ରାଜ୍ୟରେ ପ୍ରହସନ ପାଲଟିଛି ୱାନ୍‌ ନେସନ ୱାନ୍‌ ରାସନ କାର୍ଯ୍ୟ

ଭୁବନେଶ୍ବର : ରାଜ୍ୟରେ କାର୍ଯ୍ୟକାରୀ କଲେ ୱାନ୍‌ ନେସନ ୱାନ୍‌ ରାସନ, କିନ୍ତୁ ଦେଉ ନାହାନ୍ତି ଅତିରିକ୍ତ ଚାଉଳ । ଏଥି ଯୋଗୁଁ ବିଭିନ୍ନ ସ୍ଥାନରେ ରାସନ କାର୍ଡ ନେଇ ବିତରଣ କେନ୍ଦ୍ରକୁ ଯାଉଥିବା ରାଜ୍ୟ ତଥା ରାଜ୍ୟ ବାହାରର ପ୍ରବାସୀମାନଙ୍କୁ ହୀନସ୍ତା ହେବାକୁ ପଡ଼ୁଛି । କେବଳ ଓଡ଼ିଶା ନୁହେଁ ଅନ୍ୟ ରାଜ୍ୟରେ ମଧ୍ୟ ଏଭଳି ସ୍ଥିତି ରହିଛି । ସାଧାରଣ ବିତରଣ ବ୍ୟବସ୍ଥାରେ ଓଡ଼ିଶା ଆବଣ୍ଟିତ କରିପାରୁ ନାହିଁ ୪ ପ୍ରତିଶତ ଚାଉଳ, ଗହମ । ଏଭଳି ସ୍ଥିତିରେ ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ଜାନୁଆରି ମାସରେ ବାହାର ରାଜ୍ୟରେ ରହୁଥିବା ମାତ୍ର ୮୦୪ ଓଡ଼ିଆ, ଓଡ଼ିଶାରେ ରହୁଥିବା ୧୨୦ ବାହାର ରାଜ୍ୟର ଲୋକଙ୍କୁ ଲାଭ ମିଳିଛି । ଏଥିରୁ ଅବସ୍ଥା କେତେ ନୈରଶ୍ୟଜନକ ତାହା ସ୍ପଷ୍ଟ ଅନୁମେୟ । ଅପରପକ୍ଷରେ ଓଡ଼ିଶାରେ ରହୁଥିବା ବାହାର ଜିଲ୍ଲାର କେତେ ବ୍ୟକ୍ତି ଏହି ସୁବିଧା ପାଇଛନ୍ତି ସେ ସମ୍ପର୍କରେ ସ୍ପଷ୍ଟ ସୂଚନା ମିଳିନାହିଁ । ଭୁବନେଶ୍ବରରେ ଥିବା ସମୁଦାୟ ୯୯ ହଜାର କାର୍ଡଧାରୀଙ୍କ ମଧ୍ୟରୁ ୨୫ ପ୍ରତିଶତ ବ୍ରହ୍ମପୁର, ବାରିପଦା, ଭଦ୍ରକ ଏବଂ ମୟୂରଭଞ୍ଜର ବୋଲି ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ କହିଛନ୍ତି । କିନ୍ତୁ ରାଜଧାନୀରେ କାର୍ଯ୍ୟରତ ଅଧିକାଂଶ ପ୍ରବାସୀ ଶ୍ରମିକଙ୍କ ଅନୁସାରେ, ଗାଁ ରାସନ କାର୍ଡ ନେଇ ପିଡିଏସ ସେଣ୍ଟରକୁ ଚାଉଳ ପାଇଁ ଗଲେ ତାଙ୍କୁ ଫେରାଇ ଦିଆଯାଏ । କେନ୍ଦ୍ର ପାଖରେ ଚାଉଳ ବଳିଲେ କିଛି ଜଣଙ୍କୁ ମାସ ଶେଷରେ ମିଳେ । ଏହାକୁ ନେଇ ପିଡିଏସ ଡିଲର କହିଛନ୍ତି, ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ବାହାର ହିତାଧିକାରୀଙ୍କୁ ଚାଉଳ ଦେବାରେ ତାଙ୍କ ସମସ୍ୟା ନାହିଁ । କିନ୍ତୁ ସରକାରଙ୍କ ପକ୍ଷରୁ ଏହି ଯୋଜନା ଅନ୍ତର୍ଗତରେ ଅତିରିକ୍ତ ଚାଉଳ ଦିଆଯାଉ ନାହିଁ । ତେଣୁ ତାଙ୍କୁ ଆବଣ୍ଟିତ ସମୁଦାୟ ଚାଉଳ ଏବଂ ଗହମ ପ୍ରଥମେ ନିଜ ହିତାଧିକାରୀଙ୍କୁ ଦେଇ ବଳକା ହେଲେ ବାହାର ଲୋକଙ୍କୁ ଦିଅନ୍ତି । ଏହି ନୂତନ ଯୋଜନାରେ ଅତିରିକ୍ତ ଚାଉଳ ଏବଂ ଗହମ ଦେବା ପାଇଁ ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ ତାକୁ ଗୁରୁତ୍ବ ଦିଆଯାଇ ନାହିଁ । ସାମାଜିକ କର୍ମକର୍ତ୍ତା ଉମି ଡାନିଏଲଙ୍କ ଅନୁସାରେ, ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ପିଡିଏସ କେନ୍ଦ୍ରକୁ ଅତିରିକ୍ତ ଚାଉଳ ନଦେଲେ ଏହି ସମସ୍ୟା ଜାରି ରହିବ ।

ଅନ୍ୟପକ୍ଷରେ ଯେକୌଣସି ଯୋଜନା କାର୍ଯ୍ୟକାରୀ ବେଳେ ସରକାର ଯେଉଁଭଳି ପ୍ରଚାର-ପ୍ରସାର କରନ୍ତି ଏହି ଯୋଜନାକୁ ନେଇ ସେହିଭଳି ପ୍ରଚାର କରାଯାଉ ନାହିଁ । ଏଥି ଯୋଗୁଁ ଅନେକ ପ୍ରବାସୀ ଶ୍ରମିକ ଏ ସମ୍ପର୍କରେ ଅଜ୍ଞ ଅଟନ୍ତି । ମହାମାରୀରେ ପ୍ରବାସୀ ଶ୍ରମିକ କେଉଁଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ସେ ସମ୍ପର୍କରେ ସମସ୍ତେ ଜାଣନ୍ତି । ଏଥିପାଇଁ ବର୍ତ୍ତମାନ ମଧ୍ୟ ଶୁଖିଲା ପିଡିଏସ ବଣ୍ଟନ ହେଉଛନ୍ତି । ଯେଉଁ ପ୍ରବାସୀମାନେ ପିଡିଏସ ପାଇବାରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ସେମାନଙ୍କ ପାଇଁ ସ୍ବତନ୍ତ୍ର ଅଭିଯୋଗ ଶୁଣାଣି ବ୍ୟବସ୍ଥା କରିବା ଉଚିତ ବୋଲି ସେ କହିଛନ୍ତି । ଖାଦ୍ୟ ସୁରକ୍ଷା ଅଭିଯାନର ସମୀତ ପଣ୍ଡା କହିଛନ୍ତି, କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ବୃଦ୍ଧି ଏବଂ ସଂଘୀୟ ବ୍ୟବସ୍ଥା ଦୁର୍ବଳ ହେବା ଆଶଙ୍କାରେ ୱାନ୍‌ ନେସନ ୱାନ୍‌ ରାସନ ଯୋଜନା କାର୍ଯ୍ୟକାରୀ ପାଇଁ ଓଡ଼ିଶା ସମେତ କୌଣସି ରାଜ୍ୟ ଗମ୍ଭୀର ନୁହନ୍ତି । ତେଣୁ ଏହାକୁ ନେଇ ସ୍ବତନ୍ତ୍ର ନୀତି ମଧ୍ୟ ପ୍ରସ୍ତୁତ ହୋଇ ନାହିଁ କି ସ୍ବତନ୍ତ୍ର ଆବଣ୍ଟନ ମଧ୍ୟ ନାହିଁ । କେବଳ ମୌଖିକ ଭାବରେ ଯୋଜନା କାର୍ଯ୍ୟକାରୀ ପାଇଁ କୁହାଯାଉଛି ।

