ଯାଜପୁର : ଗତକାଲି ଯାଜପୁର ଜିଲ୍ଲାରେ ହୋଇଥିବା ନିର୍ବାଚନୀ ହିଂସାରେ ୧୪ ଜଣ ଗିରଫ । ଯାଜପୁର ସଦର ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଦୁଇ ଜଣ ହେଲେ କରୁଣାକର ଆଚାର୍ଯ୍ୟ ଓ ମଣିନାଥ ସାହୁ । ସେହିପରି ଗତକାଲି ରୁଦ୍ରପୁର ଗ୍ରାମର ୫ ନଂ ବୁଥକୁ ଜବରଦଖଲ କରି ଦୁର୍ବୁତ୍ତ ବାଲଟ ପେପର ନେଇଯାଇଥିଲେ । ଏହି ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିଲା । ସେହିଭଳି ଧର୍ମଶାଳା ବ୍ଲକ ଅନ୍ତର୍ଗତ ଦେଓଦା ପଞ୍ଚାୟତର ଚଇନିହୁଡା ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ୬ ନଂ ଏବଂ ୭ ନଂ ବୁଥ ଅରାବଳ ପଞ୍ଚାୟତର ନାଳକୁଳର ୮ ନଂ ବୁଥ ରିଗିଂ ଦେଖିବାକୁ ମିଳିଥିଲା । ମୋଟ ୧୪ ଜଣ ଅଭିଯୁକ୍ତଙ୍କୁ ଆଜି ଗିରଫ କରି କୋର୍ଟ ଚାଲାଣ କରାଯିବ ବୋଲି ଯାଜପୁର ଏସପି ସୂଚନା ଦେଇଛନ୍ତି । ଏଥିସହିତ ନିର୍ବାଚନରେ କୌଣସି ହିଂସାକୁ ବରଦାସ୍ତ କରାଯିବ ନାହିଁ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
