ମୋହନା : ପାହାଡ ଶିଖରରେ ଗାଁ ହୁଏରି । ଏହି ଗାଁକୁ ଚାଲି ଚାଲି ଯିବାକୁ ଭଲରାସ୍ତା ଖଣ୍ଡିଏ ନାହିଁ । ପାହାଡ ତଳେ ବାହ୍ୟ ମଳମୁକ୍ତ ଗାଁର ବୋର୍ଡ ଖଣ୍ଡିଏ ପୋତିଦେଇ ବାହାବାହା ନେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛି ପ୍ରଶାସନ । ସେପଟେ ବାସ୍ତବ ସ୍ଥିତି କିନ୍ତୁ ଅଲଗା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ। ଗ୍ରାମ ରାସ୍ତା ପାଲଟିଛି ମରଣ ଯନ୍ତା । ବଡ ବଡ ପଥରରେ ପରିପୂର୍ଣ୍ଣ ଏହି ରାସ୍ତା । ଏହି ରାସ୍ତାରେ ଯାନବାହାନ ଚଳାଚଳ ତ ଦୂରର କଥା ମଣିଷ ଚାଲି କରି ଯିବା କଷ୍ଟସାଧ୍ୟ । ଗ୍ରାମ ଆରମ୍ଭରେ ପୋତାଯାଇଥିବା ସୂଚନା ଫଳକରେ ଲେଖା ଯାଇଛି ବାହ୍ୟମଳମୁକ୍ତ ଗାଁ ହୁଏରୀ । ବାହ୍ୟ ମଳମୁକ୍ତ ଗାଁ ବୋଲି ଘୋଷଣା ତାରିଖ ଲେଖାଯାଇଛି ୦୬/୦୫/୨୦୧୯ । କିନ୍ତୁ ଗାଁରେ ନାହିଁ ଶୌଚାଳୟ । ଗଜପତି ଜିଲ୍ଲା ମୋହନା ବ୍ଲକ୍ ଠାରୁ ମାତ୍ର ୬ କିମି ଦୂରରେ ରହିଛି ହୁଏରି ଗାଁ । ଏହି ଗାଁକୁ ଯିବାକୁ ହେଲେ ମୋହନା ବ୍ଲକ୍ ଠାରୁ ଚାରିକିମି ପ୍ରଧାନମନ୍ତ୍ରୀ ସଡ଼କରେ ଯିବାପରେ ଗଣ୍ଡାପଦର ଗ୍ରାମ ଛକ ଠାରୁ ୨ କିମି ପଥୁରିଆ ପାହାଡ ରାସ୍ତାରେ ଚଢିଲେ ଏହି ଗାଁରେ ପହଞ୍ଚିବାକୁ ହୁଏ । ଗାଁରେ ପ୍ରାୟ ୨୫ ରୁ ଊର୍ଦ୍ଧ୍ବ କୁଇ କନ୍ଧ ଆଦିବାସୀ ସଂପ୍ରଦାୟର ଲୋକ କେଉଁ ଆବାହମାନ କାଳରୁ ବସ ବାସ କରି ଆସୁଛନ୍ତି । ଏମାନଙ୍କର ଜୀବିକା ହେଲା ଚାଷ ଓ ଜଙ୍ଗଲ ବଗଡରୁ ଖାଦ୍ୟଶସ୍ୟ ସଂଗ୍ରହ କରିବ। ଦୀର୍ଘବର୍ଷ ହେଲା ଗାଁରେ ଲାଗିରହିଛି ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟ ଜଳ, ନେଟୱାର୍କ ଭଳି ଅନେକ ମୌଳିକ ସମସ୍ୟା । ଲୋକେ ଗାଁଠାରୁ କିଛି ଦୂରରେ ରହିଥିବା ବିଲମାଳ ମଧ୍ୟରେ ଏକ ପଥର କୂଅର ଦୂଷିତ ପାଣି ବ୍ୟବହାର କରୁଛନ୍ତି । ଯାହାଫଳରେ ବିଭିନ୍ନ ରୋଗରେ ମଧ୍ୟ ପୀଡିତ ହେଉଛନ୍ତିି । ଗାଁ ଲୋକଙ୍କ ପାଇଁ ସବୁଠାରୁ ବଡ ସମସ୍ୟା ହେଉଛି ରାସ୍ତା । ଦୈନନ୍ଦିନ ବଜାର ସଉଦା କିଣା ବିକା ଠାରୁ ଆରମ୍ଭ କରି ଭତ୍ତା, ରାସନ, ବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ପାଠପଢିବା