କଟକ : ଓଡ଼ିଶାରେ ନକଲି ମଦ ବୋତଲରେ ବ୍ୟବହାର ହେଉଥିବା ଠିପି, ଲେବୁଲ୍ ଯୋଗାଉଥିବା ଜଣେ ଅନ୍ତରାଜ୍ୟ ମାଫିଆକୁ ଗିରଫ କରିଛି ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍। ଅନୁଗୁଳ ଜିଲ୍ଲା ବଅଁରପାଳ ରାଣୀଗଡ଼ା ଅଞ୍ଚଳର ଜୟପ୍ରକାଶ ଗୁପ୍ତା(୪୧)କୁ ସ୍କ୍ବାଡ୍ ଗିରଫ କରିଛି । ଜୟପ୍ରକାଶ କଲିକତା ଦମ୍ଦମ୍ ଅଞ୍ଚଳରୁ ନକଲି ଠିପି ଓ ଲେବଲ୍ ପ୍ରିଣ୍ଟିଂ କରି ଖୋର୍ଧା, ଭୁବନେଶ୍ବର, କଟକ, ବାଲେଶ୍ବର, ଭଦ୍ରକ, ବଲାଙ୍ଗୀର, ବରଗଡ଼, ଝାରସୁଗୁଡ଼ା, ରାଉରକେଲା, କଳାହାଣ୍ଡି ଭଳି ୨୦ ରୁ ଅଧିକ ଜିଲ୍ଲାକୁ ବହୁବର୍ଷ ହେବ ଚାଲାଣ କରିଆସୁଥିଲା । ଏଭଳି କାରବାର ସମ୍ପର୍କରେ ଖବର ପାଇ ରାଜ୍ୟ ଫ୍ଲାଇଂ ସ୍କ୍ବାଡ୍ ଗଲା ଫେବ୍ରୁଆରି ୫ ତାରିଖରେ ଅନୁଗୁଳ ବସଷ୍ଟାଣ୍ଡରେ ଏକ ପଶ୍ଚିମବଙ୍ଗର ଯାତ୍ରୀବାହୀ ବସ୍ ଉପରେ ଚଢ଼ଉ କରିଥିଲା ସ୍କ୍ବାଡ । ତେବେ ଗିରଫ ଭୟରେ ଜୟପ୍ରକାଶ ଅନୁଗୁଳରୁ ଖସି ବିହାର ପଳାଇଥିଲା । ଫ୍ଲାଇଂ ସ୍କ୍ବାଡ୍ ଡିଏସ୍ପି ଦେବାଶିଷ ପଟେଲଙ୍କ ନେତୃତ୍ବରେ ଏକ ଅବକାରୀ ଟିମ୍ ଗଲା ୨୪ ତାରିଖ ଯାଇଥିଲା । ସେଠୁ ଜୟପ୍ରକାଶ ପୁଣି ଅନୁଗୁଳ ଖସିଆସିଥିଲା । ସ୍କ୍ବାଡ୍ ଜୟପ୍ରକାଶର ପିଛା କରି ତାକୁ ଅନୁଗୁଳରୁ ଗିରଫ କରିଥିବା ବେଳେ ଠିପି ଓ ଲେବର ଯୋଗାଣରେ କଟକ ଓ ଭୁବନେଶ୍ବର ମାଫିମାନଙ୍କ ସମ୍ପୃକ୍ତି ଥିବା ଜୟପ୍ରକାଶ ସ୍କ୍ବାଡକୁ ଜେରା ସମୟରେ କହିଛି । ସ୍କ୍ବାଡର ଏକ ଟିମ୍ ଦମ୍ଦମ୍ରେ ଥିବା ଠିପି ଓ ଲେବୁଲ୍ ଫ୍ୟାକ୍ଟ୍ରିରେ ଚଢ଼ଉ କରିବାକୁ ଯୋଜନା କରୁଥିବା ଜଣାପଡ଼ିଛି ।