ପ୍ରଶାସନ ପକ୍ଷରୁ କୁହାଯାଉଛି, ୱାନ୍‌ ନେସନ ୱାନ୍‌ ରାସନ କାର୍ଯ୍ୟକାରୀରେ କୌଣସି ଅସୁବିଧା ନାହିଁ । ପ୍ରତ୍ୟେକ ଡିଲରକୁ କାର୍ଡ ଅନ୍ତର୍ଗତରେ ୮୦ ପ୍ରତିଶତ ଚାଉଳ ଦିଆଯାଏ । ଆବଶ୍ୟକ ହେଲେ ୧୭ ପ୍ରତିଶତ ପରବର୍ତ୍ତୀ ସମୟରେ ମିଳେ । ବାକି ୩ ପ୍ରତିଶତ ସିଏସଓ ଏବଂ ଜିଲ୍ଲା ପ୍ରଶାସନ ନିଜ ଇଚ୍ଛାରେ ଦେଇଥାନ୍ତି । ରାଜଧାନୀରେ ୨୦ ହଜାର କାର୍ଡଧାରୀ ଏହାର ଲାଭ ନେଉ ନାହାନ୍ତି । ତେଣୁ ସେମାନଙ୍କ ଭାଗର ଚାଉଳ ୱାନ୍‌ ନେସନ ୱାନ୍‌ ରାସନ ଅନ୍ତର୍ଗତରେ ଦିଆଯାଇ ପାରିବ । ଯେ କୌଣସି ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେଲେ ସ୍ଥାନୀୟ ପ୍ରଶାସନକୁ ଜଣାଇ ପାରିବେ ।ସୂଚନା ଅନୁଯାୟୀ, ଖାଦ୍ୟ ସୁରକ୍ଷା ଯୋଜନା ଅନ୍ତର୍ଗତରେ ରାସନ କାର୍ଡ କେବଳ ନିଜ ଗାଁ କିମ୍ବା ସାହିର କେନ୍ଦ୍ରରୁ ହିଁ ଚାଉଳ ଏବଂ ଗହମ ମିଳେ । ଏଥି ଯୋଗୁଁ ପ୍ରବାସୀମାନେ ଯେଉଁ କଷ୍ଟ ସହିଥିଲେ ଲକ୍‌ଡାଉନରେ ତାହା ଜଳ-ଜଳ ଦେଖାଗଲା । ଏହାପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ୱାନ୍‌ ନେସନ ୱାନ୍‌ ରାସନ ଲାଗୁ ହେଲା । ଯାହାକୁ ଗତବର୍ଷ ଓଡ଼ିଶା ସରକାର କାର୍ଯ୍ୟକାରୀ କଲେ । ଏଥିରେ ଆଉ ସୀମାର କଟକଣା ରହିଲା ନାହିଁ। ରାସନ କାର୍ଡ ଜରିଆରେ ଯିଏ ଯେଉଁଠି ଚାଉଳ ଏବଂ ଗହମ ନେଇ ପାରିବ । ମାତ୍ର ଏହାର କାର୍ଯ୍ୟକାରିତାରେ ସମସ୍ୟା ସୃଷ୍ଟି ହେଉଛି ।

Leave a Reply

Your email address will not be published. Required fields are marked *