ପାଇଁ ଯିବା ଓ ସରକାରୀ ଓ ବେସରକାରୀ କାମରେ ମୋହନା ଯିବା ନିମନ୍ତେ ଲୋକେ ଏହି ରାସ୍ତା ଉପରେ ନିର୍ଭର କରି ଚାଲି ଚାଲି ଯାତାୟତ କରନ୍ତି । ରାସ୍ତା ସମସ୍ୟା ଯୋଗୁଁ ଗାଁରେ ଘର ନିର୍ମାଣ ସରଞ୍ଜାମ ପହଞ୍ଚି ପାରୁନାହିଁ । ତେଣୁ ଆବାସ ଯୋଜନାରେ ପକ୍କା ଘର ନିର୍ମାଣ କରିବାକୁ ଲୋକେ ଅସମର୍ଥ । ଏହି ରାସ୍ତା ଦେଇ ଆମ୍ବୁଲାନ୍ସ ନଯିବା ହେତୁ କାହାକୁ କିଛି ରୋଗ ହେଲେ ନାନା ସମସ୍ୟା ଭୋଗନ୍ତି ଲୋକେ । ଜରୁରୀ ଚିକିତ୍ସା ପାଇଁ ଗର୍ଭବତୀ ମହିଳାଙ୍କୁ ଦୋଳା ଓ ଭାରରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବାକୁ ପଡ଼େ। ଏଭଳି ଦୁଃଖଦ ସମସ୍ୟାର ସମାଧାନ କରିବା ପାଇଁ ଗ୍ରାମବାସୀ ନେତାଠାରୁ ଆରମ୍ଭ କରି ପ୍ରଶାସନକୁ ବାରମ୍ଵାର ଲିଖିତ ଓ ମୌଖିକ ଭାବେ ଜଣାଇ ଆସୁଥିଲେ ମଧ୍ୟ ଫଳ ଶୂନ । ଯେନ ତେନ ପ୍ରକାରେଣ ଗ୍ରାମରେ ନିର୍ମାଣ ହୋଇଛି ଅଙ୍ଗନବାଡି କେନ୍ଦ୍ର । ଗାଁରେ ୧୮ ଟି ହିନ୍ଦୁ ପରିବାର ଥିବା ବେଳେ ୭ଟି ପରିବାର ୨୦୦୭ ମସିହାରୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଛନ୍ତି । ଭାଇଚାରା ନେଇ ଉଭୟ ସମ୍ପ୍ରଦାୟର ଲୋକେ ଵସବାସ କରି ଆସୁଥୁବା ବେଳେ ନାନା ସମସ୍ୟାରେ ଛନ୍ଦି ହୋଇ ରହିଛନ୍ତି ଗ୍ରାମବାସୀ । ଅଞ୍ଚଳବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ସରକାର କାହିଁକି ଏହି ଗ୍ରାମ ପ୍ରତି ଦୃଷ୍ଟି ଦେଉନାହାନ୍ତି ତାହା ଗୋଟିଏ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ଗାଁରେ ଗୋଟିଏ ବି ଶୌଚାଳୟ ନିର୍ମାଣ କରାଯାଇନି ତେବେ ଗାଁକୁ ନଯାଇ ଗାଁରେ ଶୌଚାଳୟ ନିର୍ମାଣ ନକରି ପାହାଡ ତଳେ ବାହ୍ୟମଳମୁକ୍ତ ଗାଁ ଫଳକ ପ୍ରଶାସନ କେମିତି ଲଗାଇଛନ୍ତି ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗ୍ରାମବାସୀ ଗାଁକୁ ମୌଳିକ ସୁବିଧା ଯୋଗାଇଦେବା ନିମନ୍ତେ ଦାବି କରିବା ସହ ତ୍ରିସ୍ତରୀୟ ନିର୍ବାଚନ ପୂର୍ବରୁ ସେମାନଙ୍କର ସମସ୍ୟାଗୁଡ଼ିକର ସମାଧାନ ନହେଲେ ଭୋଟ ବର୍ଜନ କରିବାକୁ ପ୍ରଶାସନକୁ ଚେତାବନୀ ଦେଇଛନ୍ତି ।
