ଲାଭଖୋର ମେସ ମାଲିକଙ୍କ ପାଇଁ ଅଂଶୁଘାତର ଶିକାର ହେଲେ ଛାତ୍ରଛାତ୍ରୀ

ସୋର,୨୫/୪(ବ୍ୟୁର): ସୋର କଲେଜଛକ ଏବେ ଶିକ୍ଷାର ହବ ପାଲଟିଥିବା ବେଳେ ବିଭିନ୍ନ ଅଞ୍ଚଳରୁ ଅଭିଭାବକମାନେ ନିଜ ପିଲାମାନଙ୍କୁ ଅନେକ ଆଶା ଓ ଭରଷାରେ ଏଠାରେ ପାଠ ପଢାଇବାକୁ ଛାଡିଥାନ୍ତି। ପିଲାମାନଙ୍କ ରହିବା , ଖାଇବା ସାଙ୍ଗକୁ ପାଠ ପଢିବାରେ ବ୍ୟାପକ ସୁବିଧା ଦର୍ଶାଇ ଶତାଧିକ ମେସ ଓ ଘରୋଇ ଶିକ୍ଷାନୁଷ୍ଠାନ ଏଠାରେ ଖୋଲିଛି। ଯେଉଁଥିରେ ନିଜ ପିଲାମାନଙ୍କୁ ସୁବିଧାରେ ରଖିବାକୁ ଅଭିଭାବକ ମାନେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି। ମାତ୍ର ଲାଭଖୋର ମେସ ମାଲିକ ଓଶିକ୍ଷାନୁଷ୍ଠାନର ମାଲିକ ମାନେ ପାଇଁ ଉଚିତ ଢଙ୍ଗରେ ପିଲାମାନଙ୍କୁ ରଖିନଥିବାରୁ ବିଭିନ୍ନ ସମୟରେ  ପିଲାମାନେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଦେଖିବାକୁ ମିଳିଛି। ଗତବର୍ଷ ଗ୍ରୀଷ୍ମ ପ୍ରବାହ ଆରମ୍ଭରୁ ମେସରେ ରହୁଥିବା ଶତାଧିକ ଛାତ୍ରଛାତ୍ରୀ ଅଂଶୁଘାତର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ଚଳିତ ବର୍ଷ ସମାନ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ରୁମରେ ୪ରୁ୫ ଜଣ ପିଲା ରହିବାରୁ ପିଲାମାନଙ୍କର ଏପରି ଅବସ୍ଥା ହେଉଥିବା ଅଭିଯୋଗ ହେଉଛି।  ସୋର ତହସିଲ ସମ୍ମୁଖରେ ଥିବା ମା ଭବାନୀ +୨ ବିଜ୍ଞାନ ଆବାସିକ କଲେଜରେ ଶତାଧିକ ପିଲା ରହୁଛନ୍ତି।ଏଥିସହିତ ଗତ କିଛିଦିନ ହେବ କିଛି ପିଲା ସେଠାକୁ ସମରକୋର୍ଷ କରିବାକୁ ଆସିଥିବା ବେଳେ ଆଜି ମଧ୍ୟାହ୍ନରେ ୧୬ଜଣ ପିଲା ନିଶ୍ୱାସ ନେବାରେ ଅସୁବିଧା ଓ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ କଲେଜ କର୍ତ୍ତୁପକ୍ଷ ପିଲାମାନଙ୍କୁ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ କିଛି ପିଲାଙ୍କ ଦେହ ଅତ୍ୟନ୍ତ ଖରାପ ହେବାରୁ ଓ ନିଶ୍ୱସ ନେବାରେ କଷ୍ଟ ଅନୁଭବ କରିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଏନେଇ କଲେଜର ମାଲିକ ବିଦୁ ପାତ୍ରଙ୍କୁ ପଚାରିବାରୁ ମାତ୍ର ୪-୫ ଜଣ ପିଲାଙ୍କୁ ଏସିଡ ହେବାରୁ ଡାକ୍ତରଖାନାକୁ ନେଇଥିଲୁ । ଏବେ ସେମାନେ ଭଲ ଥିବା କହି ଅଭିଯୋଗକୁ ଖଣ୍ଡନ କରିଥିଲେ। ଅତିରିକ୍ତ ତହସିଲଦାର କୃଷ୍ଣ ମୋହନ ସିଂହଙ୍କୁ ପଚାରିବାରୁ ଆମକୁ ଖବର ମିଳିବା ମାତ୍ରେ ଆମେ ତୁରନ୍ତ ସେଠାରେ ପହଞ୍ଚି ତଦନ୍ତ କରିଥିଲୁ। କଲେଜରେ ବ୍ୟାପକ ଅସୁବିଧା ପରିଲକ୍ଷିତ ହୋଇଛି। ଏଥିପାଇଁ ଆମେ କଲେଜର ମାଲିକଙ୍କୁ ଚେତାବନୀ ଦେବା ସହିତ ସୁଧାର ଆଣିବାକୁ ପରାମର୍ଶ ଦେଇଛୁ।  ଉକ୍ତ କଲେଜର ୧୬ଜଣ ପିଲା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତନ୍ମଧ୍ୟରୁ ୪ଜଣଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି । ଏବେ ସେମାନଙ୍କୁ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା କହିଛନ୍ତି। ସୋରରେ ଥିବା ୨ଶହରୁ ଅଧିକ ମେସ ଓ ଘରୋଇ ଶିକ୍ଷାନୁଷ୍ଠାନ ମାନଙ୍କରେ ସମାନ ପରିସ୍ଥିତି ଦେଖିବାକୁ ମଳୁଛି। ପିଲାମାନଙ୍କୁ ଉଚିତ ଢ଼ଙ୍ଗରେ ରଖୁନଥିବାରୁ ଏହି ସମସ୍ୟା ଉପୁଜୁଥିବାରୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ମେସମାନଙ୍କ ଉପରେ ଚଢ଼ାଉ କରିବା ସହିତ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଅଭିଭାବକ ମହଲରେ ଦାବି ହୋଇଛି।

Leave a Reply

Your email address will not be published. Required fields are marked *