ରୋମାନିଆ ସୀମାରେ ଫସିଛନ୍ତି ଓଡ଼ିଆ ଛାତ୍ରଛାତ୍ରୀ, ଭାରତ ଫେରାଇ ଆଣିବାକୁ ଗୁହାରୀ କଲା ପରିବାର

ଗୁଣୁପୁର : ଗତ ୨୪ ଘଣ୍ଟା ଧରି ରୋମାନିଆ ସୀମାରେ ଫସି ରହିଛନ୍ତି ଅନେକ ଓଡ଼ିଆ ଡାକ୍ତର ଛାତ୍ରଛାତ୍ରୀ । ନା ସେମାନଙ୍କୁ ପାଣି ଟୋପେ ମିଳୁଛି ନା ଖାଦ୍ୟ । ମୋବାଇଲରେ ଚାର୍ଜ ନଥିବାରୁ ପରିବାର ଲୋକେ ପିଲାଙ୍କ ଖବର ବି ସଠିକ ଭାବେ ଜାଣିପାରୁ ନାହାନ୍ତି । ରାୟଗଡା ଜିଲ୍ଲା ଗୁଣୁପୁରର ୩ ଜଣ ଛାତ୍ରଛାତ୍ରୀ ରହିଥିବା ଜଣାପଡିଛି । ଏମବିବିଏସ ପଢିବା ପାଇଁ ଏମାନେ ୟୁକ୍ରେନର ଭେନେସ୍ତେସିଆ ସିଟିକୁ ଯାଇଥିଲେ । ହଠାତ ୟୁକ୍ରେନ ଓ ରୁଷିଆ ମଧ୍ୟରେ ଭୟଙ୍କର ଯୁଦ୍ଧ ଘୋଷଣା ହେବାରୁ ଏମାନେ ଏବେ ସଙ୍କଟରେ ଥିବା ପରିବାର ଲୋକେ କହିଛନ୍ତି । ଆଜି ଛାତ୍ରଛାତ୍ରୀମାନେ ନିକଟସ୍ଥ ରୋମାନିଆ ସୀମାକୁ ଚାଲି ଆସିଥିବା ବେଳେ, ସେଠାରୁ ସ୍ବଦେଶ ଫେରାଇ ଆଣିବାକୁ କୌଣସି ବ୍ୟବସ୍ଥା ଗ୍ରହଣ କରାଯାଇ ନଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସେଠାରେ ପିଲାଙ୍କ ପାଇଁ ଖାଦ୍ୟପେୟ ଓ ପିଇବା ପାଣି ମିଳୁନଥିବାରୁ ଚିନ୍ତାବ୍ୟକ୍ତ କରିଛନ୍ତି ପରିବାର ଲୋକେ । ତୁରନ୍ତ ଭାରତ ସରକାର ଏହି ପିଲାଙ୍କୁ ସୁରକ୍ଷିତ ଭାବେ ସ୍ବଦେଶ ଫେରାଇ ଆଣିବାକୁ ଅନୁରୋଧ କରିଛନ୍ତି । ଅନ୍ୟପକ୍ଷରେ ଆଜି ଭାରତ ସରକାର ୟୁକ୍ରେନରେ ଫସିଥିବା ଛାତ୍ରଛାତ୍ରଙ୍କ ପାଇଁ ବିଭିନ୍ନ ଦରକାରି ଫୋନ ନମ୍ବର ଜାରି କରିଛନ୍ତି । ଜାରି କରାଯାଇଥିବା ନମ୍ବରରେ ନିୟମିତ ଯୋଗାଯୋଗ ରଖିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *