ଓଡ଼ିଶାରେ ବିଦ୍ୟୁତ୍ ସେବାର ଏଭଳି ସ୍ଥିତି ଏବେ ଘରୋଇ ଉପଭୋକ୍ତାଙ୍କ ନିଦ ହଜାଇ ଦେଲାଣି । ବିଦ୍ୟୁତ୍ ସଂସ୍କାର କ୍ଷେତ୍ରରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟ । ହେଲେ ସଂସ୍କାରକୁ ୨୫ ବର୍ଷ ବିତି ଯାଇଥିଲେ ବି ସମସ୍ୟାର ବିଶେଷ କିଛି ସମାଧାନ ହୋଇପାରିନି । ଉତ୍ତର ଓଡ଼ିଶାର ବିଭିନ୍ନ ଗାଁରେ ଏହିଭଳି ସ୍ଥିତି ରହିଥିବାବେଳେ ପ୍ରାୟ ୨୯% ଗ୍ରାମରେ ପ୍ରତିଦିନ ୧୨ ଘଣ୍ଟାଧରି ବିଜୁଳି କାଟ୍ ହେଉଥିବା ଦେଖିବାକୁ ମିଳୁଛି ।
୧୯୯୯-୨୦୦୦ ମସିହା ବେଳକୁ ରାଜ୍ୟରେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବ୍ୟବହାର କରୁଥିବା ଘରୋଇ ଉପଭୋକ୍ତା ୟୁନିଟ୍ ପିଛା ୧ ଟଙ୍କା ୨୦ ପଇସା ଏବଂ ୪୦୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର କରୁଥିବା ଉପଭୋକ୍ତା ୟୁନିଟ୍ ପିଛା ୨ ଟଙ୍କା ୮୦ ପଇସା ଦେଉଥିଲେ । ହେଲେ ଏବେ ୫୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ବ୍ୟବହାର କଲେ ଗ୍ରାହକ ୩ ଟଙ୍କା ଦେଉଛନ୍ତି । ସେହିପରି ୪୦୦ ୟୁନିଟ୍ରୁ ଅଧିକ ବିଜୁଳି ବ୍ୟବହାର କଲେ ୟୁନିଟ୍ ପିଛା ୬ ଟଙ୍କା ୨୦ ପଇସା ଗଣିବାକୁ ପଡ଼ୁଛି । ଏହି ହିସାବରେ ଦେଖିଲେ ୨୦୦୦ ମସିହାରୁ ୨୦୨୧ ମସିହା ମଧ୍ୟରେ ରାଜ୍ୟର ଘରୋଇ ଉପଭୋକ୍ତାଙ୍କ କ୍ଷେତ୍ରରେ ବିଜୁଳି ଦର ୧୩୭ ପ୍ରତିଶତ ବୃଦ୍ଧି ପାଇଛି । ବିଦ୍ୟୁତ୍ ଦର ବୃଦ୍ଧି ପାଇଛି ସିନା, ହେଲେ ସେହି ଅନୁପାତରେ ଉପଭୋକ୍ତାଙ୍କୁ ସେବା ମିଳିପାରୁନି । ଏବେ ବି ରାଜ୍ୟରେ ଏମିତି ଅନେକ ଗାଁ ରହିଛି ଯେଉଁଠି ବିଦ୍ୟୁତ୍ ସେବା ପହଞ୍ଚି ପାରିନି । ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇଛି, ସେଠାରେ ଲୋକେ ଲୋ-ଭୋଲ୍ଟେଜ୍ ଓ ଘନଘନ ବିଦ୍ୟୁତ୍ କାଟ୍ ଭଳି ସମସ୍ୟାରେ ଘାଣ୍ଟି ହେଉଛନ୍ତି । ଉତ୍ତର ଓଡ଼ିଶାରେ ମଧ୍ୟ ଏପରି ସ୍ଥିତି ଅନେକ ଗାଁରେ ରହିଛି । ଭାରତ ସରକାରଙ୍କ ଅନ୍ତ୍ୟୋଦୟ ଯୋଜନାରେ ରାଜ୍ୟର ୪୯,୨୭୨ଟି ଗାଁ ସହ ବାଲେଶ୍ବର ଜିଲ୍ଲାର ୨୫୫୭ଟି, ଭଦ୍ରକ ଜିଲ୍ଲାର ୧୨୮୨ଟି ଏବଂ ମୟୂରଭଞ୍ଜ ଜିଲ୍ଲାର ୩୭୪୮ଟି ଗାଁକୁ ନେଇ ଏକ ସର୍ଭେ କରାଯାଇଥିଲା ।
