ପାଣିରେ ଭାସିଯିବା ବେଳେ ଅଟୋ ଉଦ୍ଧାର

ବ୍ରହ୍ମପୁର :  ପାଣିରେ ଭାସିଯିବା ବେଳେ ଅଟୋ ଉଦ୍ଧାର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗୋପାଳପୁର ନିକଟ ନାରାୟଣପୁର – ହରିପୁର ରାସ୍ତାରେ।

ସୂଚନାନୁସାରେ, ଗଞ୍ଜାମ ଜିଲ୍ଲାରେ ଲଘୁଚାପ ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି । ଗତ ଦୁଇ ବର୍ଷ ଧରି ନାରାୟଣପୁର-ହରିପୁର ରାସ୍ତାରେ ନିର୍ମିତ ହେଉଥିବା ବ୍ରିଜ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଥିବା ଯୋଗୁଁ ବର୍ଷା ହେଲେ ଏଥିରେ ପାଣି ପ୍ରବାହିତ ହୁଏ । ରାସ୍ତାରେ ଯିବାଆସିବା ବିପଦ ସଂକୁଳ ପାଲଟିଯାଏ। କିଛିଦିନ ଧରି ଲଗାଣ ବର୍ଷା ଯୋଗୁଁ ରାସ୍ତାରେ ଦୁଇଫୁଟ ଉଚ୍ଚର ପାଣି ପ୍ରବାହିତ ହେବା ଯୋଗୁଁ ଆଖପାଖ ଅଞ୍ଚଳର ପ୍ରାୟ ୯ଟି ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।

ତେବେ ରବିବାର ଏକ ଅଭବାନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ବ୍ରହ୍ମପୁରରୁ ଏକ ଅଟୋରେ ଜଣେ ମହିଳା ଓ ଦୁଇଜଣ ଶିଶୁ କାଳିପଲ୍ଲୀ ଯିବା ନିମନ୍ତେ ରାସ୍ତାରେ ଯାଉଥିବା ସମୟରେ ହଠାତ ସୂଅ ବଢିଯାଇଥିଲା । ସ୍ରୋତରେ ଅଟୋଟି ଭାସି ଯିବାକୁ ଲାଗିଥିଲା। କିନ୍ତୁ ସେହି ସମୟରେ ସେଠାରେ ରହିଥିବା କିଛି ଯୁବକ ସଙ୍ଗେ ସଙ୍ଗେ ପାଣିରେ ପଶି ଅଟୋକୁ ଠେଲି ରାସ୍ତା ପାର୍ କରିବା ସହ ମରଣ ମୁହଁରୁ ଉଦ୍ଧାର କରିଥିଲେ । ଯୁବକମାନଙ୍କ ଯୋଗୁଁ  ଅଟୋ‌ ଡ଼୍ରାଇଭର ସମେତ ୩ ଯାତ୍ରୀ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି । ଏବେ ବି ରାସ୍ତାରେ ପାଣି ପ୍ରବାହିତ ହେଉଛି। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ କରିବା ସହ ବ୍ରିଜ କଡରେ ନିର୍ମିତ ହୋଇଥିବା ଡାଇଭରସନ୍ ରୋଡକୁ ଉଚ୍ଚ କରିବାକୁ ସାଧାରଣରେ ଦାବି ହେଉଛି ।

Leave a Reply

Your email address will not be published. Required fields are marked *