ହାତୀ ଦାନ୍ତ ଚୋରା ଚାଲାଣ ବେଳେ କ୍ରାଇମ୍‌ବ୍ରା‌ଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ର ଚଢ଼ଉ, ଜଣେ ଗିରଫ

ଭୁବନେଶ୍ବର : ହାତୀ ଦାନ୍ତ ଚୋରା ଚାଲାଣ ବେଳେ କ୍ରାଇମ୍‌ବ୍ରା‌ଞ୍ଚ ଏସ୍‌ଟିଏଫ୍‌ ଟିମ୍‌ ଚଢ଼ଉ କରି ଜଣେ ଶିକାରୀକୁ ଗିରଫ କରିଛି । ସେ ହେଲା, କେନ୍ଦୁଝର ସଦର ଥାନା କାଳନ୍ଦା ଅଞ୍ଚଳର ରମାକାନ୍ତ ପ୍ରଧାନ । ତା’ଠାରୁ ୫ କେଜି ୬୬୨ ଗ୍ରାମ୍‌ ଓଜନର ଦୁଇଟି ହାତୀଦାନ୍ତ ସହ କିଛି ଗୁରୁତ୍ବପୂର୍ଣ୍ଣ ଜିନିଷ ଜବତ ହୋଇଛି । ଜବତ ହାତୀଦାନ୍ତର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।

ରମାକାନ୍ତ ସ୍ଥାନୀୟ ଜଙ୍ଗଲରୁ ଜଙ୍ଗଲୀ ଜୀବଜନ୍ତୁ ଅବାଧରେ ଶିକାର କରି ମାଫିଆଙ୍କୁ ଦାନ୍ତ, ନଖ, ଚମଡ଼ା ଆଦି ଯୋଗାଉଥିବା ନେଇ ଏସ୍‌ଟିଏଫ୍‌ ହାତରେ ଖବର ଲାଗିଥିଲା । ସେବେଠାରୁ ଏସ୍‌ଟିଏଫ୍‌ ତା’ ଉପରେ କଡ଼ା ନଜର ରଖିଥିଲା । ଗତ ୨୬ ତାରିଖ ସନ୍ଧ୍ୟାରେ ସେ କେନ୍ଦୁଝର ସଦର ଥାନା ପତୁଙ୍ଗ ଏବଂ କାଳନ୍ଦା ରାସ୍ତାରେ ଜଣେ ମାଫିଆକୁ ହାତୀଦାନ୍ତ ବିକିବା ପାଇଁ ଆସୁଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ତାକୁ କାବୁ କରିଥିଲା । ଏସ୍‌ଟିଏଫ୍‌ ତାକୁ ଗିରଫ କରି କରଞ୍ଜିଆ ଡିଏଫ୍‌ଓକୁ ହସ୍ତାନ୍ତର କରିଥିଲା । ସେହିପରି ଜବତ ଦାନ୍ତକୁ ମଧ୍ୟ ଡିଏଫ୍‌ଓଙ୍କ ଜିମା ଦେଇଥିଲା । ଏନେଇ ଏସ୍‌ଟିଏଫ୍‌ ଅଧିକ ତଦନ୍ତ ଜାରି ରଖିଛି । ଏହି ବେଆଇନ କାରବାରରେ ରମାକାନ୍ତ ସହ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ? ସେମା‌ନେ କାହାକୁ ଓ କେତୋଟି ଦାନ୍ତ ବିକ୍ରି କରିଛନ୍ତି, ସେନେଇ ଏସ୍‌ଟିଏଫ୍‌ ତନାଘନା ଚଳାଇଛି ।

ସୂଚନା‌ଯୋଗ୍ୟ ଯେ ୨୦୨୦ ମସିହାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଏକ ସ୍ବତନ୍ତ୍ର ଅଭିଯାନରେ ୨୫ଟି ଚିତାବାଘ ଛାଲ, ୧୫ଟି ହାତୀଦାନ୍ତ, ୭ଟି ହରିଣ ଚମଡ଼ା, ୧୧ଟି ଜୀବନ୍ତ ବଜ୍ରକାପ୍ତା, ସାଢ଼େ ୧୯ କେଜି କାତି, ୨ଟି ଚିତାବାଘ ଦାନ୍ତ, ୨୯ଟି ଚିତାବାଘ ପଞ୍ଝା, ୪୬ଟି ଜୀବନ୍ତ ଶୁଆ ଜବତ କରିଛି । ସେହିପରି ୫୯ ଜଣ ଶିକାରୀଙ୍କୁ ଗିରଫ କରିଛି ।

Leave a Reply

Your email address will not be published. Required fields are marked *