ସମ୍ବଲପୁର : ବେଧଡକ ଭାବେ ଚାଲିଛି ବେଆଇନ ଗୋଚାଲାଣ । ବାରମ୍ବାର ଆନ୍ଦୋଳନ, ଅଭିଯୋଗ ପରେ ବି ଚୁପ୍ ପ୍ରଶାସନ। ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ । ସମ୍ବଲପୁରରେ କେବେ ବନ୍ଦ ହେବ ବେଆଇନ ଗୋଚାଲାଣ ? ଗୋ ହତ୍ୟାକାରୀଙ୍କ ଉପରେ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ? ଆଉ କେବେ ବେଆଇନ କଂସେଇଖାନା ଉପରେ ଲାଗିବ ରୋକ ? ତାକୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।
ବେଧଡକ ଭାବେ ଚାଲିଛି ବେଆଇନ ଗୋଚାଲାଣ
ବାରମ୍ବାର ଆନ୍ଦୋଳନ, ଅଭିଯୋଗ ପରେ ବି ଚୁପ୍ ପ୍ରଶାସନ
ଶାସକ ଦଳର ପୃଷ୍ଠପୋଷକତାରେ ମାତିଛନ୍ତି ଗୋରୁ ମାଫିଆ
ବେଆଇନ ଗୋଚାଲାଣ, ଗୋ ହତ୍ୟାର ହବ୍ ପାଲଟିଛି ପଶ୍ଚିମ ଓଡିଶାର ପେଣ୍ଡସ୍ଥଳ ସମ୍ବଲପୁର । ବିଭିନ୍ନ ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବେଆଇନ ଗୋରୁ ବୋଝେଇ ଟ୍ରକ ଜବତ ହେଉଛି । ସେହିପରି ସମ୍ବଲପୁର ସହରର ବିଭିନ୍ନ ସ୍ଥାନରେ ବେଆଇନ କଂସେଇଖାନା ମଧ୍ୟ ଠାବ କରାଯାଉଛି । ଏନେଇ ବିଭିନ୍ନ ସଂଗଠନ ପକ୍ଷରୁ ଗୋ ହତ୍ୟା, ଗୋ ଚାଲାଣ ଉପରେ ରୋକ ଲଗାଇବାକୁ ଦାବି ହେଉଥିଲେ ମଧ୍ୟ ଫଳ ଶୂନ । ଏମିତିକି ଗୋରୁ ମାଫିଆମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ କଂସେଇଖାନାକୁ ବନ୍ଦ କରିବାକୁ ଦାବି ହେଉଥିଲେ ମଧ୍ୟ ସବୁ ଶୁଣି ସ୍ଥାନୀୟ ପ୍ରଶାସନ ଚୁପ୍ ବସିଥିବା ନେଇ ଅଭିଯୋଗ ଉଠିଛି । ତେବେ କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶାର ଅନେକ ଜିଲ୍ଲା ଏବେ ବେଆଇନ ଗୋଚାଲାଣର ଉପତ୍ୟାକା ପାଲଟିଛି । ସୀମାବର୍ତ୍ତି ଜିଲ୍ଲାଗୁଡିକ ଦେଇ ପ୍ରତିଦିନ ପଡୋଶୀ ରାଜ୍ୟକୁ ଗୋ ମାସଂ ରପ୍ତାନୀ କରାଯାଉଛି । ହେଲେ ସ୍ଥାନୀୟ ପୋଲିସ କେବଳ ଲୋକ ଦେଖାଣିଆ କେତେକ ଗାଡି ଜବତ କରି ସାଧାରଣ ମାମଲା ରୁଜୁ କରି ଛାଡି ଦେଉଥିବା ଦେଖିବାକୁ ମିଳୁଛି । ସେହିପରି ଆନିମଲ ଆକ୍ଟ ଅନୁଯାୟୀ ଗୋ ଚାଲାଣକାରୀଙ୍କ ଉପରେ ୪୨୯ ଧାରା ଲାଗିବାକୁ ଥିବା ବେଳେ ମଧ୍ୟ ବେଆଇଇନ କାରବାର ନେଇ ପ୍ରଶାସନ ସମ୍ପୂର୍ଣ୍ଣ ଆଖି ବୁଜିଦେଇଛି । ଏଥିରେ ଶାସକ ଦଳର ସଂମ୍ପୃକ୍ତି ଥିବାରୁ ପୋଲିସ ଗୋରୁ ମାଫିଆଙ୍କ ଦେହରେ ହାତ ମାରୁନଥିବା ବରିଷ୍ଠ ଆଇନଜୀବୀ ଅଭିଯୋଗ କରିଛନ୍ତି । ଗୋ ଚାଲାଣ, ଗୋ ହତ୍ୟା ବଢୁଥିବା ବେଳେ ଚୁପ୍ ପ୍ରଶାସନ । ପୋଲିସର ନିଷ୍କ୍ରିୟତାରେ ଦିନକୁ ଦିନ ବୃଦ୍ଧି ପାଉଛି ଗୋରୁ ମାଫିଆଙ୍କ ପ୍ରାଦୃଭାବ । ଯାହାକୁ ଆଗାମୀ ଦିନରେ ବଡ ଧରଣର ଆନ୍ଦୋଳନ ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି ।
