ପୁରୀ : ଶ୍ରୀମନ୍ଦିର ରତ୍ନଭଣ୍ଡାର ଅସୁରକ୍ଷିତ । କେବଳ ରତ୍ନଭଣ୍ଡାର ନୁହେଁ, ରତ୍ନଭଣ୍ଡାର ଭିତରେ ରହୁଥିବା ମହାପ୍ରଭୁଙ୍କ ମହଣ ମହଣ ରତ୍ନ ଅଳଙ୍କାର ବି ଅସୁରକ୍ଷିତ । ରତ୍ନଭଣ୍ଡାରର ତୁରନ୍ତ ମରାମତି ଆବଶ୍ୟକ । ନ ହେଲେ ମହାପ୍ରଭୁଙ୍କ ରତ୍ନ ଅଳଙ୍କାରରେ ବିଭିନ୍ନ କେମିକାଲ୍ ପଡ଼ି ନଷ୍ଟ ହୋଇଯିବ । ଏଭଳି ବିସ୍ଫୋରକ ବୟାନ ରଖିଛନ୍ତି ରତ୍ନଭଣ୍ଡାର ସୁରକ୍ଷା ଦାୟିତ୍ବରେ ଥିବା ଶ୍ରୀମନ୍ଦିର ଭଣ୍ଡାର ମେକାପ ମଧୁସୂଦନ ମେକାପ । ଶ୍ରୀ ମେକାପ ଅଭିଯୋଗ କରିଛନ୍ତି, ରତ୍ନଭଣ୍ଡାର ସମ୍ପର୍କରେ ଅନେକ ଥର ଶ୍ରୀମନ୍ଦିର ପ୍ରଶାସନକୁ ଜଣାଇଛି । କିନ୍ତୁ କେହି ଏହାକୁ ଗୁରୁତ୍ବ ଦେଉନାହାନ୍ତି, କିଛି ଅଳଙ୍କାର ବି ନଷ୍ଟ ହେଉଛି । ବାକି ନଷ୍ଟ ହେବା ପୂର୍ବରୁ ଯାହା ନଜରରେ ପଡ଼ୁଛି, ତାକୁ ସୁରକ୍ଷିତ ରଖୁଛି ବୋଲି ଶ୍ରୀ ମେକାପ କହିଛନ୍ତି ।
ମହପ୍ରଭୁଙ୍କ ରତ୍ନଭଣ୍ଡାରରେ ସୁନା, ହୀରା, ମୋତି, ମାଣିକ ଭଳି ଅନେକ ଦୁର୍ମୁଲ୍ୟ ଅଳଙ୍କାର ରହିଛି । ବାହାର ରତ୍ନଭଣ୍ଡାରରେ ଦୈନନ୍ଦିନ ନୀତି ଓ ବିଭିନ୍ନ ପର୍ବପର୍ବାଣୀ ପାଇଁ ବ୍ୟବହୃତ ଅଳଙ୍କାର ରହିଛି । କିନ୍ତୁ ଭିତର ରତ୍ନଭଣ୍ଡାରରେ ରାଜରାଜୁଡ଼ା ଅମଳରୁ ରାଜାମାନେ ଯେଉଁ ସୁନା, ହୀରା, ମୋତି, ମାଣିକ ଆଦି ଜିତି ଆଣିଥିଲେ, ତାକୁ ସଂରକ୍ଷିତ ରଖାଯାଇଛି । ଏହି ଅଳଙ୍କାରର ଆକଳନ ପାଇଁ ୨୦୧୮ ମସିହା ଏପ୍ରିଲ ମାସରେ ରାଜ୍ୟ ସରକାର ନିଷ୍ପତ୍ତିକ୍ରମେ ୧୭ ଜଣିଆ ସ୍ବତନ୍ତ୍ର କମିଟି ରତ୍ନଭଣ୍ଡାର ଖୋଲିବାକୁ ଯାଇଥିଲେ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ଆଇନ ବିଭାଗ, ଜିଲ୍ଲାପାଳ, ବରିଷ୍ଠ ପ୍ରାଶାସନିକ ଅଧିକାରୀ, ପରିଚାଳନା କମିଟି ସଦସ୍ୟ, ଭଣ୍ଡାର ମେକାପ ପ୍ରମୁଖଙ୍କୁ ନେଇ ଏହି କମିଟି ଗଠନ କରାଯାଇଥିଲା । ଦୀର୍ଘ ୩୪ ବର୍ଷ ପରେ ମହାପ୍ରଭୁଙ୍କ କେତେ ଅଳଙ୍କାର ରତ୍ନଭଣ୍ଡାରରେ ଗଚ୍ଛିତ ରହିଛି, ତାହା ଜାଣିବାକୁ ଉତ୍କଣ୍ଠାର ସହ ଅନାଇ ବସିଥିଲେ ଅଗଣତି ଭକ୍ତ । କିନ୍ତୁ ଏହି ସ୍ବତନ୍ତ୍ର କମିଟି ବାହାର ରତ୍ନଭଣ୍ଡାରରୁ ସ୍ଥିତି ଅନୁଧ୍ୟାନ କରି ଫେରି ଆସିଲୁ ବୋଲି ସର୍ବସମ୍ମୁଖରେ କହିଲେ । ଚାବି ହଜିବାର ନାଟକ କରାଯାଇଥିଲା । ଉଭୟ ବାହାର ଓ ଭିତର ରତ୍ନଭଣ୍ଡାରର ବିପଦସଂକୁଳ ଅବସ୍ଥାରେ ଥିବା ୧୭ ଜଣିଆ କମିଟି ଜାଣିବାକୁ ପାଇଥିଲା । ଅନୁଧ୍ୟାନ ବେଳେ ରତ୍ନଭଣ୍ଡାରର ଅନେକ ସ୍ଥାନରେ ଫାଟ ସୃଷ୍ଟି ହୋଇଥିଲା । କାନ୍ଥରୁ ବର୍ଷା ପାଣି ଗଳୁଥିଲା । ଅନେକ ସ୍ଥାନ ଫାଟି ଛେଲା ଛେଲା ହୋଇ ପ୍ଲାଷ୍ଟର୍ ଖସିପଡ଼ି ରଡ୍ ଦେଖା ଯାଉଥିଲା । ପ୍ରବେଶ ଦ୍ବାରରେ ଥିବା କିଛି ଲୁହାର ସପୋର୍ଟିଂ ବି ନ ଥିବା ଦେଖିବାକୁ ମିଳିଥିଲା । ଯାହାର ରିପୋର୍ଟ ଏବେ ଶ୍ରୀମନ୍ଦିର ପ୍ରଶାସନ ପାଖରେ ରହିଛି ।
ପ୍ରତ୍ନତତ୍ତ୍ବ ବିଭାଗ କୋର୍ କମିଟି, ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ୧୭ ଜଣିଆ କମିଟିର ଦସ୍ତଖତ ଏହି ରିପୋର୍ଟରେ ରହିଛି । ଇତିମଧ୍ୟରେ ୩ ବର୍ଷ ବିତିବାକୁ ବସିଲାଣି, କିନ୍ତୁ ରତ୍ନଭଣ୍ଡାର ମରାମତି କଥା କେହି ବି ଉଠାଉନାହାନ୍ତି । ଏହା ଅଗଣିତ ଭକ୍ତଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏଭଳି ସ୍ଥିତିରେ ଶ୍ରୀମନ୍ଦିର ଭଣ୍ଡାର ମେକାପ ଏ ସମ୍ପର୍କରେ ବିସ୍ଫୋରକ ବୟାନ ରଖିବା ରତ୍ନଭଣ୍ଡାର ଗମ୍ଭୀର ସ୍ଥିତିକୁ ପଦାକୁ ଆଣିଛି । ଶ୍ରୀ ମେକାପ କହିଛନ୍ତି, ରତ୍ନଭଣ୍ଡାର ଅସୁରକ୍ଷିତ ଅବସ୍ଥାରେ ଥିବା ସମସ୍ତେ ଜାଣିଛନ୍ତି, କିନ୍ତୁ କେହି ମୁହଁ ଖୋଲୁନାହାନ୍ତି । ୨୦୧୮ ମସିହା ପରେ ମୁଁ ବି ଏକାଧିକ ଥର ଶ୍ରୀମନ୍ଦିର ପ୍ରଶାସନକୁ ରତ୍ନଭଣ୍ଡାର ସ୍ଥିତି ସମ୍ପର୍କରେ ଜଣାଇଛି । ଏକଦା ରତ୍ନଭଣ୍ଡାର ଛାତ, କାନ୍ଥରେ ଲାଗିଥିବା କିଛି କେମିକାଲ୍ ମହାପ୍ରଭୁଙ୍କ କିରୀଟ ଓ ଅନ୍ୟ ଅଳଙ୍କାର ଉପରେ ପଡ଼ିବାକୁ ଯାଉଥିଲା । ଭାଗ୍ୟକୁ ମୋ ନଜରରେ ଏହା ପଡ଼ିଯାଇଥିଲା । ଏଣୁ ଅଳଙ୍କାରକୁ ସେଠାରୁ କାଢ଼ି ଦେଇଥିଲି । ଯଦି ଏହି କେମିକାଲ୍ ଅଳଙ୍କାର ଉପରେ ପଡ଼ିଥାନ୍ତା, ତେବେ ଏହା ନଷ୍ଟ ହୋଇଯାଇଥାନ୍ତା । ଏଣୁ ରତ୍ନ ଅଳଙ୍କାର ନଷ୍ଟ ହେବା ପୂର୍ବରୁ ରତ୍ନଭଣ୍ଡାର ମରାମତି କରାଯାଉ ବୋଲି ଶ୍ରୀ ମେକାପ କହିଛନ୍ତି । ଅନ୍ୟପଟେ ମହାପ୍ରଭୁଙ୍କ ଏବେ ଭଙ୍ଗା ଅଳଙ୍କାର ଲାଗି ହେଉଥିବାବେଳେ, ଏହାର ତ୍ବରିତ ମରାମତି ସହ ନୂଆ ଅଳଙ୍କାର ତିଆରି କରିବାକୁ ସେ ଶ୍ରୀମନ୍ଦିର ପ୍ରଶାସନକୁ ନିବେଦନ କରିଛନ୍ତି ।