ସର୍ଭେ ଅନୁସାରେ; ବାଲେଶ୍ବରର ୩.୨୯ ପ୍ରତିଶତ, ଭଦ୍ରକର ୪.୦୬ ପ୍ରତିଶତ ଏବଂ ମୟୂରଭଞ୍ଜର ୫.୯୮ ପ୍ରତିଶତ ଗାଁ ପାଇଁ ଏବେ ବି ବିଦ୍ୟୁତ୍ ସେବା ସ୍ବପ୍ନ ହୋଇ ରହିଥିବା ଜଣାପଡ଼ିଛି । ଅନ୍ୟପଟେ ଯେଉଁ ଗାଁକୁ ବିଜୁଳି ସଂଯୋଗ ରହିଛି, ସେହି ଗାଁଗୁଡ଼ିକ ମଧ୍ୟରୁ ଅଧିକାଂଶ ଗାଁରେ ୨୪ ଘଣ୍ଟାରୁ ୧୨ ଘଣ୍ଟା ବିଜୁଳିର ଦେଖା ମିଳେନି । ବଲେଶ୍ବରେ ୨୯ ପ୍ରତିଶତ, ଭଦ୍ରକରେ ୨୩ ପ୍ରତିଶତ ଏବଂ ମୟୂରଭଞ୍ଜରେ ୩୬ ପ୍ରତିଶତ ଗାଁ; ଅର୍ଥାତ୍ ହାରାହାରି ୨୯.୩୩ ପ୍ରତିଶତ ଗାଁରେ ଏଭଳି ସମସ୍ୟା ରହିଛି । ସେହିପରି ବାଲେଶ୍ବରର ୩.୦୧ ପ୍ରତିଶତ, ଭଦ୍ରକର ୭.୫୬ ପ୍ରତିଶତ ଏବଂ ମୟୂରଭଞ୍ଜର ୭.୯୨ ପ୍ରତିଶତ ଗାଁରେ ଦିନକୁ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ ହୋଇଥାଏ । ବିଦ୍ୟୁତ୍ କାଟ୍କୁ ଛାଡ଼ିଦେଲେ ଅଧିକାଂଶ ଗାଁରେ ଲୋ-ଭୋଲ୍ଟେଜ୍ ସମସ୍ୟା ମଧ୍ୟ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟରେ ୭.୧୩ ପ୍ରତିଶତ ଗାଁକୁ ଏ ଯାଏ ବିଜୁଳି ସଂଯୋଗ ହୋଇପାରିନାହିଁ । ଯେଉଁ ଗାଁକୁ ବିଜୁଳି ସଂଯୋଗ ହୋଇଛି, ସେହି ଗାଁ ମଧ୍ୟରୁ ୩୯ ପ୍ରତିଶତ ଗାଁରେ ୨୪ରୁ ୧୨ ଘଣ୍ଟା ବିଜୁଳି ରହେନି । ସେହିପରି ୫.୧୬ ପ୍ରତିଶତ ଗାଁରେ ମାତ୍ର ୧ରୁ ୪ ଘଣ୍ଟା ବିଦ୍ୟୁତ୍ ଉପଲବ୍ଧ ହୋଇଥାଏ । ତେବେ ଏଭଳି ପରିସ୍ଥିତିରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ କେବଳ ଜନଶୁଣାଣି ଶିବିର ଆୟୋଜନ କଲେ ହେବନି; ସାଧାରଣ ଉପଭୋକ୍ତାଙ୍କୁ କିପରି ଉତ୍ତମ ସେବା ଯୋଗାଇ ଦିଆ ଯାଇପାରିବ ସେ ଦିଗରେ ବିହୀତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଅଞ୍ଚଳର ବହୁ ବୁଦ୍ଧିଜୀବୀ ମତ ରଖିଛନ୍ତି ।
