ସୁନ୍ଦରଗଡ଼ : ସଂଶୋଧିତ ଭୋଟର ତାଲିକାରେ ନାଁ ନାହିଁ । ନିଜର ମତଦାନ ଅଧିକାର ସାବ୍ୟସ୍ତ କରି ନପାରି ବୁଥରୁ ଫେରିଗଲେ ମତଦାତା । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଟାଙ୍ଗରପାଲି ବ୍ଲକ (ଖ) ଜୋନ ସାନପତ୍ରାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅଲେଇକେରା ଗାଁରେ ଦେଖିବାକୁ ମିଳିଛି ଏମିତି ଘଟଣା । ଗ୍ରାମର ୩ ଟି ୱାର୍ଡରେ ଭୋଟର ତାଲିକା ସଂଶୋଧନ ତ୍ରୁଟିପୂର୍ଣ୍ଣ ଥିବା ଓ ଶତାଧିକ ଭୋଟରଙ୍କ ନାମ ନଥିଲା । ଭୋଟର ଏ ବୁଥ୍ ସେ ବୁଥ୍ ରେ ନିଜ ନାମ ଖୋଜି ନିରାଶ ହୋଇ ଫେରି ଯାଇଥିଲେ ।
ସୂଚନାଯୋଗ୍ୟ, ଟାଙ୍ଗରପାଲି ଜିଲ୍ଲା ପରିଷଦ (କ) ଜୋନ୍ରେ ୭ଟି ପଞ୍ଚାୟତ ଓ ୯୭ ୱାର୍ଡ ସଭ୍ୟ ଅଛନ୍ତି । ମୋଟ ଭୋଟର ସଂଖ୍ୟା ହେଉଛି ୨୪ ହଜାର ୩୬୦ ଟଙ୍କା । (ଖ) ଜିଲ୍ଲା ପରିଷଦ ଜୋନ୍ ଅଧୀନରେ ୬ଟି ପଞ୍ଚାୟତ ଓ ୮୨ଟି ୱାର୍ଡ ରହିଛି । ମୋଟ ଭୋଟର ସଂଖ୍ୟା ହେଉଛନ୍ତି ୨୫ ହଜାର ୫୦୧ । ଟାଙ୍ଗରପାଲିରେ ୯୮ଟି ସମ୍ବେଦନଶୀଳ ଓ ୨ଟି ଅତି ସମ୍ବେଦନଶୀଳ ବୁଥ୍ ରହିଛି ।
ସୁନ୍ଦରଗଡ଼ର ଜିଲ୍ଲାର ବାକିଥିବା ୩ ବ୍ଲକରେ ୬ ଜିଲ୍ଲା ପରିଷଦ, ୪୨ ସରପଞ୍ଚ ଓ ସମିତି ସଭ୍ୟ ସହ ୫୫୦ ୱାର୍ଡ ସଭ୍ୟ ପାଇଁ ମତଦାନ କରୁଛନ୍ତି ଭୋଟର । ତିନିଟି ବ୍ଲକ ଗୁରୁଣ୍ଡିଆ, ଟାଙ୍ଗରପାଲି ଓ ସୁନ୍ଦରଗଡ଼ ସଦରରେ ମୋଟ ୫୫୦ଟି ବୁଥ ହୋଇଛି । ଗୁରୁଣ୍ଡିଆରେ ୧୫୭, ଟାଙ୍ଗରପାଲିରେ ୧୭୯ ଓ ସୁନ୍ଦରଗଡ଼ ସଦର ବ୍ଲକରେ ସର୍ବାଧିକ ୨୧୪ଟି ପୁଲିଂ ବୁଥ୍ କରାଯାଇଛି । ଗୁରୁଣ୍ଡିଆରେ ୧୫୭ ବୁଥ୍ ମଧ୍ୟରୁ ୩୧ ବୁଥ୍ ସମ୍ବେଦନଶୀଳ ଓ ୧୬ଟି ବୁଥ ଅତି ସମ୍ବେଦନଶୀଳ ବୁଥ୍ ରହିଛି । ସୁନ୍ଦରଗଡ଼ ସଦରରେ ୮୯ ସମ୍ବେଦନଶୀଳ ଓ ୬୮ ଅତି ସମ୍ବେଦନଶୀଳ ବୁଥ୍ ରହିଛି । ସମ୍ବେଦନଶୀଳ ଓ ଅତି ସମ୍ବେଦନଶୀଳ ବୁଥ୍ରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତିନି ବ୍ଲକରେ ମୋଟ ୧ ଲକ୍ଷ ୫୩ ହଜାର ୩୩୦ ଭୋଟର ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିବା ପ୍ରାର୍ଥୀ ଓ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ।
