ଗ୍ରାମର ସମସ୍ୟାର ସମାଧାନ ନ ହେବାରୁ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନରେ ଭୋଟ ବର୍ଜନ କଲେ ଗ୍ରାମବାସୀ

ରେଙ୍ଗାଲିକେମ୍ପ : ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଅତାବିରାରେ ମତଦାନ ଶେଷ ହୋଇଛି ।  ୩୪୭ ଟି ବୁଥରେ ଏହି ମତଦାନ ସୁରୁଖୁରୁରେ ହୋଇଛି । ଅତାବିରା ନିର୍ବାଚନ ଅଧିକାରୀ ଭାବରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଶ୍ଵନାଥ ସାହୁ ଦାୟିତ୍ଵ ତୁଲାଇଥିଲେ । ସମସ୍ତ ଭୋଟ କେନ୍ଦ୍ରରେ ସୁରକ୍ଷା ପାଇଁ ୧୮ ଜଣ ପୁଲିସ, ୩ ଜଣ ଡିଏସପି ଓ ୩ ଜଣ ଥାନା ଅଧିକାରୀ ରହିଥିଲେ । ନିର୍ଦ୍ଧାରିତ ସମୟରେ ମତଦାନ ଶେଷ ହୋଇ ଷ୍ଟ୍ରଙ୍ଗରୁମରେ ବାଲାଟ ବକ୍ସ ରଖାଯାଇଛି ।
ମତଦାନ ପୂର୍ବରୁ ପ୍ରଥମେ ଗୋଲାପି (ପିଙ୍କ) ବୁଥ ନିର୍ବାଚନ ଅଧିକାରୀ ଶ୍ରୀ ସାହୁ, ତହସିଲଦାର ସୌଭାଗ୍ୟ ବେହେରା, ଏବିଡିଓ ଗୀରିନ୍ଦ୍ର ସାହୁ, ଯହ୍ନାପଡ଼ା ପଞ୍ଚାୟତ  କାର୍ଯ୍ୟ ନିର୍ବାହୀ ଅଧିକାରୀ  ମୋତିଲାଲ ବନଛୋର୍ ଙ୍କ ଉପସ୍ଥିତିରେ ଉଦଘାଟିତ ହୋଇଥିଲା ।  କିନ୍ତୁ  ବ୍ଲକର ଖରମୁଣ୍ଡା  ପଞ୍ଚାୟତର  ବୁଥ ନଂ ୫, ୬ ,୭, ୧୦ ଓ ୧୧ରେ  କିଛି ଭୋଟରମାନେ ମତଦାନ କରିନପାରି ଭୋଟ ଶେଷ ସମୟରେ ଭୋଟ ବାକ୍ସକୁ ନେବା ସମୟରେ ବିରୋଧ କରି  ଦୀର୍ଘ ୫ ଘଣ୍ଟା ଧରି ତାଲା ପକାଇଥିଲେ ।
ପ୍ରକାଶ ଥାଉ କି ଏହି ଭୋଟରମାନଙ୍କ ପରିଚୟ ପତ୍ର ନିଜ ଗ୍ରାମ ଅନୁସାରେ ଥିବାବେଳେ ଭୋଟର ତାଲିକାରେ ଅନ୍ୟ ଗ୍ରାମରେ ରହିଥିଲା । ନିର୍ବାଚନ ପୂର୍ବରୁ ସେମାନେ ଏହି  ଭୋଟର ତାଲିକା ତ୍ରୁଟିକୁ  ନେଇ ବିଡ଼ିଓଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ ନିର୍ବାଚନ ହେବା ପର୍ଯ୍ୟନ୍ତ ତାଲିକା ସଂଶୋଧନ ହୋଇନଥିଲା । ଫଳରେ ସେମାନେ  ଦୂର ଗ୍ରାମକୁ ଯାଇନପାରି ମତଦାନରୁ ବଞ୍ଚିତ ହୋଇଥିଲେ । ସ୍ଥାୟୀ ବାସିନ୍ଦା ହୋଇଥିବା  ସତ୍ତ୍ଵେ ସେମାନେ ତାଙ୍କ ଭୋଟ ଦେବା ଅଧିକାରରୁ ବଞ୍ଚିତ ହୋଇଥିବା ନେଇ କ୍ଷୋଭ ପ୍ରକାଶ କରି ଗ୍ରାମର ବୃଷାଭାନୁ ସାହୁଙ୍କ ନେତୃତ୍ୱରେ ଯଦୁମଣି ଷଣ୍ଢ, ଜିବର୍ଧନ ହାତୀ, ଭୂମିଶୁତା ଉର୍ମା, ବନବାସୀ ନାଗ, ଲୁଭା ବାଗ ପ୍ରମୁଖ ୩୫ ଜଣ ମହିଳା ଓ ୨୨ ଜଣ ପୁରୁଷ ବୁଥରେ ତାଲା ମାରିଥିଲେ । ଏହି ଖବର ପ୍ରଶାସନ ପାଖରେ ପହଞ୍ଚିବା ପରେ ବରଗଡ଼ ଉପଜିଲ୍ଲାପାଳ ଶୁଭେନ୍ଦ୍ର ସାମଲ, ପୁଲିସ ଏସଡିପିଓ  ଦୀପକ ଗୋଛାୟତ, ଅତାବିରା ଥାନା ଅଧିକାରୀ ଅନିଲ କୁମାର ପ୍ରଧାନ, ତହସିଲଦାର ପ୍ରମୁଖ ସେହି ଭୋଟ କେନ୍ଦ୍ରରେ ପହଞ୍ଚିଥିଲେ ।  ମତଦାନରୁ ବଞ୍ଚିତ ଥିବା ଏହି ଭୋଟଦାତାଙ୍କ ସହ ପ୍ରଶାସନିକ ଅଧିକାରୀମାନେ ଆଲୋଚନା କରି ଆସନ୍ତା ନିର୍ବାଚନ ପୂର୍ବରୁ ଏହି ଭୋଟ ତାଲିକା ନିଶ୍ଚିତ ଭାବେ ସଂଶୋଧିତ ହେବ ବୋଲି ପ୍ରତିଶ୍ରୁତି ଦେବା ପରେ ତାଲା ଖୋଲି ଭୋଟ ବାକ୍ସକୁ ପ୍ରଶାସନକୁ ହସ୍ତାନ୍ତର କରିଥିଲେ ।
ସେହିପରି ମନାପଡ଼ା ପଞ୍ଚାୟତର ବିଶାଳ ଟିକ୍ରା ଗ୍ରାମବାସୀ ଭୋଟ ବର୍ଜନ କରିଥିଲେ । ପ୍ରକାଶ ଥାଉକି ସେହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଯାହା ଜାତୀୟ ରାଜପଥରୁ ମାତ୍ର ୯୦୦ ମିଟର । କିନ୍ତୁ ଗ୍ରାମବାସୀ ଏହି ରାସ୍ତା ପାଇଁ ବାରମ୍ବାର ଅଭିଯୋଗ ତଥା ଅନେକ ଥର ଏ ଖବର ପ୍ରକାଶିତ ହେବା ପରେ ମଧ୍ୟ ଏହା କଂକ୍ରିଟ ରାସ୍ତା ହୋଇପାରି ନାହିଁ । ନିର୍ବାଚନ ପୂର୍ବରୁ ଗ୍ରାମବାସୀ ରାସ୍ତା ନହେଲେ ଭୋଟ ବର୍ଜନ କରିବେ ବୋଲି ପୂର୍ବାଭାସ ଦେଇଥିଲେ । ଖବର ପ୍ରକାଶିତ ହେବା ପରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚି ଏହାକୁ କଂକ୍ରିଟ ରାସ୍ତା କରିବା ପାଇଁ ସହମତ ଦେଇଥିଲେ । ମାପଚୁପ ମଧ୍ୟ ସରିଯାଇଥିଲା । କିନ୍ତୁ  ପୂର୍ବତନ ସରପଞ୍ଚ ଏ ଉପରେ ଦୃଷ୍ଟି ଦେଇନଥିଲେ । ଫଳରେ ରାସ୍ତାଟି ହୋଇପାରି ନଥିଲା । ପରିଣାମ ସ୍ବରୂପ ଗ୍ରାମର ପ୍ରକାଶ ବିଶ୍ଵାଳଙ୍କ ନେତୃତ୍ୱରେ ୪୨ ଜଣ ଭୋଟର ମତଦାନ କେନ୍ଦ୍ର ସମ୍ମୁଖରେ ସମ୍ମିଳିତ  ଭାବରେ ଭୋଟ ବର୍ଜନ କରି ସ୍ୱର ଉତ୍ତୋଳନ କରିଥିଲେ ।

Leave a Reply

Your email address will not be published. Required fields are marked *