ଵଣାଇ : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଶେଷ ପର୍ଯ୍ୟାୟରେ ଗତକାଲି ଵଣାଇ ଉପଖଣ୍ଡ ଗୁରୁଣ୍ଡିଆ ବ୍ଲକର ୧୩ ଟି ପଞ୍ଚାୟତର ୧୬୧ ଟି ଵୁଥରେ ୪୮୪୧୮ ଜଣ ଭୋଟର ଦୁଇଜଣ ଜିଲ୍ଲାପରିଷଦ, ୧୩ ଜଣ ସରପଞ୍ଚ, ୧୩ ଜଣ ସମିତିସଭ୍ୟ ଓ ୱାର୍ଡମେମ୍ବରଙ୍କ ପାଇଁ ଶାନ୍ତି ଶୃଙ୍ଖଳାର ସହ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସକାଳ ୭ ଟା ସମୟରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇ ଅପରାହ୍ନ ୧ ଟା ଯାଏଁ ଚାଲିଥିବା ବେଳେ, ଲୋକମାନେ ଲମ୍ବା ଲାଇନରେ ଛିଡ଼ାହୋଇ ଉତ୍ସକତାର ସହ ମତଦାନ କରୁଥିବା ଦେଖିବାକୁ ମିଳିଛି । ଗୁରୁଣ୍ଡିଆ ବ୍ଲକ ଏକ ମାଓ ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ବେଳେ ଏଠାକାର ଅଧିକାଂଶ ବୁଥ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ନିଜେ ଉପଜିଲ୍ଲାପାଳ ଉପସ୍ଥିତ ରହି ସମସ୍ତ ପ୍ରକାର ବ୍ୟବସ୍ଥାକୁ ତଦାରଖ କରିଥିଲେ । କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ଏଡାଇବାକୁ ପୋଲିସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଥିବାବେଳେ, ସମସ୍ତ ବୁଥରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ମତଦାନର ଶେଷ ଶୁଦ୍ଧା କୈାଣସି ପ୍ରକାର ଅଘଟଣ ନ ଘଟି ସୁରୁଖୁରୁରେ ୭୮% ମତଦାନ ହୋଇଥିବା ଜଣାପଡିଛି ।
